ଶାନ୍ତିପଲ୍ଲୀ ଆବାସ ଯୋଜନାରେ ଅଶାନ୍ତି ପ୍ରସଙ୍ଗ : ବିଲ୍ଡର ସଂସ୍ଥା ସୁରକ୍ଷାରେ ବିଏମ୍‌ସି, ବିଡିଏ, ପୂର୍ତ୍ତ

ଶାନ୍ତିପଲ୍ଲୀ ଆବାସ ଯୋଜନାରେ ଅଶାନ୍ତି ପ୍ରସଙ୍ଗ

ନାଳ ଉପରେ ହୋର୍ଡିଂ, ରାସ୍ତା ପାଇଁ ହଟାଇଦେଲେ ସୂଚନା ଫଳକ

ଭୁବନେଶ୍ୱର : ଓଡ଼ିଶାରେ ଚାଲିଛି କର୍ପୋରେଟ ରାଜ। କମ୍ପାନି ଇଚ୍ଛା ପୂର୍ଣ୍ଣ କରିବାକୁ ସରକାର ତତ୍ପର ଅଛନ୍ତି। ଏଭଳି ଅଭିଯୋଗ ଅନେକ ଦିନରୁ ରହିଛି, କେତେକ ପ୍ରମାଣ ମଧ୍ୟ ରହିଛି। ବିଏମ୍‌ସି ଓ ବିଡିଏର ଅଧିକାରୀ ମଧ୍ୟ ବଡ଼ ବଡ଼ ସଂସ୍ଥାଙ୍କ ଇଚ୍ଛା ପୂରଣ ପାଇଁ ଅଣ୍ଟା ଭିଡ଼ି ବସିଛନ୍ତି। ଶାନ୍ତିପଲ୍ଲୀ ଆବାସ ‌ଯୋଜନାରେ ଏଭଳି କେତେକ ପ୍ରମାଣ ଅଧିକାରୀମାନଙ୍କୁ ବିବାଦୀୟ କରିଛି। ନିଜ ପେଟ ସହ ପରିବାର ପୋଷିବା ପାଇଁ କେହି ନଳା ଉ‌ପରେ ଠେଲା ଗାଡ଼ିଟିଏ ରଖିଲେ ବିଏମ୍‌ସି/ବିଡିଏ ସଦଳବଳ ମାଡ଼ି ଆସି ଉଚ୍ଛେଦ କରୁଥିବାବେଳେ ମହର୍ଷି କଲେଜ୍‌ ରୋଡ୍‌ରେ ଏହି ପ୍ରକଳ୍ପ କଡ଼କୁ ଲାଗି ରହିଥିବା ପୂର୍ତ୍ତ ବିଭାଗର ଏକ ବଡ଼ ନଳା ଉପରେ ବିଲ୍ଡର ସଂସ୍ଥା ବଡ଼ ବଡ଼ ହୋର୍ଡିଂ ଲଗାଇଛି। ହୋର୍ଡିଂଗୁଡ଼ିକ ନଳାର ସ୍ଲାବ୍‌ରେ କ୍ଲାମ୍ପ ଜରିଆରେ ଫିକ୍ସ କରାଯାଇଛି। ଫଳରେ ହୋର୍ଡିଂ ଥାଇ ଏହି ନଳାରୁ ସ୍ଲାବ୍‌ କାଢ଼ି ସଫା କରିବା ସମ୍ଭବ ନୁହେଁ। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଏଭଳି ସ୍ଥିତି ହୋଇଛି। ଶାନ୍ତିପଲ୍ଲୀ ଆବାସ ଯୋଜନା କଡ଼ରେ ନିର୍ମାଣ ହେଉଥିବା ପ୍ରକଳ୍ପ ପାଇଁ ତିଆରି ହୋଇଥିବା ରାସ୍ତା ଏହି ନଳା ଉପରେ କଂକ୍ରିଟ୍‌ ସ୍ଲାବ୍‌ ସ୍ଥାୟୀ ଭାବରେ ନିର୍ମାଣ ହୋଇଛି। ଏହାକୁ ମଧ୍ୟ ଖୋଲି ସଫା କରିବା ସମ୍ଭବ ନୁହେଁ। ସବୁଠାରୁ ବଡ଼ କଥା ହେଉଛି, ଏହି ନାଳ କଡ଼ରେ ଥିବା ଏକ ବଡ଼ ସୂଚନା ଫଳକକୁ ଏହି ନୂଆ ପ୍ରକଳ୍ପ ପାଇଁ ଉପାଡ଼ି ଦିଆଯାଇଛି। ପୂର୍ତ୍ତ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ସୂଚନା ଫଳକକୁ ଉପାଡ଼ିଛନ୍ତି। ଏ ସମସ୍ତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଲାଗୁଛି ଯେମିତି ଅଧିକାରୀମାନେ ଏହି ବିଲ୍ଡର ସଂସ୍ଥା ପାଖରେ ମୁଣ୍ଡ ବିକି ଦେଇଛନ୍ତି।
ଆବାସ ପ୍ରକଳ୍ପର ଲାଭ ହିତାଧିକାରୀ ନେଇପାରୁନଥିବା ବେଳେ ପାଖ ଜମିରେ ସମ୍ପୃକ୍ତ ବିଲ୍ଡର ସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଘରୋଇ ପ୍ରକଳ୍ପ ପ୍ରସ୍ତୁତ କରୁଛି। ପ୍ରକଳ୍ପ ନିର୍ମାଣରେ ଯେଭଳି କିଛି ସମସ୍ୟା ହେବ ନାହିଁ ବା ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ସେ ନେଇ ବିଏମ୍‌ସି, ବିଡିଏ ଓ ପୂର୍ତ୍ତ ବିଭାଗ ଅଣ୍ଟା ଭିଡ଼ିଛନ୍ତି। ଜଳବନ୍ଦୀ ସମସ୍ୟାରୁ ନିସ୍ତାର ମିଳୁନଥିବାରୁ କୌଣସି ନଳା ଉପରେ ଜବରଦଖଲ ରହିବ ନାହିଁ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ଓ ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। କେବଳ ଘୋଷଣା କରିନାହାନ୍ତି, ଏଥିପାଇଁ ନିୟମିତ କାର୍ଯ୍ୟାନୁଷ୍ଠାନ ବି ହେଉଛି। ସ୍ବତନ୍ତ୍ର ଟିମ୍‌ ସହରସାରା ଘୂରି ବୁଲି ଛୋଟ ‌ଛୋଟ ବ୍ୟବସାୟୀଙ୍କୁ ଉଚ୍ଛେଦ କରୁଛି। କିନ୍ତୁ ସହିଦନଗର ଭଳି ଜନଗହଳୀପୂର୍ଣ୍ଣ ତଥା ଗୁରୁତ୍ବପୂର୍ଣ୍ଣ ଜାଗାରେ ଆଖିରେ ଆଙ୍ଗୁଠି ଗେଞ୍ଜିଲା ଭଳି ନଳା ଉପରେ ହୋର୍ଡିଂ ଲାଗିଥିଲେ ମଧ୍ୟ ମେୟର, କମିସନର ନିରବ ରହିଛନ୍ତି। ଘରୋଇ ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଥିବା ବେଳେ ଏପଟେ ୧୦ ବର୍ଷ ତଳୁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥଲେ ମଧ୍ୟ କାହାରିକୁ ଏହି ଘର ଏ ଯାବତ୍‌ ଦିଆଯାଇ ନାହିଁ। ଯଦିଓ ଗୋଟିଏ ବର୍ଷ ହେବ ୫୬୦ ଟି ଘର ନିର୍ମାଣ ସରିଛି। ସର୍ଭେ ପରେ ସର୍ଭେ ଚାଲିଛି, କେବଳ ତାଲିକାରୁ ନାଁ କଟା ହେଉଛି, ଯୋଡ଼ା ହେଉଛି। ଥରେ ସର୍ଭେ ହୋଇ ଯେଉଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା, ପୁଣି ଥରେ ସର୍ଭେ କରି ସେଥିରୁ ୬୦ ଜଣ ହିତାଧିକାରୀଙ୍କୁ କାଟି ନିଜ ଲୋକଙ୍କ ନାମ ଭର୍ତ୍ତି କରିଛନ୍ତି। ଯାହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିବାରୁ ଏହାକୁ ବାଣ୍ଟି ପାରୁନାହାନ୍ତି। ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶନିବାର ଦିନ ଲଟେରି ଜରିଆରେ ବିଡିଏ ହିତାଧିକାରୀ ଚୟନ କରିବାକୁ ଯାଉଛି।
ଅନ୍ୟପଟେ ଏଠାରେ ମୋଟ ୧୩୦୦ ୟୁନିଟ୍‌ ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ପିପିପି ମୋଡ୍‌ରେ ଡିଏନ୍‌ ହୋମ୍‌ସ୍‌ ସଂସ୍ଥା ଏଠାରେ ଗୃହ ନିର୍ମାଣ ଆରମ୍ଭ କରିଥିଲା। ୫୬୦ ଘର ତିଆରି କରିବାକୁ ୧୦ ବର୍ଷ ଲାଗି ଯାଇଥିଲା। ଏଥିରେ ଆଉ ୭୪୦ ଘର ନିର୍ମାଣ କରିବାକୁ ବାକି ରହିଛି। ନିର୍ମାଣ ହୋଇ ନାହିଁ। ଏଠାରେ ମୋଟ ୧୯.୩୯୫ ଏକର ଜମି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ୭.୭୯୭ ଏକର ଜମି ନିଆଯାଇଥିଲା। ପିପିପି ମୋଡ୍‌ ଚୁକ୍ତି ମୁତାବକ, ବସ୍ତି ଥଇଥାନ ପାଇଁ ଗୃହ ନିର୍ମାଣ ହେବାକୁ ଥିବା ପ୍ରଥମ ପ୍ୟାଚ୍‌ରେ ୧.୧୧୫ ଏକର ରହିଥିବା ବେଳେ ଦ୍ଵିତୀୟ ପ୍ୟାଚ୍‌ରେ ୩.୦୩୧ ଏକର ଓ ରାସ୍ତା ପାଇଁ ୧.୫୫୧ ଜମି ସଂରକ୍ଷିତ ରଖା ଯାଇଥିଲା। ପ୍ରକଳ୍ପ ପ୍ରସ୍ତୁତ କରୁଥିବା ସଂସ୍ଥାକୁ ‘ହାର୍ଟ ଅଫ୍‌ ଦି ଟାଉନ୍‌’ କୁହାଯାଉଥିବା ସହିଦନଗରରେ ୨.୧୦୦ ଏକର ଜମି ଦିଆଯାଇଥିଲା। ଆବାସ ପ୍ରକଳ୍ପ ପ୍ରସ୍ତୁତ ନ ହେଉଣୁ ସମ୍ପୃକ୍ତ ବିଲ୍ଡର ସଂସ୍ଥାକୁ ଏହି ୨.୧୦୦ ଏକର ଜାଗାରେ ମେଗା ପ୍ରୋଜେକ୍ଟ ତିଆରି କରିବାକୁ ଅତି କମ୍‌ ସମୟରେ ବିଡିଏରୁ ନିର୍ମାଣ ସ୍ୱୀକୃତି ମିଳିଯାଇଛି। ଏମିତି କିଏ ପ୍ରଚ୍ଛଦପଟ୍ଟରେ ରହିଛି ଯେ ଏକାବେଳେକେ ୩ଟି ସଂସ୍ଥା ଜନସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଲ୍ଡର ସଂସ୍ଥାର ସହଯୋଗ କରିବାକୁ ଆଗେଇ ଆସିଛନ୍ତି?

Share Now:

Kalinga News Beuro

Next Post

ଏସିଆ କପ୍ ବିଜୟ ପାଇଁ ଭାରତକୁ ୫୦ ଓଭରରେ ୫୧ ରନ କରିବାକୁ ହେବ

Sun Sep 17 , 2023
ସିରାଜ, ପାଣ୍ଡ୍ୟା ଓ ବୁମରାଙ୍କ ବୋଲିଂ ଆଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି। ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି। […]
ଭାରତକୁ ୫୦ ଓଭରରେ ୫୧ ରନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial