ସ୍କାଏଟେକ୍‌ ଭିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ : ଶିଶୁପୁତ୍ର ଓ ମା’ଙ୍କ ସମେତ ୩ ଉଦ୍ଧାର

୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ

ଚନ୍ଦ୍ରଶେଖରପୁର: ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଇନ୍‌ଫୋସିଟି ଥାନା ନନ୍ଦନବିହାରସ୍ଥିତ ଏକ ୩ ମହଲା କୋଠା(ସ୍କାଏଟେକ୍‌ ଭିଲ୍ଲା)ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବଡ଼ କଥା ହେଉଛି, ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିଲେ ବି ଗୋଟିଏ ରୁମ୍‌ରେ ପ୍ରବଳ ଧୂଆଁ ଭିତରେ ଫସି ରହିଥିବା ଜଣେ ୬ ବର୍ଷର ଶିଶୁପୁତ୍ର, ତାଙ୍କ ମା’ ଓ ଅନ୍ୟ ଜଣେ ଏମିତି ୩ ଜଣଙ୍କୁ ଅଗ୍ନିଶମ ବାହିନୀ କୌଣସି ବଡ଼ଧରଣର ଅଘଟଣ ପୂର୍ବରୁ ଉଦ୍ଧାର କରିପାରିଛି। ଏବେ ବି ଉଦ୍ଧାର ହୋଇଥିବା ମହିଳା ହସ୍ପିଟାଲରେ ଅଛନ୍ତି ଏବଂ ଅନ୍ୟମାନେ ସୁସ୍ଥ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ହେଁ ସର୍ଟସର୍କିଟ୍‌କୁ ନେଇ ସନ୍ଦେହ କରାଯାଉଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳ ପ୍ରାୟ ୬ଟା ବେଳେ ସେମାନେ ନିଆଁ ଲାଗିଥିବା କଥା ଦେଖିଥିଲେ। ସେତେବେଳକୁ ନିଆଁ ଝରକା ଡେଇଁ ବାହାରକୁ ଦେଖାଯାଉଥିଲା ଏବଂ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ତେଣୁ ପ୍ରାୟ ଘଣ୍ଟାକ ପୂର୍ବରୁ ନିଆଁ ଲାଗିଥିଲା ବୋଲି ଅନୁମାନ କରାଯାଉଛି। ଏହି କୋଠାରେ ରହୁଥିବା ଆମ୍ବାସି ହୋଟେଲ୍‌ର ମାଲିକ କୁନାଲ ଗୋସ୍ୱାମୀଙ୍କ ପରିବାର ରହୁଥିଲେ। ତେଣୁ ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏହି ଅଘଟଣ ଘଟିଥିବାରୁ ସେମାନେ ପ୍ରଥମେ ପରିବାର ଲୋକଙ୍କୁ ଉଦ୍ଧାର କରିବାକୁ ଲାଗିପଡ଼ିଥିଲେ। ମାତ୍ର ଦ୍ଵିତୀୟ ମହଲାରେ ନିଆଁ ଏମିତି ଜଳୁଥିଲା ଯେ ଭିତରକୁ ପଶିବା ସମ୍ଭବ ହେଲାନାହିଁ। ସୌଭାଗ୍ୟକୁ ଦମକଳ ବାହିନୀର ୨ଟି ଗାଡ଼ି ପହଞ୍ଚି ଯାଇଥିଲା। ସେମାନେ ବହୁ କଷ୍ଟରେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିବା ସହିତ ଶିଡ଼ି ପକାଇ କୋଠାରେ ପଶିଥିଲେ ଏବଂ ଶିଶୁ ପୁତ୍ର, ତାଙ୍କ ମା’ ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ିଥି‌ଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲକୁ ପଠାଇଦିଆଯାଇଥିଲା। ନିଆଁ ତଳ ମହଲାରୁ ଦ୍ଵିତୀୟ ମହଲାକୁ ଡେଇଁଥିଲା ବୋଲି କୁହାଯାଉଛି। ଦ୍ଵିତୀୟ ମହଲାରେ କିଚେନ୍‌, ଡାଇନିଂ ହଲ୍‌ ଓ ବେଡ୍‌ ରୁମ୍‌ ପୂରା ପାଉଁଶ ଗଦା ହୋଇଯାଇଛି। ତେବେ ଦ୍ଵିତୀୟ ମହଲାରେ ନିଆଁ ଲାଗିବା ପରେ ବିକଳରେ ମହିଳା ତାଙ୍କ ଶିଶୁପୁତ୍ରକୁ ନେଇ ଗାଧୁଆ ଘରେ ପଶିଯିବାରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଗାଧୁଆ ଘର ଝରକା ବାଟେ ସେ ଡାକ ପକାଇବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ତାଙ୍କୁ ଦେଖିଥିଲେ ଏବଂ ଶିଡ଼ି ପକାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଓ ବିପନ୍ନଙ୍କୁ ଉଦ୍ଧାର କଲା ବେଳେ ଅଗ୍ନିଶମ ବାହିନୀର ୨ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

Fri Aug 11 , 2023
ଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟ ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି। ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ […]
ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial