ନୂଆଦିଲ୍ଲୀ: ଲରେନ୍ସକୁ ଦିଲ୍ଲୀର କୌଣସି ଜେଲରେ ରଖିବାକୁ ଚାହୁନାହିଁ ପୁଲିସ। ଦିଲ୍ଲୀ କୋର୍ଟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପୁଲିସ ହେପାଜତ ଅବଧିକୁ ଆଜି ଜୁନ୍ ୧୪ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ, ଦିଲ୍ଲୀ ଜେଲ ପ୍ରଶାସନ ଏହା ସ୍ପଷ୍ଟ କରିଛି ଯେ, ଜୁନ୍ ୧୪ପରେ ଲରେନ୍ସ ବିଷ୍ଣୋଇକୁ ଦିଲ୍ଲୀର କୌଣସି ଜେଲରେ ରଖିବାକୁ ଆମେ ପ୍ରସ୍ତୁତ ନାହୁଁ। ଜେଲ ପ୍ରଶାସନର ଏଭଳି ଆବେଦନ ପରେ କୋର୍ଟ ଲରେନ୍ସକୁ ପଞ୍ଜାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିବା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଲରେନ୍ସ ବିଷ୍ଣୋଇ ଦୀର୍ଘ ସମୟ ଧରି ବଠିଣ୍ଡା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିଲା। ଏଠାରୁ ତାଙ୍କୁ ଗୁଜରାଟ ପୁଲିସ ଗିରଫ କରି ଅପରାଧିକ ମାମଲାର ତଦନ୍ତ ପାଇଁ ଗୁଜରାଟର ସାବରମତି ଜେଲକୁ ଆଣିଥିଲା। ପରେ ସେଠାରୁ ହିଁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଏକ ମାମଲା ସମ୍ପର୍କରେ ଯାଞ୍ଚ ପାଇଁ ମେ’ର ଶେଷ ସପ୍ତାହରେ ଲରେନ୍ସଙ୍କୁ ଗିରଫ କରି ଦିଲ୍ଲୀ ଆଣିଥିଲା। ଦିଲ୍ଲୀ ଅଣାଯିବା ପରେ କୋର୍ଟ ଗ୍ୟାଙ୍ଗଷ୍ଟରକୁ ରିମାଣ୍ଡରେ ପଠାଇଥିଲେ। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଲରେନ୍ସକୁ କୋର୍ଟରେ ହାଜର କରାଯାଇଥିଲା। ହାଜର ପରେ ପଚରାଉଚରା ବାକିଥିବାରୁ କ୍ରାଇମ ବ୍ରାଞ୍ଚ ଆହୁରି ଅଧିକ ସମୟ ମାଗିଥିଲେ। ଅନ୍ୟପକ୍ଷରେ ବେଶି ଦିନ ଲରେନ୍ସକୁ ଦିଲ୍ଲୀରେ ରଖି ହେବନାହିଁ ବୋଲି କୋର୍ଟକୁ ଜଣାଇଥିଲେ ଜେଲ ପ୍ରଶାସନ। ଦୁଇଟି ଆବେଦନ ପାଇବା ପରେ କୋର୍ଟ ଜୁନ୍ ୧୪ପର୍ଯ୍ୟନ୍ତ ରିମାଣ୍ଡ ଅବଧି ବଢ଼ାଇବା ସହ ଏହା ପରେ ଲରେନ୍ସକୁ ପଞ୍ଜାବର ବଠିଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଇବାକୁ ବ୍ୟବସ୍ତା କରିବା ପାଇଁ କହିଛନ୍ତି। ଗ୍ୟାଙ୍ଗଷ୍ଟର ଜେଲରେ ରହିଲେ ଗ୍ୟାଙ୍ଗୱାର ହେବାର ସମ୍ଭାବନା ଥିବାରୁ ଜେଲ ପ୍ରଶାସନ ଦିଲ୍ଲୀର କୌଣସି ଜେଲରେ ଲରେନ୍ସକୁ ନରଖିବା ପାଇଁ ଆବେଦନ କରିଥିଲେ। ସବୁଦିଗକୁ ଦେଖିବା ପରେ କୋର୍ଟ ଜୁନ ୧୪ରେ ଲରେନ୍ସକୁ ପଞ୍ଜାବ ପଠାଇବାକୁ କହିଛନ୍ତି।
ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଦିଲ୍ଲୀ ଜେଲରେ ରଖିବାକୁ ଡ଼ରୁଛି ପୁଲିସ

Share Now: