ଭୁବନେଶ୍ୱର : ବରମୁଣ୍ଡାରେ ପ୍ରସ୍ତୁତ ହେଉଛି ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍। ଦୈନିକ ବିଭିନ୍ନ ସ୍ଥାନକୁ ଯା’ଆସ କରୁଥିବା ହଜାର ହଜାର ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ଏଠାରେ ଯାବତୀୟ ସୁବିଧା ଉପଲବ୍ଧ କରାଯିବାକୁ ଯୋଜନା ହୋଇଛି। କେବଳ ଯୋଜନା ହୋଇ ନାହିଁ ବରଂ ଜୋର୍ସୋର୍ରେ ନିର୍ମାଣ କାମ ଚାଲିଛି। ହେଲେ ତିନିବର୍ଷ ପୂରିଲାଣି କାମ ସରୁନି। କେତେବେଳେ ମୁଖ୍ୟମନ୍ତ୍ରୀ, କେତେବେଳେ ‘୫-ଟି’ ସଚିବ ତ’ ଆଉ କେତେବେଳେ ମୁଖ୍ୟ ଶାସନ ସଚିବ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରୁଛନ୍ତି, ନିର୍ମାଣ ଅଗ୍ରଗତିର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନିର୍ମାଣ ଶେଷ କରିବାକୁ ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଛି, କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଗତକାଲି ମୁଖ୍ୟ ଶାସନ ସଚିବ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପୁଣି ନୂଆ ତାରିଖ ଧାର୍ଯ୍ୟ ହୋଇଛି। କିନ୍ତୁ ଧାର୍ଯ୍ୟ ଅବଧିରେ କାମ ନ ସରିବା ଆଶଙ୍କା ଥିବାରୁ ଶେଷ ତାରିଖକୁ ଗୋପନ ରଖା ଯାଇଛି। ‘ଖୁବ୍ଶୀଘ୍ର ସରିବ’ ବୋଲି ବିଡିଏ କହିଛି। କରୋନା ପରେ ଏବେ ବର୍ଷା ବିଳମ୍ବର କାରଣ ବୋଲି କୁହାଯାଉଥିଲେ ମଧ୍ୟ କାମ ଧାର୍ଯ୍ୟ ସମୟରେ ନ ସରିବା ପଛରେ କମ୍ପୋଜିଟ୍ ଟେଣ୍ଡର ଅଡ଼ୁଆ ବୋଲି ଚର୍ଚ୍ଚା ହେଉଛି।
୨୦୨୦ ଅଗଷ୍ଟ ୨୩ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ବିଡିଏ ଟେଣ୍ଡର ଜରିଆରେ ଏହାର ନିର୍ମାଣ କାମ ‘ବ୍ରିଜ ଆଣ୍ଡ ରୁଫ୍’କୁ ଦେଇଥିଲା। କାମ ଆରମ୍ଭ ବେଳକୁ ସେପ୍ଟେମ୍ବର ମାସ ହୋଇଯାଇଥିଲା। ଦୁଇବର୍ଷ ମଧ୍ୟରେ ବା ୨୦୨୨ ସୁଦ୍ଧା କାମ ଶେଷ ହେବ ଓ ଆଉ ୫ ବର୍ଷ ବା ୨୦୨୭ ମସିହା ପର୍ଯ୍ୟନ୍ତ ସମ୍ପୃକ୍ତ ସଂସ୍ଥା ଏହାକୁ ମରାମତି କରିବାକୁ ଚୁକ୍ତି ହୋଇଥିଲା। ପ୍ରଥମେ ୧୬୦ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଖର୍ଚ୍ଚ ବଢ଼ିବାରୁ ପରବର୍ତ୍ତୀ ସମୟରେ ବଜେଟ୍ ୧୮୦ କୋଟିକୁ ବୃଦ୍ଧି ପାଇଥିଲା। ତିନିମାସ ପରେ ଅର୍ଥାତ୍ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଧାର୍ଯ୍ୟ ସମୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ମସିହା ଜୁଲାଇ ମାସରେ ‘୫-ଟି’ ସଚିବ ଭିକେ ପାଣ୍ଡିଆନ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଧାର୍ଯ୍ୟ ଅବଧି ସୁଦ୍ଧା ଶେଷ କରିବାକୁ ତାଗିଦ କରିଥିଲେ। ଏହା ପରେ ୨୦୨୨ ମସିହା ସେପ୍ଟେମ୍ବର ୧୮ ତାରିଖରେ ପୁଣି ଥରେ ୫-ଟି ସଚିବ ଏହି ଆଇଏସ୍ବିଟି ନିର୍ମାଣ ଅଗ୍ରଗତି ଅନୁଧ୍ୟାନ କରିଥିଲେ। କିନ୍ତୁ ଧାର୍ଯ୍ୟ ଅବଧିରେ ଏହା ଶେଷ ହେବ ନାହିଁ ବୋଲି ନିଶ୍ଚିତ ହେବାରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୩ ମାସ ପରେ ଅର୍ଥାତ୍ ଡିସେମ୍ବର ୧୧ ତାରିଖ ଦିନ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କାମ ମନ୍ଥର ଗତିରେ ଚାଲୁଥିବାରୁ ଉଦ୍ବେଗ ପ୍ରକାଶ କରିବା ସହ କେଉଁ କାମକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ତାହା ମଧ୍ୟ ଚେତାଇ ଦେଇଥିଲେ। ଏହାର ଠିକ୍ ତିନିମାସ ପରେ ଅର୍ଥାତ୍ ମାର୍ଚ୍ଚ ୧୯ ତାରିଖ ଦିନ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଘଟଣାସ୍ଥଳରେ ଦୀର୍ଘ ୪୫ ମିନିଟ୍ କାଳ ସମଗ୍ର ଅଞ୍ଚଳ ବୁଲି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଛନ୍ତି। ଖୁବ୍ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ କେବେ ସରିବ କାହା ପାଖରେ ଉତ୍ତର ନାହିଁ। କାମ ସରିନଥିଲେ ମଧ୍ୟ ଜୁନ୍ ସୁଦ୍ଧା ଏହାର ଉଦ୍ଘାଟନ ହେବା ଯୋଜନା ରହିଥିବା କୁହାଯାଉଛି।
ନିର୍ମାଣ ବିଳମ୍ବର ବିଭିନ୍ନ କାରଣ ଦର୍ଶାଯାଉଥିଲେ ମଧ୍ୟ କମ୍ପୋଜିଟ୍ ଟେଣ୍ଡର ପ୍ରମୁଖ କାରଣ ବୋଲି କୁହାଯାଉଛି। ଗୋଟିଏ ସଂସ୍ଥା ସମସ୍ତ କାମର ଠିକା(କମ୍ପୋଜିଟ୍ ଟେଣ୍ଡର) ନେଇଥିବାରୁ ବିଳମ୍ବ ହେଉଛି। ଶତପ୍ରତିଶତ କାମ ସମାନ୍ତରାଳ ଭାବରେ ଚାଲି ପାରୁ ନାହିଁ। ତେବେ ବିଡିଏ ଏହାକୁ ଖଣ୍ଡନ କରିଛି। ବିଡିଏର ସୂଚନା ମୁତାବକ, କାମ ଠିକ୍ ସମୟରେ ସାରିବାକୁ ଚେଷ୍ଟା କରାଯାଉଛି। ମୁଖ୍ୟ ଶାସନ ସଚିବ ଗୁଣାତ୍ମକ କାର୍ଯ୍ୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ବସ୍ ଟର୍ମିନାଲ୍ରେ ଥିବା ୩୫ ବସ୍ ବେ’ ପ୍ରସ୍ତୁତ ହୋଇ ସାରିଛି। ବାଣିଜ୍ୟିକ ଅଞ୍ଚଳ ଓ କାର୍/ବାଇକ୍ ପାର୍କିଂ ପାଇଁ ବେସ୍ମେଣ୍ଟ ନିର୍ମାଣ ଶେଷ ହୋଇଛି। ଫୁଡ୍କୋର୍ଟ, ଏଟିଏମ୍, କିଓସ୍କୋ, ଦୋକାନ, ରେସ୍ତୋରାଁ ଆଦି ନିର୍ମାଣ ସରିଛି। ଫିନିସିଂ ପାଇଁ ଅଳ୍ପ କାମ ରହିଛି। ଖୁବ୍ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ୧୮୦ କୋଟି ଟଙ୍କା ବ୍ୟୟରେ ୧୫.୫ ଏକର ଜାଗାରେ ଏହି ଆଇକନିକ୍ ଇଣ୍ଟର-ଷ୍ଟେଟ୍ ବସ୍ ଟର୍ମିନାଲ(ଆଇଏସ୍ବିଟି) ନିର୍ମାଣ ହେଉଛି। ଏଥିରେ ୬ଟି ବ୍ଲକ୍ ରହିଛି। ୧୯୦ ପାର୍କିଂ ସ୍ପେସ୍ ରହିଛି। ୨୫୦ ଚାରି ଚକିଆ ଓ ୧୭୫ ଦୁଇଚକିଆ ଯାନ ରହିବା ଭଳି ପାର୍କିଂ ସ୍ଥାନ ରହିଛି। ୨୦୧୭ମସିହାରେ ଏହି ବସ୍ଷ୍ଟାଣ୍ଡ ନିର୍ମାଣ ଯୋଜନା ହୋଇଥିଲା। ୨୦୧୮ରେ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବରେ ଏହି ବଡ଼ ପ୍ରକଳ୍ପର ଘୋଷଣା କରିଥିଲେ। ୨୦୨୦ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ରାଜ୍ୟ ଭିତରେ ୫ ହଜାର ଘରୋଇ ବସ୍ ଓ ରାଜ୍ୟ ସରକାରଙ୍କ ଓଏସ୍ଆରଟିସିର ୫୦୦ ବସ୍ରେ ଆସୁଥିବା ଯାତ୍ରୀ ଏହି ବସ୍ଷ୍ଟାଣ୍ଡକୁ ବ୍ୟବହାର କରିବେ।
କେବେ ସରିବ ବରମୁଣ୍ଡା ଆଇକନିକ୍ ଇଣ୍ଟର-ଷ୍ଟେଟ୍ ବସ୍ ଟର୍ମିନାଲ କାମ ?

Share Now: