ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି : କେବେ ସୁଧୁରିବ ରସୁଲଗଡ଼-ପାଣ୍ଡରା ରାସ୍ତା ?

କେବେ ହେବ ରସୁଲଗଡ଼-ପାଣ୍ଡରା ରାସ୍ତା

ଭୁବନେଶ୍ୱର: ରସୁଲଗଡ଼ଠାରୁ ଜିଜିପି କଲୋନି ଦେଇ ପାଣ୍ଡରା ନିକଟ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା କାମ ବିଳମ୍ବିତ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖଯାଇଛି। ସ୍ୱରେଜ କାମ ସିନା ହେଲା, କିନ୍ତୁ ରାସ୍ତାକୁ ମରଣଯନ୍ତା କରି ଛାଡ଼ି ଦିଆଯାଇଛି। ଫଳରେ ଅଞ୍ଚଳବାସୀ ଏବେ ଧୂଳି, ଧୂସର, ଖାଲ, ଢିପ ରାସ୍ତାରେ ଘାଣ୍ଟି ହେଉଛନ୍ତି। ବର୍ଷ ବର୍ଷ ଧରି ଏହି ରାସ୍ତା ଯୋଗୁଁ ଯନ୍ତ୍ରଣା ଭୋଗୁଥିବା ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେବ କି ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଛଅ ମାସ ତଳେ ଏହି ରାସ୍ତା କାମ ପାଇଁ ଟେଣ୍ଡର୍‌ ହୋଇଥିଲେ ସୁଦ୍ଧା କାମ ଆରମ୍ଭ ହେଲା ନାହିଁ। ଏବେ ଟେଣ୍ଡର ବାତିଲ ହେବା ଯାଏ କଥା ଗଲାଣି। ରସୁଲଗଡ଼-ପାଣ୍ଡରା ରାସ୍ତା ସଂକୁଚିତ ହୋଇଯାଇଥିବାରୁ ଟ୍ରାଫିକ୍‌ ସମସ୍ୟାରେ ଲୋକେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି।
ସକାଳେ ଅଫିସ୍‌ ସମୟ ଏବଂ ସନ୍ଧ୍ୟା ସମୟରେ ଟ୍ରାଫିକ୍‌ ଜାମ୍‌ରେ ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ଅଢ଼େଇ କିଲୋମିଟର ରାସ୍ତାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ରାସ୍ତା ମଝିରେ ବିଦ୍ୟୁତ୍ ଖମ୍ବ ଥିବା ବେଳେ କିଛି ସ୍ଥାନରେ ଉଠାଦୋକାନୀ ରାସ୍ତାର ଅଧା ଯାଏ ମାଡ଼ିବସି ଅଧିକ ସଙ୍କୁଚିତ କରିଦେଉଛନ୍ତି। ଏମିତିକି ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକୁ ବି ରାସ୍ତା ମିଳିବା କଷ୍ଟକର ହୋଇପଡ଼ୁଛି। ରାସ୍ତା ସମ୍ପ୍ରସାରଣ କରିବା ସହ ଜବରଦଖଲ ଉଚ୍ଛେଦ କରାଇବାକୁ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି। ସୂଚନାନୁସାରେ ଛଅ ମାସ ତଳେ ଏହି ଅଢ଼େଇ କିମି ରାସ୍ତା କାମ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୨ କୋଟି ୨୮ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ସଂପ୍ରସାରଣ କରାଯାଇ ରାସ୍ତାର ଓସାର ୨୫ଫୁଟ୍‌ କରାଯିବ ବୋଲି କୁହାଯାଇଥିଲା। ଏଥିସହ ଦୁଇ ପାର୍ଶ୍ୱରେ ୩ ଫୁଟ୍‌ ଲେଖାଏଁ ପାଦଚଲା ରାସ୍ତା (ପେଭର ବ୍ଲକ୍‌) ମଧ୍ୟ ନିର୍ମାଣ ହେବ ବୋଲି କୁହାଯାଇଥିଲା। ଟେଣ୍ଡର ମଧ୍ୟ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ କାମ ପାଇଥିବା ଠିକାସଂସ୍ଥା ପୂର୍ତ୍ତ ବିଭାଗ ସହ ଚୁକ୍ତି କଲା ନାହିଁ। ବର୍ଷା ଯୋଗୁଁ ଠିକାସଂସ୍ଥା ଚୁକ୍ତି କରୁନାହିଁ ବୋଲି ପ୍ରଥମେ କୁହାଯାଇଥିଲା। ହେଲେ ବର୍ଷା ସରିବା ପରେ ବି ଏପର୍ଯ୍ୟନ୍ତ ଠିକାସଂସ୍ଥା ଚୁକ୍ତି କଲାନାହିଁ। ଫଳରେ ଠିକାସଂସ୍ଥାର ଟେଣ୍ଡର ବାତିଲ କରିବାକୁ ସ୍ଥିର କରାଯାଇଛି। ଏ ସମ୍ପର୍କରେ ଫାଇଲ୍‌ ପ୍ରସ୍ତୁତ ହୋଇସାରିଛି। ଏସ୍‌ଡିଓ ଅକ୍ଷୟ ମହାନ୍ତି କହିଛନ୍ତି ଠିକାସଂସ୍ଥା ଧାର୍ଯ୍ୟ ଟଙ୍କା ଡିପୋଜିଟ୍‌ କରୁନାହିଁ। ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ତୁରନ୍ତ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଉଛି। ଏବେ ଟେଣ୍ଡର୍‌ ବାତିଲ୍‌ କରାଯାଇ ପୁନର୍ବାର ଟେଣ୍ଡର କରାଯାଇ କାମ ଆରମ୍ଭ ହେବାକୁ ମାସାଧିକ ସମୟ ଲାଗିବ। ପ୍ରଥମେ ବର୍ଷାଦିନ ପୂର୍ବରୁ ରାସ୍ତା କାମ ଶେଷ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏହାପରେ ବର୍ଷା ଦିନ ପରେ ରାସ୍ତା କାମ ହେବ ବୋଲି କୁହାଗଲା। ଏବେ ପୁଣି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। ପ୍ରକୃତରେ କେବେ ରାସ୍ତା କାମ ହେବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଲୋକେ।
ଭଲ ରାସ୍ତାକୁ ମରଣଯନ୍ତା କରି ଛାଡ଼ିଦେଲେ
ବର୍ଷେରୁ ଅଧିକ ସମୟ ହେବ ଜିଜିପି କଲୋନିରେ ସ୍ୱରେଜ କାମ ଚାଲିଛି। ମନ୍ଥର ଗତିରେ ଏହି କାମ ହେଉଛି ବୋଲି ଅଭିଯୋଗ ହେଉଛି। ଗତ ତିନି ମାସରେ ମାତ୍ର ଶହେ ମିଟର କାମ ହୋଇଛି। ବର୍ଷେ ହେବ ଜିଜିପି କଲୋନିବାସୀ ସ୍ୱରେଜ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ସ୍ୱରେଜ ପାଇପ୍‌ ପକାଇବାକୁ ରାସ୍ତାର ପ୍ରାୟ ୮୦ ପ୍ରତିଶତ ଖୋଳି ଛାଡ଼ି ଦିଆଯାଉଛି। ଫଳରେ ‌କାର୍‌ ଯିବା ସମ୍ଭବ ହେଉନାହିଁ। ତେଣୁ ଅନେକଙ୍କ ଘରୁ ମାସ ମାସ ଧରି କାର୍‌ ବାହାରି ପାରିନଥିଲା। ସ୍ୱରେଜ ପାଇପ୍‌ ବିଛାଯିବା ପରେ ଠିକାସଂସ୍ଥା ରାସ୍ତା ମରାମତି କରିବା କଥା। କିନ୍ତୁ ବେପରୁଆ ଭାବେ ରାସ୍ତାକୁ ଖୋଳି ଛାଡ଼ି ଦେଉଛି ଠିକାସଂସ୍ଥା। ଫଳରେ ରାସ୍ତାସାରା ଖାଲ। ଧୂଳିରେ ଲୋକ ଯା’ଆସ କରି ପାରୁନାହାନ୍ତି। ଧୂଳି ଯୋଗୁଁ ବ୍ୟବସାୟୀଙ୍କ ସାମଗ୍ରୀ ନଷ୍ଟ ହେଉଛି। ଏ ସମ୍ପର୍କରେ ୱାଟ୍‌କୋର କନିଷ୍ଠ ଯନ୍ତ୍ରୀ ପିସି ଭୂୟାଁ କହିଛନ୍ତି ଯେ ଆଉ ତିନି ମାସ ଭିତରେ କାମ ଶେଷ ହୋଇଯିବ।

Share Now:

Kalinga News Beuro

Next Post

ଦୁଇ କଂଗ୍ରେସର ବିଧାୟକଙ୍କ ଘରେ ରେଡ : ମିଳିଲା ଟଙ୍କାର ପାହାଡ

Tue Nov 8 , 2022
ରାଞ୍ଚି: ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ସହଯୋଗୀଙ୍କ ସମେତ କିଛି ବ୍ୟବସାୟୀଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଆୟକର ବିଭାଗ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ କାରବାର ଏବଂ ପୁଞ୍ଜି ବିନିଯୋଗ ବାବଦରେ ଜାଣିବାକୁ ପାଇଛି। ଏନେଇ ଆୟକର ବିଭାଗ କହିଛି ଯେ ନଭେମ୍ବର ୪ରେ ରାଞ୍ଚି, ଗୋଡା, ବେରମୋ, ଦୁମକା, ଜାମସେଦପୁର, ଚାଇବାସା, […]
କଂଗ୍ରେସ ବିଧାୟକଙ୍କ ଘରେ ରେଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial