ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଭାରତ ଏବେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରୁଛି। ବିଶେଷକରି ରୁଷ ଉପରେ ଭାରତ ଅଧିକ ନିର୍ଭରଶୀଳ ଥିବାରୁ ତାହାକୁ କମାଇବାକୁ ଉଦ୍ୟମ କରାଯାଉଛି। ବିଦେଶୀ ଅସ୍ତ୍ରଶସ୍ତ୍ର ତୁଳନାରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ କିଛି ବର୍ଷ ମଧ୍ୟରେ ରୁଷ ନିର୍ମିତ ଏମଆଇ-୧୭ ହେଲିକପ୍ଟର ଉପରୁ ନିର୍ବରଶୀଳତା କମାଇ ହାଲ ନିର୍ମିତ ହେଲିକପ୍ଟର ବ୍ୟବହାର ପାଇଁ ଭାରତ ଯୋଜନା କରୁଛି।
ହାଲର ଜଣେ ଅଧିକାରୀ କହିଛନ୍ତି ଯେ ରୁଷିଆର ଏମଆଇ-୧୭ର ସ୍ଥାନ ନେବା ପାଇଁ ଆସନ୍ତା ୮ରୁ ୧୦ ବର୍ଷ ମଧ୍ୟରେ ଭାରତ ପାଖରେ ସ୍ୱଦେଶୀ ମିଡିୟମ ଲିଫ୍ଟ ହେଲିକପ୍ଟର ରହିବ। ହାଲର ମୁଖ୍ୟ ପ୍ରବନ୍ଧକ (ଡିଜାଇନ୍) ଅବଦୁଲ ରସିଦ୍ ତାଜର କହିଛନ୍ତି, ଭବିଷ୍ୟତ ପାଇଁ ୧୩ ଟନ୍ ଓଜନ ବିଶିଷ୍ଟ ଭାରତୀୟ ମଲ୍ଟି-ରୋଲ୍ ହେଲିକପ୍ଟର (ଆଇଏମ୍ଆରଏଚ)ର ପ୍ରାଥମିକ ଡିଜାଇନ୍ ଆରମ୍ଭ ହୋଇସାରିଛି। ଆମେ ପାଣ୍ଠିକୁ ଅପେକ୍ଷା କରିଛୁ। ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍)ର ଅନୁମୋଦନ ମିଳିବାର ୪ ବର୍ଷ ମଧ୍ୟରେ ଆମେ ପ୍ରୋଟୋଟାଇପର ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଯିବୁ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ଆମେ ଟେଷ୍ଟିଂ ସାର୍ଟିଫିକେଟ୍ ପାଇବୁ। ନିକଟରେ ଅନୁଷ୍ଠିତ ଏରୋ ଇଣ୍ଡିଆରେ ହାଲ୍ ପକ୍ଷରୁ ନିଜର ସୁପରସୋନିକ ଟ୍ରେନର ଏଚଏଲଏପଟି-୪୨ ବିମାନର ପ୍ରଦର୍ଶନ କରିଥିଲା।
ବିଦେଶୀ ବଦଳରେ ସ୍ୱଦେଶୀ ହେଲିକପ୍ଟର ବ୍ୟବହାର ଉପରେ ଗୁରୁତ୍ୱ ଦେବ ଭାରତ

Share Now: