ନିଉଜିଲାଣ୍ଡ : ନିଉଜିଲାଣ୍ଡର ସାଉଥ୍ ଆଇଲ୍ୟାଣ୍ଡ ଉତ୍ତରକୁ ଥିବା ତାସମାନ୍ ଉପସାଗରରେ ରହିଥିବା ଏହି ପଥର ହେଉଛି ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣର ବିନ୍ଦୁ। ସ୍ଥାନୀୟ ଭାଷାରେ ‘ତୋକାଙ୍ଗାୱା’ ନାମରେ ପରିଚିତ ଏହି ପଥରଟି ଏକ ସେଓକୁ ମଝିରୁ ଦୁଇଫାଳ କଲା ଭଳି ଆକୃତି ଧାରଣ କରିଛି। କୈଟେର୍ଟରି ଓ ମାରାହାଉ ଉପକୂଳ ମଧ୍ୟରେ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଏହି ବିଚିତ୍ର ପଥରଟି ଦୁଇ କୋଟି ବର୍ଷ ତଳେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ। ଏହି ପଥରରେ ଫାଟ ସୃଷ୍ଟି ହେବା ପ୍ରକ୍ରିୟା ହିମ ଯୁଗରେ ସଂଘଟିତ ହୋଇଥିବା ଅନୁମାନ କରାଯାଏ।
ତେବେ ନିଉଜିଲାଣ୍ଡର ଏହା ସର୍ବପୁରାତନ ଘଟଣା ଭାବେ ବିବେଚିତ। ଏକ ପାରମ୍ପରିକ ମାଓରି ଲୋକକଥା ଅନୁଯାୟୀ, ଏହାର ମାଲିକାନା ପାଇଁ ଦୁଇ ଜଣ ଦେବତାଙ୍କ ମଧ୍ୟରେ କଳହ ଯୋଗୁଁ ସେମାନେ ତାହାକୁ ଏପରି ଫାଳ କରିଦେଇଥିଲେ। ତେବେ ବୈଜ୍ଞାନିକ ମତବାଦ ଅନୁଯାୟୀ, ‘ଆଇସ୍ ୱେଜିଂ’ ନାମକ ଏକ ପ୍ରାକୃତିକ ପ୍ରକ୍ରିୟାରେ ତାହା ଫାଳ ହୋଇଛି। ସଂପୃକ୍ତ ଅଞ୍ଚଳର ତାପମାତ୍ରା ହ୍ରାସ ପାଇବାରୁ ପଥର ଫାଟ ଦେଇ ଭିତରକୁ ପଶିଥିବା ପାଣି ବରଫରେ ପରିଣତ ହୋଇଥିଲା ଏବଂ ତାହା ମଝିରେ ଥିବା ଫାଟକୁ ବୃଦ୍ଧି କରିଚାଲି ଏହା ଦୁଇଫାଳ ହୋଇଛି। ସମୁଦ୍ରରେ ନିମ୍ନ ଜୁଆର ଥିଲା ବେଳେ ଏହି ବିଭାଜିତ ଶିଳାଟି ଅଗଭୀର ପାଣିରେ ରହିଥାଏ ଏବଂ ସେତିକିବେଳେ ପର୍ଯ୍ୟଟକମାନେ ତାହା ପାଖକୁ ଯାଇ ଛୁଇଁବାର ସୁଯୋଗ ପାଇଥାନ୍ତି।
ଦୁଇ କୋଟି ବର୍ଷ ତଳର ବିଭାଜିତ ସେଓ ପଥର

Share Now: