ଚେନ୍ନାଇ: ଜଣେ ବ୍ୟକ୍ତିଙ୍କୁ ‘ମୃତ’ ବୋଲି ଭାବି ତାଙ୍କ ସମ୍ପର୍କୀୟମାନେ ତାଙ୍କ ଶରୀରକୁ ରାତିସାରା ଏକ ଫ୍ରିଜ୍ର ବାକ୍ସରେ ରଖିଥିବା ବେଳେ ପରଦିନ ସଂପୃକ୍ତ ବ୍ୟକ୍ତିଙ୍କୁ ଜୀବିତାବସ୍ଥାରେ ପୁଲିସ୍ ଫ୍ରିଜର ମଧ୍ୟରୁ ଉଦ୍ଧାର କରିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍ ସୂତ୍ରରୁ ହ ସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ତାମିଲନାଡୁ ସାଲେମ ଜିଲ୍ଲା କାନ୍ଧମପଟ୍ଟିର ୭୪ ବର୍ଷ ବୟସ୍କ ବାଲାସୁବ୍ରମଣ୍ୟମ କୁମାରଙ୍କର ପରଲୋକ ହୋଇ ଯାଇଛି ବୋଲି ଭାବି ପରିବାର ଲୋକେ ତାଙ୍କ ମୃତଦେହକୁ ଏକ ଫ୍ରିଜ୍ର ବାକ୍ସ ମଗାଇ ତା’ ମଧ୍ୟରେ ରଖି ଦେଇଥିଲେ। ତେବେ, ପରଦିନ ଫ୍ରିଜ୍ କମ୍ପାନିର ଲୋକମାନେ ଯେତେବେଳେ ସେମାନଙ୍କ ଫ୍ରିଜର ବାକ୍ସ ନେବାକୁ ଆସିଲେ, ସେତେବେଳେ ସେମାନେ ଦେଖିବାକୁ ପାଇଲେ ଯେ ତା’ ମଧ୍ୟରେ ରହିଥିବା ବାଲାସୁବ୍ରମଣ୍ୟମଙ୍କର ନିଶ୍ୱାସ ପ୍ରଶ୍ୱାସ ଚାଲିଛି। ଏହା ଦେଖିବା ପରେ ସେମାନେ ଘଟଣା ସଂପର୍କରେ ପୁଲିସ୍କୁ ଖବର ଦେଇଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ସୋରାମଙ୍ଗାଲମ୍ ଥାନା ସବ୍-ଇନ୍ସପେକ୍ଟର ରାଜାସେକରନ୍ ଘଟଣାସ୍ଥଳରେ ପହଞ୍ଚି ବାଲାସୁବ୍ରମଣ୍ୟମଙ୍କୁ ଫ୍ରିଜର ମଧ୍ୟରୁ ଉଦ୍ଧାର କରିବା ସହ ତାଙ୍କୁ ଚିକିତ୍ସା ପାଇଁ ସାଲେମର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଲ୍ଲେଖଯୋଗ୍ୟ, ୭୪ ବର୍ଷ ବାଲାସୁବ୍ରମଣ୍ୟମ୍ କୁମାର, ତାଙ୍କର ୭୦ ବର୍ଷୀୟ ସାନଭାଇ ସରଭାନନ୍ ଏବଂ ଭଉଣୀର ଝିଅ ଗୀତାଙ୍କ ସହ ରହୁଥିଲେ। ଗତ ଦୁଇମାସ ଧରି ସେ ଶଯ୍ୟାଶାୟୀ ଥିଲେ। ଘଟଣା ସଂପର୍କରେ ସାରଭାନନ୍ କହିଛନ୍ତି ଯେ ଅକ୍ଟୋବର ୧୨ରେ ସେ ଅନୁମାନ କରିଥିଲେ ଯେ ତାଙ୍କ ଭାଇ ବାଲାସୁବ୍ରମଣ୍ୟମଙ୍କର ମୃତ୍ୟୁ ହୋଇ ଯାଇଛି। ତେଣୁ ସେ ସଂପର୍କୀୟମାନଙ୍କ ଆସିବା ପର୍ଯ୍ୟନ୍ତ ମୃତଦେହ ରଖିବା ପାଇଁ ଏକ ଫ୍ରିଜ୍ର ବାକ୍ସ ମଗାଇଥିଲେ।
ଫ୍ରିଜ୍ର ବାକ୍ସରେ ରଖାଯାଇଥିବା ‘ମୃତ’ ବ୍ୟକ୍ତିଙ୍କୁ ଦିନକ ପରେ ଜୀବିତାବସ୍ଥାରେ ଉଦ୍ଧାର କଲା ପୁଲିସ

Share Now: