ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଥିବା ହ୍ୱିଲର ଦ୍ୱୀପରୁ ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ରାତ୍ରକାଳୀନ ପରୀକ୍ଷଣ ବୁଧବାର ରାତିରେ କରାଯାଇଛି। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ସମସ୍ତ ମାନଦଣ୍ଡ ପୂରଣ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। “ବିକାଶ ପର୍ଯ୍ୟାୟରେ ଅଗ୍ନି ପ୍ରାଇମର ତିନୋଟି ସଫଳ ପରୀକ୍ଷଣ ପରେ ଏହା ଏହି କ୍ଷେପଣାସ୍ତ୍ରର ଏହା ପ୍ରଥମ ରାତ୍ରି ପରୀକ୍ଷଣ ଥିଲା, ଯାହାକି ଏହାର ସଠିକତା ଏବଂ ବିଶ୍ୱସନୀୟତା ଉପରେ ମୋହର ଲଗାଇଥିଲା। ଏହି କ୍ଷେପଣାସ୍ତ୍ରର ସମଗ୍ର ଯାତ୍ରାର ତଥ୍ୟ ସଂଗ୍ରହ କରିବା ପାଇଁ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି ଉପକରଣ ସମେତ ଦୁଇଟି ଜାହାଜକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା।
ଡିଆରଡିଓର ବୈଜ୍ଞାନିକ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ଶୀର୍ଷ ଅଧିକାରୀମାନେ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ଦେଖିଥିଲେ, ଯାହା ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ସଶସ୍ତ୍ର ବାହିନୀରେ ସାମିଲ କରିବାପାଇଁ ବାଟ ଖୋଲିଛି। ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ଅଗ୍ନି ପ୍ରାଇମ ଏକ ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର। ଏହାର ରେଞ୍ଜରେ ଚୀନ ସମେତ ୟୁରୋପର କିଛି ଦେଶ ଆସୁଛନ୍ତି।
ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Share Now: