ଆଦିବାସୀ ସମାଜର ଅଦ୍ଭୁତ ନିୟମ: ଗାଈ ପାଳିବେ, କ୍ଷୀର ଦୁହିଁବା ମନା

ଗାଈ ପାଳିବେ, କ୍ଷୀର ଦୁହିଁବା ମନା

ମାଲକାନଗିରି: ଆଧୁନିକ ଯୁଗର ଦ୍ବାହି ଦେଇ ମଣିଷ ଯେତେ ଆଗକୁ ବଢୁଥିଲେ ମଧ୍ୟ ଅନ୍ଧବିଶ୍ବାସର ଫାସରୁ ସେ ଆଦୌ ମୁକୁଳି ପାରୁନାହିଁ। କ୍ଷୀପ୍ର ଗତିରେ ଆଗକୁ ବଢିଚାଲିଥିବା ମଣିଷ ଅନେକ ସମୟରେ ପୁରୁଷ ପୁରୁଷ ଧରି ଗଢି ଆସୁଥିବା ବିଶ୍ବାସକୁ ବା ଅନ୍ଧବିଶ୍ବାସକୁ ନିଜ ଭିତରୁ ଦୂରେଇ ପାରୁନାହିଁ। ବିଶେଷକରି ଆଦିବାସୀ ସମାଜରେ ଏହାର ପ୍ରଭାବର ବହୁ ପରିମାଣରେ ଆଜି ବି ଦେଖିବାକୁ ମିଳିଛି। ଯୁଗ ସହ ତାଳ ମିଳାଇ ଚାଲୁଥିଲେ ମଧ୍ୟ ସଂସ୍କାର, ସଂସ୍କୃତି ଏବଂ ପରମ୍ପରା ଦ୍ବାହି ଦେଇ ଅନ୍ଧବିଶ୍ବାସ ପାଖରୁ ନିଜକୁ ମୁକୁଳାଇ ପାରୁ ନାହାନ୍ତି। ବିଶ୍ବାସରେ ନିଆ ଯାଇପାରୁ ନଥିଲେ ମଧ୍ୟ ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ। ସ୍ବାଭିମାନ ଅଞ୍ଚଳରେ ରହୁଥିବା ୭ଟି ପଞ୍ଚାୟତର ଗ୍ରାମବାସୀ ମାନେ ଏକ ଅଦ୍ଭୁତ ବିଶ୍ବାସକୁ ନେଇ ଆଜି ଯାଏଁ ଚଳିଆସିଛନ୍ତି। ଏହି ସାତୋଟି ପଞ୍ଚାୟତ ଅଧିନରେ ରହିଥିବା ଗ୍ରାମବାସୀ ମାନେ ନିଜ ନିଜ ଘରେ ଗାଈ ପାଳନ୍ତି। ସାଧାରଣ ଲୋକେ ଗାଈଟିଏ ପାଳିଲେ ତା’ ପାଖର କ୍ଷୀର ତଥା କ୍ଷୀରରୁ ଲହୁଣି, ଦହି ଭଳି ଦ୍ରବ୍ୟ ଆଦାୟ କରି ନିତିଦିନିଆ ଖାଦ୍ୟରେ ସାମିଲ କରିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ପଞ୍ଚାୟତ ଗୁଡିକରେ ରହୁଥିବା ଗ୍ରାମବାସୀ ମାନେ ଗାଈ ପାଳିଛନ୍ତି ସତ କିନ୍ତୁ କେହି କେବେ ମଧ୍ୟ କ୍ଷୀର ଦୁହିଁ ନଥାନ୍ତି। ରାତି ପାହିଲେ ଗାଈ ସବୁକୁ ଚରିବା ପାଇଁ ଛାଡି ଦେଇଥାନ୍ତି। ଫେରିବା ପରେ ଗାଈରୁ କ୍ଷୀର ଦୁହାଁ ହୋଇନଥାଏ। ଗାଈଟି ଯେତେ ଦୁଧିଆଳି ହେଉ ପଛକେ ତାର ପହ୍ନାରେ ହାତ ମାରିନଥାନ୍ତି। ତେବେ କାହିଁକି ଏବଂ କେଉଁ କାରଣରୁ ଏମିତି କରି ଆସୁଛନ୍ତି ଏ ସଂପର୍କରେ ସେମାନଙ୍କ ନିକଟରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ମୂଳକ ଉତ୍ତର ନାହିଁ। ତେବେ ସେମାନେ ସ୍ବୀକାର କରନ୍ତି ଯେ ପୁରୁଷ ପୁରୁଷ ଧରି ସେମାନଙ୍କର ଗ୍ରାମ ଗୁଡିକରେ ଏହା ଚାଲିଆସୁଛି।
ଅନ୍ଧବିଶ୍ବାସ ହେଉ ବା ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ହେଉ ଏହାକୁ ଏକ ବିଧିବଦ୍ଧ ନିୟମ ରୂପେ ପାଳି ଆସୁଛନ୍ତି। ଯଦିଓ ଆଧୁନିକ ସମାଜ ଏହାକୁ ଅନ୍ଧବିଶ୍ବାସ କରି ଏଡାଇ ଦେଇପାରେ। ତଥାପି ଗ୍ରାମବାସୀ ମାନେ କିନ୍ତୁ ନିଜ ବିଶ୍ବାସରୁ ଓହରି ଯିବା ପାଇଁ କୌଣସି ସମୟରେ ମଧ୍ୟ ମାନସିକସ୍ତରରେ ପ୍ରସ୍ତୁତ ନୁହଁନ୍ତି। ଏହିଭଳି ଏକ ଅଜବ ନିୟମକୁ ନେଇ ବଞ୍ଚୁଥିବା ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀ ମାନେ ବିଭିନ୍ନ ସ୍ତରରୁ କ୍ଷତି ସହୁଥିବା ପ୍ରାଣୀ ବିଶେଷଜ୍ଞ ମାନଙ୍କର ମତ। ସେମାନଙ୍କ କହିବା ଅନୁଯାୟୀ, ଆଦିବାସୀ ସଂପ୍ରଦାୟର ଲୋକ ମାନେ ସରଳ ବିଶ୍ବାସୀ ଏବଂ ଅନ୍ଧବିଶ୍ବାସକୁ ଜାବୁଡି ଧରି ବସିଛନ୍ତି। କିନ୍ତୁ ଏହାଦ୍ବାରା ସେମାନଙ୍କର ଆର୍ଥିକ ମାନଦଣ୍ଡରେ ମଧ୍ୟ ବାଧା ସୃଷ୍ଟି ହେଉଛି। କ୍ଷୀର ଦୁହିଁ ବିକ୍ରି କରିବା ଫଳରେ ସେମାନେ ଆର୍ଥିକସ୍ତରରେ ଯେଉଁଭଳି ଭାବେ ଲାଭବାନ ହୋଇଥାନ୍ତେ ସେଥିରୁ ବଞ୍ଚିତ ହେଉଛନ୍ତି। ଏକଥା ସତ ଯେ ବାଛୁରୀ ମାନେ ଯଥେଷ୍ଟ ପରିମାଣରେ କ୍ଷୀର ପିଇବାକୁ ପାଉଥିବାରୁ ସେମାନେ ହୃଷ୍ଟପୁଷ୍ଟ ହୋଇଥାନ୍ତି। କିନ୍ତୁ ଅନ୍ୟଦିଗରେ ସେମାନଙ୍କର ନିଜ ପୁଅଝିଅ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଏ ସଂପର୍କରେ ସଚେତନ କରାଇବା ନିହାତି ଜରୁରୀ। ଜିଲ୍ଲା ପ୍ରଶାସନ ମଧ୍ୟ ଏଦିଗରେ କାମ କରିବ ବୋଲି କହିଛନ୍ତି। କେବେ ଏବଂ କେଉଁ ପରିସ୍ଥିତିରେ ଏଭଳି ନିୟମ କରାଯାଇଛି ତାହା ଜଣାନଥିଲେ ମଧ୍ୟ ନିୟମକୁ କଡାକଡି ପାଳନ କରୁଥିବାରୁ ଏହାକୁ ବଦଳାଇବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଲେ ରାଜ୍ୟ ସରକାର

Sat Nov 20 , 2021
ଭୁବନେଶ୍ବର: ଆଜିଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଏନେଇ ନୂତନ ଗାଇଡଲାଇନ୍ ଜାରି କରାଯାଇଛି। ଏସବୁ ଲାଗି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପ୍ରଶାସନ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା, […]
ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial