ଭୋପାଳ: ମଧ୍ୟପ୍ରଦେଶର ଶାହଦୋଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ସରକାରୀ ଡାକ୍ତରଖାନା ଆମ୍ବୁଲାନ୍ସ ସେବା ପ୍ରଦାନ କରିବାକୁ ମନା କରିବାରୁ ଜଣେ ବ୍ୟକ୍ତି ନିଜ ୧୩ ବର୍ଷୀୟା ଝିଅକୁ ମୋଟର ସାଇକେଲ୍ରେ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶାହଦୋଲଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା କୋଟା ଗାଁର ବାସିନ୍ଦା ଲକ୍ଷ୍ମଣ ସିଂ କହିଛନ୍ତି ଯେ ସୋମବାର ରାତିରେ ତାଙ୍କ ଝିଅ ମାଧୁରୀଙ୍କର ସିକ୍ଲ ସେଲ୍ ଆମେନିଆ ହେତୁ ମୃତ୍ୟୁ ଘଟିଛି। ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିଜ ଝିଅକୁ ନେବାକୁ ଏକ ଆମ୍ବୁଲାନ୍ସ ମାଗିଥିଲେ। କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ ୧୫ କିଲୋମିଟରରୁ ଅଧିକ ସ୍ଥାନ ପାଇଁ ଗାଡ଼ି ଉପଲବ୍ଧ ନାହିଁ।
ଶ୍ରୀ ଲକ୍ଷ୍ମଣ ସିଂ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ ‘ଆମେ ଡାକ୍ତରଖାନାରେ ଆମ୍ବୁଲାନ୍ସ ପାଇଁ ନିବେଦନ କରିଥିଲୁ। ମାତ୍ର୧୫ କିଲୋମିଟରରୁ ଅଧିକ ସ୍ଥାନ ପାଇଁ ଗାଡ଼ି ଉପଲବ୍ଧ ନାହିଁ ବୋଲି କହି ଆମକୁ ମନା କରି ଦିଆଗଲା। ଟଙ୍କା ଅଭାବରୁ ଆମେ ମୋ ଝିଅର ମୃତଦେହକୁ ମୋଟରସାଇକେଲରେ ନେବାକୁ ବାଧ୍ୟ ହୋଇଥିଲୁ।’ ଲକ୍ଷ୍ମଣ ସିଂ ଆହୁରି ବି କହିଛନ୍ତି ଯେ ସେ ତାଙ୍କ ଗାଁରେ ପହଞ୍ଚିବାକୁ ଆଉ ପ୍ରାୟ ୨୦ କିଲୋମିଟର ଥିବାବେଳେ ଅଧାବାଟରେ ତାଙ୍କର ଶାହଦୋଲ ଜିଲ୍ଲାପାଳ ବନ୍ଦନା ବୈଦ୍ୟଙ୍କ ସହ ଦେଖା ହୋଇଗଲା। ଅନ୍ୟ ଏକ ଗାଁ ଅଭିମୁଖେ ଯାଉଥିବା ବନ୍ଦନା ସମସ୍ତ କଥା ଜାଣିବା ପରେ ତାଙ୍କ ଝିଅକୁ ନେବା ପାଇଁ ଏକ ଗାଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲାପାଳ ପରିବାର ଲୋକଙ୍କୁ କିଛି ଆର୍ଥିକ ସହାୟତା କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମୃତ ଝିଅକୁ ବାଇକ୍ରେ ବୋହିଲେ ବାପା : ସାହାଯ୍ୟ କଲେ ଜିଲ୍ଲାପାଳ

Share Now: