ଡେରାସ ଏମ୍‌ଆଇ ପ୍ରକଳ୍ପ କେନାଲ ଜବରଦଖଲ ପ୍ରସଙ୍ଗ: ଚାଷଜମିକୁ ପାଣି ଛାଡ଼ି‌ଲେ ସାଂସଦ

ଚାଷଜମିକୁ ପାଣି ଛାଡ଼ି‌ଲେ ସାଂସଦ

ଅଭିଯୋଗ ସତ ବୋଲି ସରକାର ପ୍ରମାଣ କଲେ, କେନାଲ ଖୋଳା ଚାଲିଛି

ଭୁବନେଶ୍ୱର : ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇ) କେନାଲ ଜବରଦଖଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସଫଳତା ମିଳିଛି। ସାଂସଦଙ୍କ ବାରାମ୍ବାର ତାଗିଦ ପରେ ରାଜ୍ୟ ସରକାର ଜବରଦଖଲରେ ଥିବା ଏହି କେନାଲ୍‌ ଖୋଳିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ୩ଦିନ ହେଲା ଜଳସେଚନ ବିଭାଗ ଏହି କେନାଲ୍‌କୁ ଖୋଳୁଛି। କେନାଲ୍‌ର ଲମ୍ବା ୧୮୫୦ ମିଟର ରହିଥିବା ବେଳେ ଏ ପର୍ଯ୍ୟନ୍ତ ୧୭୦୫ ମିଟର ଖୋଳା ସରିଛି। ଆସନ୍ତା ୨୬ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କେନାଲ୍‌ ଜବରଦଖଲ ମୁକ୍ତ ହେବ। ଆଜି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ନଡ଼ିଆ ଭାଙ୍ଗି ଚାଷଜମିକୁ ପାଣି ପ୍ରବେଶ କରାଇଛନ୍ତି। ଜବରଦଖଲକାରୀ ତଥା ଜମି ମାଫିଆଙ୍କ କବଳରୁ ଏହି ‌କେନାଲ୍‌ ମୁକ୍ତ କରିବାକୁ ଦୀର୍ଘ ୨ ବର୍ଷ ସଂଘର୍ଷ କରିବାକୁ ପଡ଼ିଥିବା ସାଂସଦ କହିଛନ୍ତି। ତେବେ କେବଳ କେନାଲ୍‌ ଖୋଳିଲେ ହେବ ନାହିଁ, ଏଠାରେ କିରୁଥିକା ପ୍ରଭାକରନ୍‌ ତାରବାଡ଼ କରିବା ସହ ଏକ ବଡ଼ ଗେଟ୍‌ ଲଗାଇଛନ୍ତି। ଫଳରେ ଏହା ଭିତରେ ଥିବା ଘରୋଇ ଜମିକୁ ମାଲିକମାନେ ଆସି ପାରୁ ନାହାନ୍ତି କିମ୍ବା କେନାଲ୍‌ ମରାମତି ପାଇଁ ଏହା ଭିତରେ ପ୍ରବେଶ କରିବା ସମ୍ଭବ ହେଉନାହିଁ। ଏ ସବୁକୁ ହଟାଇ ଭିତରକୁ କିଭଳି ଅବାଧ ପ୍ରବେଶ କରିହେବ ସେ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ହୋଇଛି। ଆସନ୍ତା ୨୮ ତାରିଖ ଦିନ ଜିଲ୍ଲାପାଳ ଏ ନେଇ ସୂଚନା ଦେବେ ବୋଲି ସାଂସଦ କହିଛନ୍ତି।
ଉଲ୍ଲେଖନୀୟ ଯେ ଏହି ଅଞ୍ଚଳରେ ୧୫୦ ଏକର ଚାଷଜମିକୁ କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ। ଏହି ଜମି ଭିତରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜଳସେଚନ ପାଇଁ ଆସିଥିବା କେନାଲ୍‌ ରହିଛି। ଫଳରେ ୨ ବର୍ଷ ହେଲା ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମର ୩୦୦ ଏକର ଚାଷ ଜମି ଜଳସେଚିତ ହୋଇ ପାରୁନଥିଲା। ୨ବର୍ଷ ଧରି ଏଭଳି ଲାଗି ରହିବା ପରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ। କିନ୍ତୁ କୌଣସି ଉତ୍ତର ଆସିନଥିଲା। ଶେଷରେ ସାଂସଦ ନିଜେ ଗତ ୯ତାରିଖରେ କେନାଲ୍‌ ଖୋଳିଥିଲେ। ଏହା ପରେ ସରକାରୀ ତତ୍ପରତା ପ୍ରକାଶ ପାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ଚିଠି ଲେଖି କେନାଲ୍‌କୁ ଜବରଦଖଲ ମୁକ୍ତ କରିବାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ। ଏଣେ ସାଂସଦ କିରୁଥିକାଙ୍କୁ ମିଛରେ ବଦନାମ କରୁଥିବା ଉଲ୍ଲେଖ କରି ତାଙ୍କ ଓକିଲ ସାଂସଦଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍‌ କରିଥିଲେ। ହେଲେ ସାଂସଦ କ୍ଷମାପ୍ରାର୍ଥନା କରିନଥିଲେ, ବରଂ କେନାଲ୍‌କୁ ଜବରଦଖଲ ମୁକ୍ତ କରିବାର ପ୍ରୟାସ ଜାରି ରଖିଥିଲେ। ଶେଷରେ ସାଂସଦଙ୍କ ଅଭିଯୋଗ ସତ ବୋଲି ସ୍ୱୟଂ ସରକାର ପ୍ରମାଣ କରିଛନ୍ତି।

Share Now:

Kalinga News Beuro

Next Post

ଏନଡିଏରୁ ଅଲଗା ହେଲା ଏଆଇଏଡିଏମକେ : ବିଜେପିକୁ ଝଟକା

Mon Sep 25 , 2023
ମୁମ୍ବାଇ: ତାମିଲନାଡୁରେ ବିଜେପିକୁ ଝଟକା ଲାଗିଛି। ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ମେଣ୍ଟ ଭାଙ୍ଗିବାକୁ ଔପଚାରିକଭାବେ ଘୋଷଣା କରିଛି। ସୋମବାର ବସିଥିବା ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର […]
ଏନଡିଏରୁ ଅଲଗା ହେଲା ଏଆଇଏଡିଏମକେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial