କାଲିଫର୍ଣ୍ଣିଆ: ତାଲିବାନର ଆତଙ୍କରୁ କୁନି ପୁଅକୁ ବଞ୍ଚାଇବାକୁ ଆମେରିକୀୟ ସୈନ୍ୟଙ୍କ ହାତକୁ ବଢ଼ାଇଦେଇଥିଲେ ବାପା-ମା। ତେବେ କାବୁଲ ବିମାନବନ୍ଦରର କାନ୍ଥରୁ ନିଆଯାଇଥିବା ଏହି ଶିଶୁ ଗତ ତିନି ମାସ ହେବ ନିଖୋଜ ଅଛି। ଶୁକ୍ରବାର ଏହା ସାମ୍ନାକୁ ଆସିଛି। ଏହାକୁ ନେଇ ଆମେରିକାର ବୈଦେଶିକ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେମାନେ ପ୍ରାୟ ୫ ମାସର ସୋହେଲ ଅହମ୍ମଦଙ୍କୁ ଖୋଜୁଛନ୍ତି। ଅଗଷ୍ଟରେ, ଯେତେବେଳେ ଶିଶୁର ସମ୍ପର୍କୀୟମାନେ ତାଙ୍କୁ ଆମେରିକୀୟ ସୈନ୍ୟଙ୍କ ହାତକୁ ଦେଇଥିଲେ, ସେତେବେଳେ ତାଙ୍କୁ ମାତ୍ର ଦୁଇ ମାସ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ଶିଶୁଟିକୁ ଖୋଜିବା ପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଅନ୍ତର୍ଜାତୀୟ ନିଖୋଜ ତଥା ଶୋଷିତ ଶିଶୁ (ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ମିସିଙ୍ଗ ଆଣ୍ଡ ଏକସପ୍ଲଇଟେଡ଼ ଚିଲଡ୍ରେନ) ମାଧ୍ୟମରେ ଶିଶୁର ଅନୁସନ୍ଧାନ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ଶିଶୁର ପିତା ମିର୍ଜା ଅଲି ଅହମ୍ମଦ ଆମେରିକାର ଦୂତାବାସରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଅହମ୍ମଦ ଏବଂ ତାଙ୍କ ପତ୍ନୀ ସୁରୟା ସେମାନଙ୍କ ପାଞ୍ଚ ପିଲାଙ୍କ ସହ ଅଗଷ୍ଟ ୧୯ରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେହି ସମୟରେ କାବୁଲ ବିମାନବନ୍ଦରରେ ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ଲୋକଙ୍କର ଭିଡ଼ ଜମିଥିଲା। ଏହି ସମୟରେ ଅହମ୍ମଦ ତାଙ୍କ ଶିଶୁକୁ ଆମେରିକୀୟ ସୈନିକଙ୍କ ହାତରେ ଧରାଇଦେଇଥିଲେ। ସୋହେଲ ଅହମ୍ମଦଙ୍କ ମା ସୁରୟା କହିଛନ୍ତି ଯେ କେବଳ ସେ ନୁହଁନ୍ତି ଯିଏ ନିଜ ପିଲାମାନଙ୍କୁ ଆମେରିକାର ସୈନିକଙ୍କୁ ଦେଇଥିଲେ। ଅହମ୍ମଦ ଏବଂ ସୁରୟା କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ନିଜ ପିଲା ବିଷୟରେ କୌଣସି ସୂଚନା ପାଇନାହାଁନ୍ତି। ପ୍ରଥମେ ଆମକୁ ସୂଚନା ଦିଆଯାଇଥିଲା ଯେ ପିଲାଟି କତାରରେ ପହଞ୍ଚିଯାଇଛି। ସୋହେଲ ଅହମ୍ମଦଙ୍କ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟ କତାର ଦେଇ ଆମେରିକାର ଟେକ୍ସାସରେ ପହଞ୍ଚିଛନ୍ତି। ସେବେଠାରୁ ପରିବାର ଆଶା କରିଛନ୍ତି ଯେ ସୋହେଲକୁ ସେମାନେ ଶୀଘ୍ର ଭେଟିବେ।
ଦୁଇ ମାସର ଶିଶୁକୁ ଆମେରିକା ସୈନ୍ୟଙ୍କ ହାତକୁ ବଢ଼ାଇଦେଇଥିଲେ ବାପା-ମା : ପୁଅର ମିଳୁନି ଖବର

Share Now: