ଅସୁଲକିଆରୀ କଲ୍‌ଭର୍ଟରେ ଅଟକିଯିବ ରୁକୁଣା ରଥ : ଚିନ୍ତା ବଢ଼ାଇଛି ପୂର୍ତ୍ତ ବିଭାଗର ଦୂରଦୃଷ୍ଟି

ଅସୁଲକିଆରୀ କଲ୍‌ଭର୍ଟ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଏଣିକି ରଥଦାଣ୍ଡରେ ଗଡ଼ିବା ସହଜ ହେବ ନାହିଁ। ଦରକାର ପଡ଼ିଲେ ଅଧାବାଟରେ ଅସୁଲକିଆରୀ ଛକଠାରେ ଅଟକିଯିବ। ଆଗକୁ ଗଡ଼ିପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବ କାରଣରୁ ଭବିଷ୍ୟତରେ ଏଭଳି ସମସ୍ୟା ଉପୁଜିବ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅସୁଲକିଆରୀ ପାଖରେ ୭ ନମ୍ବର ଡ୍ରେନ୍‌ରେ ତିଆରି ହେଉଥିବା କଲ୍‌ଭର୍ଟର ଉଚ୍ଚତା ବଢ଼ିଯାଇଥିବାରୁ ରଥ ଗଡ଼ିବାରେ ସମସ୍ୟା ହେବ ବୋଲି ସେବାୟତ ଓ ସ୍ଥାନୀୟ ମୁରବିମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ବରମୁଣ୍ଡା ଅଞ୍ଚଳରୁ ଆସିଥିବା ୭ ନମ୍ବର ଡ୍ରେନ୍‌ ଗଙ୍ଗନଗର, ଏରୋଡ୍ରମ୍ ଅଞ୍ଚଳ ଓ ନବୀନ ନିବାସ ପଛପଟ ଦେଇ ପୁରୁଣା ଭୁବନେଶ୍ୱରରେ ପଡ଼ିଛି। ଏହାପରେ ରଥରୋଡ୍‌ର ଅସୁଲକିଆରୀଠାରେ ରାସ୍ତା ପାର୍‌ ହୋଇ କେଦାରଗୌରୀ ଛକ, କୋଟିତୀର୍ଥ ରୋଡ୍‌, ଲୁଇସ୍ ରୋଡ୍‌ ଦେଇ ଗଙ୍ଗୁଆ ନାଳରେ ମିଶିଛି। ଅସୁଲକିଆରୀ ଛକଠାରେ ଏହାର କଲ୍‌ଭର୍ଟ ଦୁର୍ବଳ ହୋଇଯାଇଥିବାରୁ ନୂଆ କଲ୍‌ଭର୍ଟ ନିର୍ମାଣ କାମ ଚାଲିଛି। ଏଥିପାଇଁ ପୂର୍ତ୍ତ ବିଭାଗ ୧ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ କରୁଛି। ତେବେ କଲ୍‌ଭର୍ଟଟି ରାସ୍ତା ଉପରକୁ ପ୍ରାୟ ୨ ଫୁଟ୍‌ ଉଚ୍ଚ କରାଯାଉଛି। ତେଣୁ ଏହି ଉଚ୍ଚତାର କଲଭର୍ଟକୁ ରୁକୁଣା ରଥ କିଭଳି ଅତିକ୍ରମ କରିବ ବୋଲି ଲୋକେ ପ୍ରଶ୍ନ କଲେଣି। କଲ୍‌ଭର୍ଟ ଅନୁସାରେ ରାସ୍ତାକୁ ଉଚ୍ଚା କଲେ, ବହୁ ଲୋକଙ୍କ ଘର ବର୍ଷା ପାଣି ସହ ଡ୍ରେନ୍‌ ପାଣିରେ ବୁଡ଼ିବ। ତେଣୁ ରଥରୋଡ୍‌କୁ ପୁଣି ୨ ଫୁଟ୍‌ ଉଚ୍ଚା କରିବା ସମ୍ଭବ ହେବ ନାହିଁ। କେବଳ କଲ୍‌ଭର୍ଟ ହିଁ ଉଚ୍ଚା ହୋଇ ରହିବ। ତେଣୁ ରଥକୁ ଟାଣିଟାଣି ଏହି ଉଚ୍ଚତା ପାର୍‌ କରାଇବା କାଠିକର ପାଠ ହେବ।
ଏନେଇ ସ୍ଥାନୀୟ ସେବାୟତ ଟୁଟୁ ପଣ୍ଡା, ବରିଷ୍ଠ ସେବାୟତ ଶରତ ଚନ୍ଦ୍ର ପଣ୍ଡା କୁହନ୍ତି ଯେ ୫୦ ବର୍ଷ ପୂର୍ବରୁ ରଥ ଅଟକିଗଲେ ଟାଣିବାକୁ ହାତୀ ଆଣିବାକୁ ପଡ଼ୁଥିଲା। ତେଣୁ ଏବେ ଏହି କଲ୍‌ଭର୍ଟ ପାଇଁ ପୂର୍ବ ଅବସ୍ଥା ଉପୁଜିବ। ଏ ସମ୍ପର୍କରେ ଯୁବନେତା ମଦନ ମୋହନ ପ୍ରଧାନ କୁହନ୍ତି ଯେ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ଦୂରଦୃଷ୍ଟି ନାହିଁ। ତେଣୁ ଅଯଥାରେ କଲ୍‌ଭର୍ଟକୁ ଉଚ୍ଚା କରାଯାଇଛି। ପୂର୍ବରୁ ରାସ୍ତାରେ କୌଣସି ସମସ୍ୟା ହେଲେ, ରଥ ଗଡ଼ିପା‌ରେନାହିଁ। ପିଚୁ ଦବିଗଲେ, କିମ୍ବା ରାସ୍ତାରେ ଖାଲଖମାରେ ରଥଚକ ପଡ଼ିଗଲେ, ରଥ ଅଟକିଯାଏ। ବହୁ କଷ୍ଟରେ ରଥକୁ ଟାଣି ବାହାର କରାଯାଏ। ଏବେ ପୁଣି ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ରାସ୍ତା ମଝିରେ ବିଶାଳ ହମ୍ପସ୍‌ ଭଳି କଲ୍‌ଭର୍ଟ ରଥକୁ ଅଟକାଇବ। ଏନେଇ ପୂର୍ତ୍ତ ବିଭାଗ ଡିଭିଜନ୍‌ ୨ର ଅଧୀକ୍ଷକ ଯନ୍ତ୍ରୀ ଜଗବନ୍ଧୁ ରାଓଙ୍କୁ ପଚାରିବାରୁ ସେ କିଛି କହିନଥିଲେ।

Share Now:

Kalinga News Beuro

Next Post

ଝାରସୁଗୁଡା ଓ ସମ୍ବଲପୁରରେ ୪୫ ଡିଗ୍ରି ଟପିଲା ପାରଦ

Fri Jun 9 , 2023
ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ଏହି କ୍ରମରେ ଆଜି ଦିନବେଳେ ସମ୍ୱଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଟପିଛି। ଝାରସୁଗୁଡ଼ାରେ ୪୫.୬ ଡିଗ୍ରି […]
ଝାରସୁଗୁଡାରେ ୪୫ ଡିଗ୍ରି ଟପିଲା ପାରଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial