ଭୁବନେଶ୍ୱରରେ ମତଦାନହାର ୫୦% ଛୁଉଁନି : ଶିକ୍ଷିତ ଭୋଟରଙ୍କ ଉପରେ ନଜର

ଭୁବନେଶ୍ୱର : ରାଜଧାନୀରେ ପାଠୁଆ ତଥା ଉଚ୍ଚଶିକ୍ଷିତ ଭୋଟର ରହନ୍ତି। କିଏ ଘରୋଇ କମ୍ପାନିରେ ତ ଆଉ କିଏ ସରକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି। ଦେଶ ବିଦେଶ ବୁଲୁଛନ୍ତି। ବିଶିଷ୍ଟ ଲୋକଙ୍କ ସହ ମିଶୁଛନ୍ତି। ରାଜନୀତିକୁ ନେଇ ବଡ଼ ବଡ଼ କଥା ମଧ୍ୟ କହୁଛନ୍ତି। ସରକାର ଓ ରାଜନୀତିକୁ ନେଇ ଏଠି ଭାରି ଆଲୋଚନା। ମାତ୍ର ମତଦାନ ଅଧିକାର ସାବ୍ୟସ୍ତ କରିବା ସମୟରେ ଏମାନଙ୍କୁ ଦେଖିବାକୁ ମିଳି ନ ଥା‌ଏ। ଭୋଟଗ୍ରହଣ ଦିନ ଧାଡ଼ିରେ ଛିଡ଼ା ହୋଇ ମତଦାନ ଅଧିକାର ସାବ୍ୟସ୍ତ କରିବା ବଦଳରେ ସେମାନେ ପରିବାର ସହ ଛୁଟି କଟାନ୍ତି। ସେଥିପାଇଁ ପ୍ରତି ନିର୍ବାଚନରେ ଭୁବନେଶ୍ୱରରେ ମତଦାନହାର ସବୁଠାରୁ କମ୍‌ ରହୁଛି। ସାଧାରଣ ନିର୍ବାଚନ ହେଉ ଅଥବା ମହାନଗର ନିଗମ ନିର୍ବାଚନ, ଦୁଇ ଦଶନ୍ଧି ହେଲା ସବୁବେଳେ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏଥର ମତଦାନହାର ବଢ଼ାଇବା ଉପରେ ସବୁ ସ୍ତରରେ ଉଦ୍ୟମ ହେଉଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଥିବା ବେଳେ ରାଜ‌ନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟହାର ବଢ଼ାଇବାକୁ ଏବେଠାରୁ ଲାଗି ପଡ଼ିଲେଣି। ସହରୀ ଭୋଟର କେତେ ସଚେତନ ହେଉଛନ୍ତି ଏବଂ ମତାଧିକାର ସାବ୍ୟସ୍ତ କରିବାକୁ କେନ୍ଦ୍ରକୁ ଆସୁଛନ୍ତି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସଦ୍ୟ ସମାପ୍ତ ହୋଇଥିବା ୨୦୨୨ ମହାନଗର ନିଗମ ନିର୍ବାଚନରେ ମତଦାନ ହାର ୫୦% ଛୁଇଁପାରି ନ ଥିଲା। ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୬୭ଟି ୱାର୍ଡରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଓ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଜଣ ଅନ୍ୟାନ୍ୟ ବର୍ଗର ଥିଲେ। ମାତ୍ର ୩ ଲକ୍ଷ ୧୪ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ବେଳେ ବାକି ୪ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରି ନ ଥିଲେ। ଅର୍ଥାତ୍‌ ୪୪% ଭୋଟର ବିଭିନ୍ନ କାରଣରୁ ମତଦାନରୁ ଦୂରେଇ ରହିଥିଲେ। କେବଳ ଏହି ଗୋଟିଏ ନିର୍ବାଚନ ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱରର ୩ଟି ଯାକ ନିର୍ବାଚନମଣ୍ଡଳୀରେ ମତଦାନ ହାର କମ୍‌ ରହିଥିଲା। ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ପିଙ୍କ୍‌ ବୁଥ୍‌, ପାନୀୟ ଜଳ ସୁବିଧା, ଭୋଟରଙ୍କୁ ମତଦାନ କେନ୍ଦ୍ରରେ ଅଭିନବ ଢଙ୍ଗ‌ରେ ସ୍ବାଗତ କରାଯିବା ସତ୍ତ୍ୱେ ୩ଟି ଯାକ ନିର୍ବାଚନମଣ୍ଡଳୀର ମାତ୍ର ୪୫% ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ଅନୁରୂପ ଭାବେ ୨୦୧୪ ବିଏମ୍‌ସି ନିର୍ବାଚନ ଓ ସାଧାରଣ ନିର୍ବାଚନରେ ମଧ୍ୟ ଭୁବନେଶ୍ୱର ସହରରେ ମତଦାନହାର ୪୩.୩୦% ଥିବାବେଳେ ୨୦୦୮ରେ ୩୮.୨୯%, ୨୦୦୩ରେ ୪୮.୮% ରହିଥିଲା। ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ପ୍ରାର୍ଥୀଙ୍କ ଭରସା ଏବେ ବସ୍ତିବାସିନ୍ଦାଙ୍କ ଉପରେ ବଢ଼ିବାରେ ଲାଗିଛି। କାରଣ ବସ୍ତି ଭୋଟରଙ୍କ ମତଦାନହାର ୮୦%ରୁ ଅଧିକ ରହୁଛି। ତେଣୁ ପ୍ରାର୍ଥୀମାନେ ବସ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଚିତ୍ର କଥା ଯେ ପ୍ରାର୍ଥୀମାନେ, ଏପରିକି ସରକାର ମଧ୍ୟ ବସ୍ତିବାସିନ୍ଦାଙ୍କୁ ଗୁରୁତ୍ୱ ଦେବା ଘଟଣାକୁ ଶିକ୍ଷିତଗୋଷ୍ଠୀ ସବୁବେଳେ ସମାଲୋଚନା କରି ଆସିଛନ୍ତି।
ସାଧାରଣ ନିର୍ବାଚନରେ ଏଥର ମତଦାନହାର ବଢ଼ିବ ତ? ସଚେତନ ତଥା ଉଚ୍ଚଶିକ୍ଷିତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ବାହାରକୁ ପାଦ କାଢ଼ିବେ ତ? ନା ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ମତାଧିକାର ସାବ୍ୟସ୍ତରୁ ଦୂରେଇ ରହିବେ? ରାଜଧାନୀରେ ବହୁ ଶିକ୍ଷିତ, କର୍ମଜୀବୀ ରହୁଥିଲେ ହେଁ ସେମାନଙ୍କ ଭୋଟ୍‌ ହାର ଆଶାନୁରୂପ ହେଉ ନଥିବାରୁ ପ୍ରାର୍ଥୀଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। କେଉଁ ଭୋଟରଙ୍କ ଉପରେ ସେମାନେ ଭରସା କରିବେ ସେନେଇ ଏବେଠାରୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

Share Now:

Kalinga News Beuro

Next Post

କାର୍‌ ଉପରେ ଇସ୍ରାଏଲ୍‌ର ଏୟାର୍‌ ‌ଷ୍ଟ୍ରାଇକ୍‌ : ହମାସ ମୁଖ୍ୟଙ୍କ ୩ ପୁଅ, ୨ ନାତି ନିହତ

Thu Apr 11 , 2024
ନୂଆଦିଲ୍ଳୀ: ବୁଧବାର ଗାଜାରେ ଇସ୍ରାଏଲ କରିଥିବା ଆକ୍ରମଣରେ ହମାସର ବରିଷ୍ଠ ନେତା ଇସମାଇଲ ହାନିୟେଙ୍କ ତିନି ପୁଅ ଓ ୨ ନାତିଙ୍କ ଜୀବନ ଯାଇଛି। ଏକ କାର୍‌ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ଏୟାର୍‌ ‌ଷ୍ଟ୍ରାଇକ୍‌ରେ ଏହି ଅଘଟଣ ଘଟିଛି। ଇସ୍ରାଏଲ ବୁଧବାର ଉତ୍ତର ଗାଜା ସୀମାରେ ହୋଇଥିବା ଆକ୍ରମଣରେ ହମାସ ନେତା ଇସମାଇଲ ହାନିୟେଙ୍କ ପିଲାମାନଙ୍କୁ ହତ୍ୟା କରିଛି। ଏହି ଘଟଣା ପରେ ସଫେଇ ଦେଇ ଇସ୍ରାଏଲ କହିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial