କଟକ: ସହରବାସୀଙ୍କୁ ସେବା ଯୋଗାଇଦେବା ପାଇଁ ପୌର ନିଗମରେ ୨ଟି ଆମ୍ବୁଲାନ୍ସ ଅଛି। ମାତ୍ର ସଠିକ୍ ପରିଚାଳନା ଅଭାବରୁ ଏହା ଦୀର୍ଘଦିନ ଧରି ପଡ଼ି ରହି ଖତ ଖାଉଛି। ଅନ୍ୟପଟେ ନିଗମରେ ସ୍ୱର୍ଗରଥ ନ ଥିବାରୁ ସାଧାରଣ ଲୋକେ ମୃତଦେହ ନେବାକୁ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ନୂଆ ସ୍ୱର୍ଗରଥ କିଣିବାକୁ ଗତ ଜୁଲାଇରୁ ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ନିଗମକୁ ପ୍ରସ୍ତାବ ଦେଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ତିନିମାସ ତଳେ ସ୍ୱର୍ଗରଥ କିଣିବାକୁ ଟେଣ୍ଡର୍ ଡକାଯାଇଥିବା ବେଳେ ଏହାକୁ ଶେଷ କରିପାରୁ ନାହିଁ ପୌର ନିଗମ। କଟକବାସୀଙ୍କୁ ସେବା ଯୋଗାଇଦେବା ପାଇଁ ୧୮ବର୍ଷ ତଳେ ପୌର ନିଗମ ପକ୍ଷରୁ ଦୁଇଟି ଆମ୍ଭୁଲାନ୍ସ କିଣାଯାଇଥିଲା। କମ୍ ଟଙ୍କାରେ ଏହା ସେବା ଯୋଗାଇ ଦେଉଥିବାରୁ ଏହାର ବହୁଳ ବ୍ୟବହାର କରାଯାଉଥିଲା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ପରେ ଏହାର ଗୁରୁତ୍ୱ କମିଗଲା। ନିଗମ ଆମ୍ବୁଲାନ୍ସରେ ରୋଗୀଙ୍କୁ ବୁହାଯିବା ବଦଳରେ ଏହାକୁ ମୃତଦେହ ନେବା କାମରେ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏହାକୁ ଠିକ୍ ଭାବେ ପରିଚାଳନା କରା ନ ଯିବା କାରଣରୁ ଖରାପ ହୋଇ ଦୀର୍ଘବର୍ଷ ଧରି ପଡ଼ି ରହିଲା।
କରୋନା କାଳରେ ଦୁଇଟି ଆମ୍ଭୁଲାନ୍ସକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଗଲା। କୋଭିଡ୍ ସମୟରେ ଏହାର ମରାମତି କରାଯାଇ କେରାନା ମୃତକଙ୍କ ଶବଗୁଡ଼ିକ ଶ୍ମଶାନକୁ ନେବାରେ ବ୍ୟବହାର କରାଗଲା। କେରାନା ସ୍ଥିତିରେ ସୁଧାର ଆସିବା ପରେ ପୁଣି ଆମ୍ବୁଲାନ୍ସକୁ ୨ଟି ପୌର ନିଗମକୁ ଫେରାଇ ଦିଆଗଲା। ହେଲେ ଫେରିବା ପରଠାରୁ ଏହା ପୂର୍ବପରି ଦୀର୍ଘମାସ ଧରି ପଡ଼ି ରହିଛି। ଆମ୍ବୁଲାନ୍ସ ଦୁଇଟି ୧୮ବର୍ଷ ପୁରୁଣା ହୋଇଥିବାରୁ ଏହା ବାରମ୍ବାର ମରାମିତି ମାଗୁଛି। ଅପରପକ୍ଷରେ, ନିଗମ ଏକ ନୂଆ ସ୍ୱର୍ଗରଥ କିଣିବାକୁ ଗତ ଜୁଲାଇ ୧୮ ତାରିଖରେ ସ୍ୱାସ୍ଥ୍ୟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହା ମଧ୍ୟରେ ୫ମାସରୁ ଅଧିକ ସମୟ ବିତିଯାଇଥିଲେ ବି ଏହା ଏବେ ସୁଦ୍ଧା ମରାମତି ହୋଇ ପାରିଲା ନାହିଁ। ସେହିପରି ଆହତ ପଶୁଙ୍କୁ ପ୍ରାଣୀ ଚିକିତ୍ସାଳୟ ନେବାକୁ ନିଗମ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଦାବି ହୋଇ ଆସୁଥିବା ବେଳେ ସେଏମ୍ସି ଏହି ସେବା ଦେବାରେ ମଧ୍ୟ ବିଫଳ ହୋଇଛି। ନିଗମର ଆବଶ୍ୟକତାକୁ ଦେଖି ଦୁଇଟି ନୂଆ ସ୍ୱର୍ଗରଥ ଓ ଗୋଟିଏ ପଶୁଙ୍କ ଆମ୍ବୁଲାନ୍ସ ପାଇଁ ୩ ମାସ ତଳେ ଟେଣ୍ଡର୍ କରାଯାଇଛି। ଆମ୍ବୁଲାନ୍ସ ଆସିବା ପରେ ଏହାର ସମସ୍ତ ତଥ୍ୟ ଓ ଫୋନ୍ ନମ୍ବରକୁ ନିଗମ ସାଇଟ୍ରୁ ସମସ୍ତେ ପାଇପାରିବେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି। ସହରବାସୀଙ୍କୁ ସ୍ୱର୍ଗରଥ ମାଧ୍ୟମରେ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
ଖତ ଖାଉଛି ଦୁଇ ଆମ୍ବୁଲାନ୍ସ : ତିନି ମାସ ଧରି ଟେଣ୍ଡର୍ ପ୍ରକ୍ରିୟାରେ ଅଟକିଛି ସ୍ୱର୍ଗରଥ ଯୋଜନା

Share Now: