ଅରୁଣାଂଚଳର ସିୟାଙ୍ଗ ନଦୀ ଜଳ ପ୍ରଦୂଷିତ

ଗୌହାଟି: ଅରୁଣାଚଳ ପ୍ରଦେଶରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ଭାବେ ବିବେଚିତ ହେଉଥିବା ସିୟାଙ୍ଗ୍‌ ନଦୀ ଏବେ ଅଚାନକ କଳା ପଡ଼ିଯାଇଛି। ଏହି ନଦୀ ଜଳ ଭୟଙ୍କର ପ୍ରଦୂଷିତ ହୋଇଯାଇଥିବାରୁ ବର୍ତ୍ତମାନର ସ୍ଥିତିରେ ଏହା ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ ବୋଲି ପ୍ରଶାସନ କହିଛି । ସିୟାଙ୍ଗ ନଦୀର ଏଭଳି ସ୍ଥିତି ପାଇଁ ଭାରତ ଚୀନ୍‌କୁ ଦାୟୀ କରିଛି। ପୂର୍ବ ସିୟାଙ୍ଗ୍‌ ଜିଲ୍ଲା ପ୍ରଶାସନ ଏହି ନଦୀ ଜଳକୁ କୌଣସି ସ୍ଥିତିରେ ବ୍ୟବହାର କରିହେବ ନାହିଁ ବୋଲି ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି। ବ୍ରହ୍ମପୁର ନଦୀର ମୁଖ୍ୟ ଶାଖାନଦୀ ହେଉଛି ସିୟାଙ୍ଗ୍‌ ଏବଂ ଏହା ତିବ୍ଦତର ଦକ୍ଷିଣାଞ୍ଚଳ ଦେଇ ୧୬୦୦ କିମି ବ୍ୟାପୀ ପ୍ରବାହିତ ହେଉଛି । ବିଶେଷଜ୍ଞମାନେ ପାଣିର ନମୁନା ଯାଞ୍ଚ ପରେ କହିଛନ୍ତି ଯେ ପାଣିରେ ସାଂଘାତିକ ଭାବେ ରାସାୟନିକ ବର୍ଜ୍ୟବସ୍ତୁ, ସିମେଣ୍ଟ ଓ କୋଇଲାଗୁଣ୍ଡ ମିଶିଛି। ଏହି ବିଷାକ୍ତ ପାଣି ଯୋଗୁଁ ନଦୀର ମାଛସବୁ ମରିଯାଉଛନ୍ତି। ସିୟାଙ୍ଗ ନଦୀ ଜଳକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯିବା ପରେ ଏବେ ପାନୀୟଜଳ ଯୋଗାଣରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି।

ଦୁଇ ମାସ ତଳେ ନଦୀ ଜଳ ଗୋଳିଆ ହେବାପରେ ଲୋକେ ଭାବିଥିଲେ ଲଗାଣ ବର୍ଷା ଯୋଗୁଁ ମାଟି ଧୋଇ ହୋଇ ଏଭଳି ସ୍ଥିତି ଉପୁଜିଛି। କିନ୍ତୁ ବର୍ଷା ବନ୍ଦ ହେବାପରେ ମଧ୍ୟ ନଦୀ ଜଳର ସ୍ଥିତିରେ ପରିବର୍ତ୍ତନ ହୋଇନଥିଲା ଏବଂ ଏହା ଦିନକୁ ଦିନ ଅତି ମାତ୍ରାରେ ଖରାପ ହୋଇଚାଲିଥିଲା। ନଭେମ୍ବର ମାସରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହି ନଦୀ ଜଳ ସଂପୂର୍ଣ୍ଣ ସଫା ରହିଥାଏ। କିନ୍ତୁ ବର୍ତ୍ତମାନର ସ୍ଥିତି ଲୋକଙ୍କ ପାଇଁ ବେଶ୍‌ ପୀଡ଼ାଦାୟକ ହୋଇଛି। ଚୀନ୍‌ରୁ ଏହି ନଦୀ ପ୍ରବାହିତ ହେଉଥିବା ବେଳେ ଏହାର ତଟରେ ଚୀନ୍‌ ସିମେଣ୍ଟ ଓ ଅନ୍ୟ କେତେକ ରାସାୟନିକ ପ୍ରକଳ୍ପ କାମ ଚଳାଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ଚୀନ୍‌ ଏହି ନଦୀର ତିବ୍ଦତ ଅଂଶକୁ ସିନ୍‌୍‌ଜିୟାଙ୍ଗ୍‌ ପ୍ରଦେଶକୁ ମୋଡ଼ିବାକୁ ଚାହୁଛି ଏବଂ ଏଥିପାଇଁ ପରିବେଶ ପ୍ରତି ଭୃକ୍ଷେପ ନକରି କେତେକ ବିପଜ୍ଜନକ ପଦକ୍ଷେପ ନେଇଛି। ନଦୀର ଗତିପଥ ବଦଳାଇବା ପାଇଁ ଚୀନ୍‌ ୧୦୦୦ କିିଲୋମିଟର ଲମ୍ବ ଏକ ସୁଡ଼ଙ୍ଗ ନିର୍ମାଣ କାମ ଚଳାଇଛି । ଏ ବାବଦରେ ଭାରତର ପ୍ରତିବାଦ ପରେ ଚୀନ୍‌ ଏହାକୁ ଅସ୍ୱୀକାର କରିଆସୁଛି। ଚଳିତ ବର୍ଷ ଚୀନ୍‌ ବ୍ରହ୍ମପୁତ୍ର ନଦୀର ଜଳ ସ୍ଥିତି ସଂପର୍କରେ ଆଗୁଆ ସୂଚନା ଭାରତକୁ ଦେଇନଥିବାରୁ ବଡ଼ ଧରଣର ବନ୍ୟା ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥିଲା। ଏବେ ସିୟାଙ୍ଗ୍‌ ନଦୀ ଜଳକୁ ସାଂଘାତିକ ପ୍ରଦୂଷିତ କରି ଚୀନ୍‌ ତା’ର ଭାରତ ବିରୋଧୀ ମାନସିକତାକୁ ଜାହିର କରୁଛି ବୋଲି ଆଲୋଚନା ହେଉଛି। ଡୋକଲାମ ବିବାଦ ଯୋଗୁଁ ଚୀନ୍‌ ବ୍ରହ୍ମପୁତ୍ର ନଦୀ ଜଳର ସ୍ଥିତି ଭାରତକୁ ଜଣାଇନଥିଲା ବୋଲି କୁହାଯାଉଛି। ଏବେ ସିୟାଙ୍ଗ୍‌ ନଦୀ ଜଳକୁ ବ୍ୟବହାର ଅନୁପଯୋଗୀ କରି ଚୀନ୍‌ ନୂଆ ଚାଲ୍‌ ଖେଳୁଛି ।

Share Now:

Kalinga News Beuro

Leave a Reply

Next Post

ଉତ୍ତର କୋରିଆ କ୍ଷେପଣାସ୍ତ୍ର ଟାର୍ଗେଟରେ ଆମେରିକା

Thu Nov 30 , 2017
ନୂଆଦିଲ୍ଲୀ : ବିଶ୍ୱ ସମୁଦାୟକୁ ଅବମାନନା କରି ଏବଂ ଜାତିସଂଘ କଟକଣାକୁ ଭୃକ୍ଷେପ ନକରି ଉତ୍ତର କୋରିଆ ପୁଣିଥରେ ଏକ ଶକ୍ତିଶାଳୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିବା ସହ ନିଜକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଘୋଷଣା କରିଛି। ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବଳୟରେ ସମଗ୍ର ଆମେରିକା ରହୁଛି ବୋଲି ଉତ୍ତର କୋରିଆ ଘୋଷଣା କରିଛି । ଏହି ନୂଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର (ହ୍ଵାସଙ୍ଗ-୧୫) ୪,୪୭୫ କି.ମି ଉଚ୍ଚତାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial