ମାସେ ଗଲାନି ନଦୀବନ୍ଧ : କଂକ୍ରିଟ କାନ୍ଥ ଫାଟି ଆଁ

ନଦୀବନ୍ଧ ମାସେ ଗଲାନି

ସିମେଣ୍ଟ ବୋଳି ଲୁଚାଇବାକୁ ଉଦ୍ୟମ

କେନ୍ଦ୍ରାପଡ଼ା : କାମ ସରିବାର ମାତ୍ର ବର୍ଷକ ମଧ୍ୟରେ ସାଢେ ଚାରିକୋଟିର ଡେରାବିଶ ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ବିଭାଗୀୟ କର୍ତୃପକ୍ଷ ଘଟଣାକୁ ମିଳିମିଶି ଚାପି ଦେବାକୁ ଜୋରସୋର‌୍‌ ଉଦ୍ୟମ ଚଳାଇଥିବାବେଳେ ଏବେ ଆଉ ଏକ ଅତ୍ୟନ୍ତ ନିମ୍ନମାନର କାମ ସାମ୍ନାକୁ ଆସିଛି। ନିର୍ମାଣକୁ ମାସେ ପୂରିନି, ନଦୀବନ୍ଧ କଂକ୍ରିଟ କାନ୍ଥ(ଗାର୍ଡ ୱାଲ‌) ଦବିଯିବା ସହ ଫାଟି ଆଁ କରିଛି। ଡେରାବିଶ ବ୍ଲକ୍‌ ଇନ୍ଦାଳୋ ପଞ୍ଚାୟତ ପୁରୁଷୋତ୍ତମ ଗାଁରେ ଏଭଳି ଉପରଠାଉରିଆ କାମ ଦେଖିବାକୁ ମିଳିଛି। ଲୁଣା-କରାଣ୍ତିଆ ଦ୍ବୀପାଞ୍ଚଳରେ ପୁରୁଷୋତ୍ତମପୁର ଗାଁ ଅବସ୍ଥିତ। ଗୋଟିଏ ପଟେ ମହାନଦୀର ଶାଖା ଲୁଣା ନଦୀ ବହି ଯାଇଥିବା ବେଳେ ଅନ୍ୟପଟେ କରାଣ୍ତିଆ ପ୍ରବାହିତ। ମଝିରେ ପୁରୁଷୋତ୍ତମପୁର ଗାଁ ଥିବାରୁ ସୁରକ୍ଷା ପାଇଁ କରାଣ୍ତିଆ ନଦୀବନ୍ଧା ସୁଦୃଢ଼ୀକରଣ ପାଇଁ କଂକ୍ରିଟ କାନ୍ଥ, ପଥର ପ୍ୟାକିଂ କାମ କରାଯାଇଥିଲା। ମୋଟ୍‌ ୨୦ଲକ୍ଷ ଟଙ୍କା ବ୍ୟୟରେ ଗାଁରେ ହୋଇଥିବା ଏହି କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ୪୦ମିଟର କଂକ୍ରିଟ କାନ୍ଥ, ୮୪ମିଟର କେନାଲ୍‌ କାମ ସହ ପଥର ପ୍ୟାକିଂ କାମ ହୋଇଛି। କଂକ୍ରିଟ‌ ଢଳେଇ ସରିଯାଇଥିଲେ ବି କାମ ଏତେ ନିମ୍ନମାନର ହୋଇଛି ଯେ ଗୋଟିଏ ପାର୍ଶ୍ବର ୧୫ମିଟର‌୍‌ର କିଛି ଅଂଶ ଦବିଯିବା ସହ ଫାଟିଯାଇଛି। କେବଳ ସେତିକି ନୁହେଁ, ଯେଉଁ ପଥର ପ୍ୟାକିଂ ହୋଇଛି, ତାହା ବି ଖସିପଡ଼ିଛି। ତଳ ମଜବୁତ୍‌ କରାନଯାଇ ଉପରଠାଉରିଆ ଭାବେ କମ୍‌ ଭାଗରେ ଢଳେଇ କାମ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗାଁର ଅଲେଖ ମହାନ୍ତି, ଅଜୟ ମହାନ୍ତି, ଶିଶିର ମହାନ୍ତି, ସୁଦାମ ମହାନ୍ତି, ରମାକାନ୍ତ ମହାନ୍ତି ପ୍ରମୁଖ ଆଶଙ୍କା ପ୍ରକଟ କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କ ପାଖେ ଘଟଣାର ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷରେ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାନ୍ତି କଂକ୍ରିଟ‌ କାନ୍ଥ ଦବିବା ସହ ଫାଟିଯିବା କଥାକୁ ସ୍ବୀକାର କରିଛନ୍ତି। କହିଛନ୍ତି, କାମ ଏଯାଏ ସରିନାହିଁ। ଆହୁରି ବାକି ଅଛି। ଯେଉଁ ଜାଗା ଫାଟିଛି, ତାକୁ ପୁଣି ଥରେ ତଡ଼ାଯାଇ କାମ ହେବ। ଠିକାଦାରଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଏ ସମସ୍ତଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପ୍ରଶାସନ ଓ ସରକାରଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

କଲାମ୍ ଦ୍ବୀପରୁ ହାଇପରସୋନିକ‌ ଗତିଶୀଳ ଯାନ ପରୀକ୍ଷଣ ଆଜି

Mon Sep 7 , 2020
ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍‌ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ହାଇପରସୋନିକ୍‌ ଗତିଶୀଳଯାନ (ଏଚ୍‌ଏସ୍‌ଟିଡିଭି/ହାଇପରସୋନିକ୍‌ ଟେ‌କ୍ନୋଲୋଜି ଡେମୋନ୍‌ଷ୍ଟ୍ରେସନ୍‌ ଭେହିକିଲ୍‌) ପରୀକ୍ଷଣ ପାଇଁ ପ୍ରସ୍ତୁତି ହୋଇଛି। ପାଗ ଅନୁକୂଳ ରହିଲେ ଆସନ୍ତାକାଲି କିମ୍ବା ତା’ ପରଦିନ ଧାର୍ଯ୍ୟ ସମୟରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି। ଏଚ୍‌ଏସ୍‌ଟିଡିଭିର ସଫଳ ପରୀକ୍ଷଣ ପରେ ଡିଆରଡିଓ ସଫଳତାର ଆଉ ଏକ […]
ହାଇପରସୋନିକ୍‌ ଗତିଶୀଳ ଯାନ ପରୀକ୍ଷଣ ଆଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial