ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ (୪୮)ଙ୍କ ଝୁଲନ୍ତା ମୃତଦେହକୁ ଲକ୍ଷ୍ମୀସାଗର ଥାନା ପୁଲିସ ଠାବ କରିଛି। ଲକ୍ଷ୍ମୀସାଗରସ୍ଥିତ ଭଗବାନ ଟାୱାରର ୭ମହଲାରେ ଥିବା ଶ୍ରୀ ପୁରୋହିତଙ୍କ ଫ୍ଲାଟ ନଂ-୭୦୩ରୁ ମୃତଦେହକୁ ଠାବ କରାଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତଦନ୍ତରେ କୌଣସି ପ୍ରକାର ସମସ୍ୟା ନହେବା ପାଇଁ ସେଠାରେ ପୁଲିସ ମୁତୟନ କରାଯାଇଛି। ତେବେ ସେ କେଉଁ ପରସ୍ଥିତିରେ ଆତ୍ମହତ୍ୟା କରିଛନ୍ତି, ତାହା ଏବେ ବି ଅସ୍ପଷ୍ଟ ଅଛି। ମୃତ୍ୟୁପଛର ପ୍ରକୃତ କାରଣ ପଦାକୁ ଆସିବା ପାଇଁ ସଡିଆର୍ଠାରୁ ଆରମ୍ଭ କରି ବ୍ୟବଚ୍ଛେଦ ରିପୋର୍ଟ ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ଯେଉଁମାନଙ୍କୁ ନେଇ ସନ୍ଦେହ ସୃଷ୍ଟି ହେବ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଶ୍ରୀ ପୁରୋହିତ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଧନୁର୍ଜୟ କେବଳ ମୋ ଡ୍ରାଇଭର ନଥିଲେ। ଗତ ୯ବର୍ଷ ହେବ ମୋ ରାଜନୈତିକ କଥା ବି ବୁଝୁଥିଲେ। କିଛି ବର୍ଷ ତଳେ ଏହି ଫ୍ଲାଟକୁ ମୁଁ ଭଡ଼ାରେ ନେଇଥିଲି। ସେଠାରେ ମୋର ରାଜନୈତିକ ଆଲୋଚନା ହୁଏ। ସେଠାରେ ଧନୁର୍ଜୟ ଏବଂ ଅନ୍ୟ ଷ୍ଟାଫ ରହୁନ୍ତି। ଗତ ୪ ତାରିଖ ଦିନ ମୁଁ ଦିଲ୍ଲୀ ଯିବା ସମୟରେ ତାକୁ ସମସ୍ତ ଖର୍ଚ୍ଚ ଦେଇଯାଇଥିଲି। ତେବେ ମଙ୍ଗଳବାର ଦିନ ସାଢ଼େ ୭ଟାରେ ମୋତେ ବିମାନବନ୍ଦରରୁ ନେବା କଥା। ଏଥିପାଇଁ ମୁଁ ସୋମବାର ଦିନ ସାଢ଼େ ୧ଟାରେ ତା’ ସହ କଥା ହୋଇଥିଲି। ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ କଲ୍ କରିଥିଲି। ବାରମ୍ବାର କଲ୍ ପରେ ନଉଠାଇବାରୁ ସେ ଶୋଇଥିବ ଭାବି ଆଉ କଲ୍ କଲିନାହିଁ। ସକାଳ ସାଢ଼େ ୭ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଯେତେ କଲ୍ କରିଥିଲେ ବି ସେ ଉଠାଇନଥିଲା। ତେଣୁ ମୁଁ ଅନ୍ୟମାନଙ୍କୁ କଲ୍ କରିବାକୁ କହିଥିଲି। ସେମାନଙ୍କ କଲ୍ ମଧ୍ୟ ଉଠାଇନଥିଲା। ତେଣୁ ମୋର ଜଣେ ସହଯୋଗୀଙ୍କ ଗାଡ଼ିରେ ବିମାନ ବନ୍ଦରରୁ ଆସି ଫ୍ଲାଟରେ ପହଞ୍ଚିବା ପରେ କବାଟ ଖୋଲିବା ପାଇଁ ଡାକିଥିଲେ ବି ସେ କବାଟ ଖୋଲି ନଥିଲା। ସନ୍ଦେହ ହେବାରୁ ସିକ୍ୟୁରିଟି ଗାର୍ଡ ଓ ଅପାର୍ଟମେଣ୍ଟ ସୋସାଇଟିକୁ ଜଣାଇଥିଲି। ଏହାପରେ ପୁଲିକୁ ମଧ୍ୟ ଘଟଣା ବିଷୟରେ ଜଣାଇଥିଲି। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟର ମୁଖ୍ୟ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଧନୁର୍ଜୟଙ୍କ ରୁମ୍ କବାଟ ଭିତରୁ ବନ୍ଦଥିବାରୁ ପୁଲିସ ଝରକା ବାଟେ ଦେଖିଥିଲା। ସେ ଫ୍ୟାନ୍ରେ ଝୁଲି ରହିଥିବାରୁ ପୁଲିସ ତାଙ୍କ ପରିବାରଲୋକ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲା। ପରିବାରଲୋକ ପହଞ୍ଚିବାରେ ବିଳମ୍ବ ହେବାରୁ ମୃତଦେହକୁ ଫ୍ଲାଟରେ ରଖାଯାଇଛି। ଆଜି ଅର୍ଥାତ ବୁଧବାର ଦିନ ପରିବାରଲୋକ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ସେ କୌଣସି ଚାପରେ ନଥିଲା। କାହିଁକି ଏମିତି ନିଷ୍ପତ୍ତି ନେଲା ମୁଁ ଜାଣିପାରୁନି। ପୁଲିସ ତଦନ୍ତ କରୁଛି। ସବୁ କଥା ସାମ୍ନାକୁ ଆସିଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ

Share Now: