ଦିଗହରା ଦୟାୱେଷ୍ଟ୍‌ କେନାଲ୍ ପୁନରୁଦ୍ଧାର ଯୋଜନା: ସ୍ୱପ୍ନରେ ରହିଗଲା ନୌବିହାର

ଦିଗହରା ଦୟାୱେଷ୍ଟ୍‌ କେନାଲ୍ ପୁନରୁଦ୍ଧାର

ଭୁବନେଶ୍ୱର : ଦୟାୱେଷ୍ଟ୍‌ କେନାଲର ପୁନରୁଦ୍ଧାର ପାଇଁ ସରକାର ବହୁ ଯୋଜନା କରୁଛନ୍ତି। କିନ୍ତୁ ବାରମ୍ବାର ଯୋଜନା ବଦଳୁଥିବାରୁ ପରିବେଶବିତ୍‌ଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେତେବେଳେ ଏଥିରେ ନୌବିହାର ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଉଛି ତ କେତେବେଳେ ଭିତରେ ହ୍ୟୁମ୍‌ ପାଇପ୍‌ ଯୋଗେ ପାଣି ଛଡ଼ାଯାଇ ଉପରେ ପ୍ରଶସ୍ତ ରାସ୍ତା କରାଯିବ ବୋଲି ଯୋଜନା କରାଯାଉଛି। ନୂତନ ପ୍ରସ୍ତାବ ଅନୁସାରେ ଏହାକୁ ଉଭୟ କେନାଲ ଓ ରାସ୍ତା ଭାବେ ବ୍ୟବହାର କରିବାକୁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଉଛି। କିନ୍ତୁ ଆରମ୍ଭରୁ ଏହି ପ୍ରସ୍ତାବକୁ ନେଇ ବିରୋଧାଭାସ ଦେଖାଗଲାଣି। ହ୍ୟୁମ୍‌ ପାଇପ୍‌‌ରେ ପାଣି ଛଡ଼ାଗଲେ, ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବ ବୋଲି ଆଶଙ୍କା କରି ଲୋକେ ବିରୋଧ କରିବାକୁ ସଜବାଜ ହେଲେଣି। ୬୦ ଦଶକରେ ରାଜଧାନୀ ଉପକଣ୍ଠ‌ରେ ଚାଷ ଜମିକୁ ଜଳସେଚନ ପାଇଁ ପୁରୀ କେନାଲର ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ଏହି ଦୟାୱେଷ୍ଟ କେନାଲ ଖୋଳା ଯାଇଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶହ ଶହ ଏକର ଚାଷ ଜମିକୁ ଜଳସେଚନ ଏବଂ ଖରା ଦିନେ ଗ୍ରାମାଞ୍ଚଳକୁ ଜଳ ଯୋଗାଣ। ଆରମ୍ଭରୁ ଏହି କେନାଲ ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ଥିଲା। ୩୮କିମି ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲରେ କାଚକେନ୍ଦୁ ଭଳି ପାଣି ପ୍ରବାହିତ ହେଉଥିଲା। ବାରଙ୍ଗରୁ ଜଟଣୀ ପର୍ଯ୍ୟନ୍ତ ସବୁ ଗାଁର ଲୋକମାନେ ଏହି ଜଳକୁ ବ୍ୟବହାର କରୁଥିଲେ। ବର୍ଷକୁ ଲୋକେ ଦୁଇ ଦୁଇ ଥର ଧାନ ଚାଷ କରୁଥିଲେ। ଏହା ଛଡ଼ା ଗ୍ରୀଷ୍ମ ଋତୁରେ କେନାଲ କଡ଼ ଗାଁଗୁଡ଼ିକର କୂଅ, ‌ପୋଖରୀ ଓ ବୋର୍‌ୱେଲ୍‌ରେ ଗ୍ରାଉଣ୍ଡ ୱାଟର୍‌ ରିଚାର୍ଜ ହୋଇରହୁଥିଲା। ତେବେ କାଳକ୍ରମେ ରାଜଧାନୀର କଳେବର ବୃଦ୍ଧି ଏହି ସୁନ୍ଦର କେନାଲକୁ ଡ୍ରେନ୍‌ରେ ପରଣିତ କରିଦେଲା। ଯାହା ଦିନେ ଲୋକଙ୍କ ଜୀବନରେଖା ଥିଲା, ତାହା ଲୋକଙ୍କ ପାଇଁ କାଳ ହେଲା। ବାରଙ୍ଗରୁ ପଳାସୁଣି ପର୍ଯ୍ୟନ୍ତ କଳାଝରୀ, ସିଙ୍ଗଡ଼ା, ରୋକଟ, ଭୋଟପଡ଼ା ଆଦି ଗାଁର ଲୋକମାନେ ଆଉ ଆଗଭଳି ଏହି ପାଣିକୁ ବ୍ୟବହାର କରିପାରୁନାହାନ୍ତି। ପଳାସୁଣିରୁ ଜଟଣୀ ପର୍ଯ୍ୟନ୍ତ ରସୁଲଗଡ଼, ବମିଖାଲ, ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ଼, ପୁରୁଣା ଭୁବନେଶ୍ୱର, କପିଳେଶ୍ୱର ଆଦି ଗାଁର ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରୁନାହାନ୍ତି। କିଛି ଅସାଧୁ ଲୋକଙ୍କ ପାଇଁ ଏହି କେନାଲ ଆର୍ବଜନା କୁଣ୍ଡରେ ପରିଣତ ହୋଇଯାଇଥିବା ବେଳେ କିଛି ସ୍ଥାନରେ ବିଏମ୍‌ସି ପକ୍ଷରୁ ମଧ୍ୟ ଆର୍ବଜନାକୁ ଏହି କେନାଲରେ ଛାଡ଼ି ଦିଆଯାଇଛି।
କିଛି ବର୍ଷ ପୂର୍ବେ କେନାଲର ପୁନରୁଦ୍ଧାର ପାଇଁ ବଡ଼ ଯୋଜନା କରାଯାଇଥିଲା। ପଳାସୁଣିରୁ ସାମନ୍ତରାପୁର ପର୍ଯ୍ୟନ୍ତ ଏହି କେନାଲକୁ ପ୍ରାୟ ୨୦ଫୁଟ ଗଭୀର କରାଯାଇଥା’ନ୍ତା। ଏଥିରେ ବର୍ଷତମାମ୍ ସଫା ପାଣି ଚାଲିଥା’ନ୍ତା ଏବଂ ଲୋକଙ୍କୁ ଏଥିରେ ନୌବିହାର କରିବାର ସୁଯୋଗ ମିଳିଥା’ନ୍ତା। ଏନେଇ ପର୍ଯ୍ୟଟନ ବିଭାଗ ବି ବହୁ ସ୍ୱପ୍ନ ଦେଖାଇଥିଲା। କେରଳର ଆଲ୍ଲପି ସହରରେ ଯେପରି କେନାଲରେ ନୌବିହାର ହେଉଛି, ଠିକ୍‌ ‌‌ସେହି ଢାଞ୍ଚାରେ ଏଠାରେ ନୌବିହାର ହୋଇଥା’ନ୍ତା। ମାତ୍ର ଜଳସମ୍ପଦ ଓ ପର୍ଯ୍ୟଟନ ବିଭାଗର ଏହି ସ୍ୱପ୍ନ ସେମିତି ସ୍ୱପ୍ନରେ ରହିଗଲା। ଏବେ ସରକାର ଏଥିରେ ହ୍ୟୁମ୍‌ ପାଇପ୍‌ ପକାଇ ଏହି ପାଣି ଛାଡ଼ିବାକୁ ଯୋଜନା କରୁଛନ୍ତି। ତଳେ ହ୍ୟୁମ୍‌ ପାଇପ୍‌ ପଡ଼ିବ ଏବଂ ଉପରେ ଜଟଣୀ ପର୍ଯ୍ୟନ୍ତ ଏକ ରାସ୍ତା କରାଯିବ ବୋଲି ଯୋଜନା କରାଯାଇଛି। ହେଲେ ଏହାଦ୍ୱାରା ଭୂତଳ ଜଳସ୍ତର ହ୍ରାସ ପାଇବ ବୋଲି ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରସୁଲଗଡ଼ର ନିରଞ୍ଜନ ରାଉତରାୟ, ଲକ୍ଷ୍ମୀସାଗରର ବିଚିତ୍ରାନନ୍ଦ ସାହୁ, ବଡ଼ଗଡ଼ର ପ୍ରତାପ ଜେନା ପ୍ରମୁଖ ଏହି ପ୍ରସ୍ତାବକୁ ଘୋର୍‌ ବିରୋଧ କରିଛନ୍ତି। ଏହା ଦ୍ୱାରା କେନାଲ କଡ଼ ଗାଁର ସାଧାରଣ କୂଅ ପୋଖରୀ ପ୍ରଭାବିତ ହେବ ଓ ଗୋସମ୍ପଦ କ୍ଷତିଗ୍ରସ୍ତ ହେବ ବୋଲି ସେମାନେ କହିଛନ୍ତି। ତେଣୁ ସରକାର ଏହି ପ୍ରସ୍ତାବ ପରିବର୍ତ୍ତନ କରିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି। କେନାଲକୁ ଆବର୍ଜନାମୁକ୍ତ କରିବା ସହ ବର୍ଷ ସାରା ସେଥିରେ ପାଣି ଛାଡ଼ିବାକୁ ସେମାନେ ଦାବି କରିଛନ୍ତି। ସେହିଭଳି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ବର୍ତ୍ତମାନ ଦୟାୱେଷ୍ଟ କେନାଲକୁ ନର୍ଦ୍ଦମାରୁ ରକ୍ଷା କରିବା ବଡ଼ କଥା। ରାଜଧାନୀର ଭୂତଳ ଜଳସ୍ତରକୁ ବଞ୍ଚାଇ ରଖିବାକୁ ଏହି କେନାଲକୁ ଖୋଲା ରଖିବା ଜରୁରୀ। ହ୍ୟୁମ୍‌ ପାଇପ୍‌ ଯୋଜନା ନ କରି ଏଥିରେ ବର୍ଷ ସାରା ସ୍ୱଚ୍ଛ ଜଳ ପ୍ରବାହିତ କଲେ, ରାଜଧାନୀର ସୁସ୍ଥ ପରିବେଶ ରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଅସୁଲକିଆରୀ କଲ୍‌ଭର୍ଟରେ ଅଟକିଯିବ ରୁକୁଣା ରଥ : ଚିନ୍ତା ବଢ଼ାଇଛି ପୂର୍ତ୍ତ ବିଭାଗର ଦୂରଦୃଷ୍ଟି

Thu Jun 8 , 2023
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଏଣିକି ରଥଦାଣ୍ଡରେ ଗଡ଼ିବା ସହଜ ହେବ ନାହିଁ। ଦରକାର ପଡ଼ିଲେ ଅଧାବାଟରେ ଅସୁଲକିଆରୀ ଛକଠାରେ ଅଟକିଯିବ। ଆଗକୁ ଗଡ଼ିପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବ କାରଣରୁ ଭବିଷ୍ୟତରେ ଏଭଳି ସମସ୍ୟା ଉପୁଜିବ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅସୁଲକିଆରୀ ପାଖରେ ୭ ନମ୍ବର ଡ୍ରେନ୍‌ରେ ତିଆରି ହେଉଥିବା କଲ୍‌ଭର୍ଟର ଉଚ୍ଚତା ବଢ଼ିଯାଇଥିବାରୁ ରଥ […]
ଅସୁଲକିଆରୀ କଲ୍‌ଭର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial