ବାଣୀବିହାର ଆସିବେ ରାଷ୍ଟ୍ରପତି, ପଡ଼ିବ ୪୨୫୦ ସିଟ୍‌

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ତିନି ଦିନ ହେଲା ଲଗାତାର ଭାବେ ବୈଠକ ବସୁଛି। ବ୍ୟାପକ ମାନସମନ୍ଥନ ହେଉଛି। ତେବେ ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଓ ସୁପରିଚାଳନା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କେଉଁ ଦାୟିତ୍ୱରେ କେଉଁ ପ୍ରଫସର୍‌ ରହିଛନ୍ତି? କେତେ ପିଲା ଉତ୍ସବରେ ଯୋଗଦେବେ? କେତେ ଅତିଥି ଆସିବେ? କେତୋଟି ଗ୍ରିନ୍‌ ରୁମ୍‌ ହେବ? ଆଦି ବିଷୟର ତଥ୍ୟ ଏବେ ପଦାକୁ ଆସିଛି। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଉତ୍ସବରେ ମାତ୍ର ୪ହଜାର ୨୫୦ ଲୋକଙ୍କ ପାଇଁ ବ୍ୟବସ୍ଥା ହେବ। ପ୍ରଥମ ତିନି ଧାଡ଼ିରେ ୨୫୦ ଲୋକଙ୍କ ବସିବା ଲାଗି ସୋଫା ପଡ଼ିବ। କଭର୍‌ ହୋଇଥିବା ହଜାରେ ଚେୟାର ପଡ଼ିବାକୁ ଥିବା ବେଳେ ତିନି ହଜାର ଲୋକଙ୍କ ଲାଗି ନାଲି ପ୍ଲାଷ୍ଟିକ୍‌ ଚେୟାର ପଡ଼ିବ। ଉତ୍ସବରେ ଦୁଇ ହଜାର ଛାତ୍ରଛାତ୍ରୀ, ୫୦୦ଶିକ୍ଷକ ଓ କର୍ମଚାରୀ, ୫୦୦ ଜଣ ସହରର ବିଶିଷ୍ଟ ବ୍ୟକ୍ତି, ୨୫୦ ସରକାରୀ ଅଧିକାରୀ ଓ ୫୦୦ ଆଲୁମିନି (ପ୍ରତି ବିଭାଗରୁ ୨୦ ଜଣ ଲେଖାଏ)ଙ୍କୁ ଅତିଥି ଭାବେ ଡକାଯିବ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏଠାରେ ୫ହଜାର ପିଲା ପଢ଼ୁଥିବା ବେଳେ ମାତ୍ର ୨ ହଜାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ତେବେ କେଉଁଭଳି ଭାବେ ପିଲା ଚୟନ ହେବେ, ତାହାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି।
ମଞ୍ଚରେ ବିଦ୍ୟୁତ୍‌ ସଂଯୋଗ ସହ ଡିଜି ବ୍ୟବସ୍ଥା ହେବ। ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲାଗି ଗୋଟିଏ ଲେଖାଏ ଗ୍ରିନ୍‌ ରୁମ୍‌ କରାଯିବ। ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ। ଷ୍ଟାଡିୟମ୍‌ ଭିତରେ ଥିବା ଅନାବନା ଗଛ ୬ ତାରିଖ ସୁଦ୍ଧା କଟାଯିବ। ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ପ୍ରସ୍ତୁତ କରାଯିବ ଏବଂ ପ୍ରବେଶ ସମୟରେ ତାହା ବାଧ୍ୟତାମୂଳକ ହେବ। ମଞ୍ଚ ନିକଟକୁ ଯାଉଥିବା ବ୍ୟକ୍ତିବିଶେଷଙ୍କ ଚିହ୍ନଟ କରିବା ଓ ପରିଚୟପତ୍ର ଯାଞ୍ଚ ଲାଗି ୧୧ଜଣ ପ୍ରଫେସର୍‌ ଦାୟିତ୍ୱରେ ରହିବେ। କେଉଁ ଧାଡ଼ିରେ କେଉଁମାନେ (ସିଣ୍ଡିକେଟ୍‌ ଓ ସିନେଟ୍‌ ସଦସ୍ୟ, ଏକାଡେମିକ୍‌ କାଉନସିଲ୍‌, ଅଧ୍ୟାପକ, ଭିଆଇପି, ଆଲୁମିନି, କଲେଜ ଅଧ୍ୟକ୍ଷ, ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧିକାରୀ) ବସିବେ, ତାହା ଶୁକ୍ରବାର ସୁଦ୍ଧା ସ୍ଥିର କରାଯିବ। ଉତ୍ସବରେ ବିଶ୍ୱବିଦ୍ୟାଳୟ ସଙ୍ଗୀତକୁ ୭ଜଣ ଛାତ୍ରୀ ପରିବେଷଣ କରିବେ। ନିମନ୍ତ୍ରଣ କମିଟିରେ ୧୨ଜଣଙ୍କୁ ରଖାଯାଇଥିବା ଏଥିରୁ ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ବ୍ୟବସାୟ ଜଗତରେ ପାଦ ଥାପିଲେ ଦୂତି : ଦୌଡ଼ରାଣୀରୁ ହୋଟେଲ ମାଲିକାଣୀ

Fri Dec 6 , 2019
ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଲକ୍ଷ୍ୟ ଭୁବନେଶ୍ୱର : ଆଥଲେଟିକ୍ ଟ୍ରାକ୍ ହେଉ କି ବ୍ୟକ୍ତିଗତ ଜୀବନ ଦୌଡ଼ରାଣୀ ଦୂତି ଚାନ୍ଦ, ସବୁଠୁ ଅଲଗା, ସମସ୍ତଙ୍କଠାରୁ ଭିନ୍ନ। ଛୋଟ ବୟସରେ ଅନେକ ବଡ଼ ବଡ଼ ସାହସିକ ନିଷ୍ପତ୍ତି ନେଇ ସାରା ବିଶ୍ୱରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ। ଭାରତୀୟ ଦୌଡ଼କୁଦର ଏହି ଅପ୍ରତିଦ୍ଵନ୍ଦୀ ନାୟିକା ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ଦୌଡ଼କୁଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial