“କଳିଙ୍ଗ ନ୍ୟୁଜ”ର ପ୍ରଭାବ : ଗୋଟିଏ ଦିନରେ ହେଲା ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଗାଁ ରାସ୍ତା

ଗୋଟିଏ ଦିନରେ ହେଲା ଡମଣା ଗାଁ ରାସ୍ତା

ଚନ୍ଦ୍ରଶେଖରପୁର: ଦୀର୍ଘ ବର୍ଷ ଧରି ଲାଗିରହିଥିବା ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଗାଁ ରାସ୍ତା ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ନେଇଛି। ଗତ ୮ ତାରିଖରେ “କେବେ ସୁଧୁରିବ ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଗାଁ ରାସ୍ତା?” ଶୀର୍ଷକ ଖବର “କଳିଙ୍ଗ ନ୍ୟୁଜ”ରେ ପ୍ରକାଶ ପରେ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ସହ ଡମଣା ଗ୍ରାମ ମୁଖ୍ୟ ରାସ୍ତାର ଉନ୍ନତୀକରଣ କରିଛନ୍ତି। ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରାସ୍ତା ନିର୍ମାଣ ହେବାକୁ ଥିବା ଜାଗା ସମସ୍ୟା ନେଇ କୌଣସି ଅସୁବିଧା ନ ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଖାଲଖମା ଥିବା ଏହି ଗାଁର କଚ୍ଚା ରାସ୍ତାକୁ ବୁଧବାର ହିଁ କଂକ୍ରିଟ୍‌ ଢଳେଇ କରାଯାଇଥିଲା। ବର୍ଷ ବର୍ଷ ଧରି ୩୦୦ ଫୁଟ୍‌ ଲମ୍ବ ଏହି ରାସ୍ତା ନିର୍ମାଣ ହୋଇପାରୁ ନ ଥିବାରୁ ଲୋକେ ହଇରାଣ ହେଉଥିଲେ। ଗୋଟିଏ ଦିନରେ ରାସ୍ତା ନିର୍ମାଣ କରାଯାଇଥିବାରୁ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି।
ସେମାନଙ୍କ କହିବାନୁଯାୟୀ ମନ୍ଦିର ଓ ପୋଖରୀର ଉନ୍ନତୀକରଣ ହୋଇଥିଲେ ମଧ୍ୟ ଅଣଓସାରିଆ ରାସ୍ତା ଏଠାରେ ସମସ୍ୟା ସୃଷ୍ଟି କରୁଥିଲା। ଜଣେ ବ୍ୟକ୍ତି କିଛି ବର୍ଷ ପୂର୍ବେ ସ୍କୁଲକୁ ଉକ୍ତ ଜାଗାକୁ ଦାନ ସୂତ୍ରରେ ଦେଇଥିଲେ ଏବଂ ଜାଗାଟି ସ୍କୁଲ ନାଁରେ ହୋଇଥିଲା। ଏବେ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବାରୁ ସେହି ଜାଗାକୁ ଫେରାଇ ନେବାକୁ ଦାବି କରି ସମ୍ପୃକ୍ତ ବ୍ୟକ୍ତିଜଣକ କୋର୍ଟର ଆଶ୍ରୟ ନେଇଥିଲେ। ଏବେ ସମସ୍ୟାର ସମାଧାନ କରାଯିବା ସହ ନୂତନ ରାସ୍ତା ନିର୍ମାଣ ହୋଇଛି। ଡମଣା ଗାଁ ରାସ୍ତା କାମ ହୋଇଥିବା ବେଳେ ଡମଣା-ଶବରସାହି-ଶ୍ରୀବିହାର-ପଟିଆ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗତକାଲି ୩ ନମ୍ବର ୱାର୍ଡ ଅନ୍ତର୍ଗତ ଡମଣା ଗାଁରେ ପହଞ୍ଚି ରାସ୍ତା କାର୍ଯ୍ୟର ତଦାରଖ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି।

Share Now:

Kalinga News Beuro

Next Post

ସ୍କାଏଟେକ୍‌ ଭିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ : ଶିଶୁପୁତ୍ର ଓ ମା’ଙ୍କ ସମେତ ୩ ଉଦ୍ଧାର

Fri Aug 11 , 2023
ଚନ୍ଦ୍ରଶେଖରପୁର: ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଇନ୍‌ଫୋସିଟି ଥାନା ନନ୍ଦନବିହାରସ୍ଥିତ ଏକ ୩ ମହଲା କୋଠା(ସ୍କାଏଟେକ୍‌ ଭିଲ୍ଲା)ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବଡ଼ କଥା ହେଉଛି, ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିଲେ ବି ଗୋଟିଏ ରୁମ୍‌ରେ ପ୍ରବଳ ଧୂଆଁ ଭିତରେ ଫସି ରହିଥିବା ଜଣେ ୬ ବର୍ଷର ଶିଶୁପୁତ୍ର, ତାଙ୍କ ମା’ ଓ ଅନ୍ୟ ଜଣେ ଏମିତି ୩ ଜଣଙ୍କୁ ଅଗ୍ନିଶମ ବାହିନୀ କୌଣସି ବଡ଼ଧରଣର […]
୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial