କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ

କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍

ଆରକେଏସ୍‌ ବୈଠକରେ ନିଷ୍ପତ୍ତି,ସ୍ଥାନାନ୍ତର ହେବ ହସ୍ପିଟାଲ ଫାଣ୍ଡି

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଥିବା ପୁଲିସ ଫାଣ୍ଡି ଅନ୍ୟତ୍ର ସ୍ଥାନାନ୍ତର ହେବ। ଫାଣ୍ଡିଟି ଏବେ ହସ୍ପିଟାଲର ଗୃହରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ। ସାଇକେଲ ଷ୍ଟାଣ୍ଡ ନିକଟରେ ୨ ମହଲା ବିଶିଷ୍ଟ ଫାଣ୍ଡି ନିର୍ମାଣ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଟଙ୍କା ଦିଆଯାଇଥିବା ଓ ପୂର୍ବରୁ ଚାଲିଥିବା ଫାଣ୍ଡି ପାଇଁ ଜାଗାର ଅଭାବ ଯୋଗୁଁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ସଦସ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ପାଇଁ ହସ୍ପିଟାଲର ଆରକେଏସ୍‌ ବୈଠକ ବାଧାପ୍ରାପ୍ତ ହୋଇଥିଲା। ମାତ୍ର ଚଳିତବର୍ଷ ଶେଷ ହେବା ପୂର୍ବରୁ ହସ୍ପିଟାଲ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ହସ୍ପିଟାଲ ପରିସରରେ ଏକ ୨ଶହ ଶଯ୍ୟା ବିଶିଷ୍ଟ ରୋଗୀ ଆଶ୍ରୟସ୍ଥଳ ନିର୍ମାଣ ଲାଗି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସଂପର୍କୀୟମାନେ କୌଣସି ସମସ୍ୟାର ସମୁଖୀନ ହେବେ ନାହିଁ। ରୋଗୀ ଆଶୟସ୍ଥଳରେ ମାଗଣ‌ାରେ ରହିପାରିବେ। ଆସନ୍ତା ୨ମାସ ଭିତରେ ଏହା ନିର୍ମାଣ ହେବ। ତେବେ କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ଦୀର୍ଘଦିନର ରହିଥିବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ପିଜି ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇ ସାରିଛନ୍ତି। ତେଣୁ ଖୁବଶୀଘ୍ର ହସ୍ପିଟାଲରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଡିପ୍ଲୋମା ପାଠ୍ୟକ୍ରମ ଦିଆଯାଉଥିଲା। ସେହିପରି ହସ୍ପିଟାଲରେ ଏକ ମଡ୍ୟୁଲାର ଓଟି ପାଇଁ ବିମାନ ବନ୍ଦର କର୍ତୃପକ୍ଷ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତେଣୁ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାସହ ହସ୍ପିଟାଲରେ ମଡ୍ୟୁଲାର କିଚେନ୍ ନିର୍ମାଣ ହେବ। ଏଥିପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯାହାଫଳରେ ହସ୍ପିଟାଲରେ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହୋଇପାରିବ। ଏହାସହ ହସ୍ପିଟାଲରେ କୋଭିଡ୍‌ ଆଇସିୟୁ ନିର୍ମାଣ କାର୍ଯ୍ୟ ‌ଶେଷ ହୋଇ ସାରିଥିଲେ ହେଁ, ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ହୋଇପାରି ନାହିଁ। ପ୍ଲାଣ୍ଟ ପ୍ରତିଷ୍ଠା ହେବା ସ୍ଥାନ ଜବରଦଖଲରେ ରହିଛି। ଜବରଦଖଲ ଉଚ୍ଛେଦକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। କିଭଳି ଜବରଦଖଲ ହଟିବ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ହସ୍ପିଟାଲ ପରିସରରେ ଥିବା ୟୁଟିଲିଟି କମ୍ପ୍ଲେକ୍ସକୁ ସଂପ୍ରସାରିତ କରିବା ଲାଗି ଯୋଜନା କରାଯାଇଛି। ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ହସ୍ପିଟାଲ ନିର୍ଦେଶକ, ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧି ଓ ଅନ୍ୟମାନେ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ନିୟମିତ ହେବେ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ

Tue Dec 29 , 2020
ସଂଶୋଧିତ ହେଲା ସ୍ବାସ୍ଥ୍ୟକର୍ମୀଙ୍କ ଚାକିରି ସଂକ୍ରାନ୍ତୀୟ ଦୁଇଟି ନିୟମ ଆୟୁର୍ବେଦିକ୍‌ ଭେଷଜ ପ୍ରବର୍ତ୍ତନ ସେବା ନିୟମାବଳୀରେ କ୍ୟାବିନେଟ୍‌ ମୋହରଭୁବନେଶ୍ବର : ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ଉଭୟ ପୁରୁଷ ଓ ମହିଳା)ଙ୍କୁ ନିୟମିତ କରିବା ପାଇଁ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସେମାନଙ୍କ ଚାକିରି ସଂକ୍ରାନ୍ତୀୟ ଦୁଇଟି ନିୟମରେ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ବର୍ତ୍ତମାନ ପ୍ରଚଳିତ ନିୟମାବଳୀ ଅନୁଯାୟୀ ସ୍କିମ୍ ଦ୍ବାରା ନିଯୁକ୍ତ ଠିକା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ(ପୁରୁଷ […]
ବହୁମୁଖୀ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟମିତ କରାଯିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial