ବେଜିଂ : ସମଗ୍ର ବିଶ୍ବ କୋଭିଡ ମହାମାରୀରୁ ପ୍ରାୟତଃ ମୁକ୍ତ ହୋଇଯାଇଥିବାବେଳେ ଚୀନରେ ଏବେ ବି କୋଭିଡ୍ ସଂକ୍ରମଣ ବଢିଚାଲିଛି। ଦେଶକୁ କୋଭିଡମୁକ୍ତ କରିବାକୁ ଚୀନ ସରକାର କଠୋର କଟକଣା ଲାଗୁ କରୁଛନ୍ତି। କିନ୍ତୁ ବାରମ୍ବାର କଠୋର ଲକଡାଉନରେ ରହି ରହି ଚୀନର ଲୋକମାନେ ବିରକ୍ତ ହୋଇଗଲେଣି। କଠୋର ଲକଡାଉନ ଓ ସରକାରୀ କର୍ମଚାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସାଧାରଣ ଲୋକମାନେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରିବା ଆରମ୍ଭ କରିଛନ୍ତି। ମଙ୍ଗଳବାରଦିନ ଚୀନର ଗୁଆଙ୍ଗଡଙ୍ଗ ସହରରେ ଲୋକମାନେ ସରକାରଙ୍କ କଠୋର କଟକଣା ବିରୋଧରେ ହିଂସାତ୍ମକ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡକୁ ଭାଙ୍ଗିବା ସହ ରାସ୍ତାରେ ଥିବା ଗାଡ଼ିଗୁଡ଼ିକୁ ଓଲଟାଇ ଦେଇଥିଲେ। ଗୁଆଙ୍ଗଡଙ୍ଗର ହାଇଜୁ ଡିଷ୍ଟ୍ରିକ୍ଟରେ ଏହି ଆନ୍ଦୋଳନ ହୋଇଥିବା ଜଣାଯାଇଛି। ଗୋଟିଏ ଟେକ୍ସଟାଇଲ କାରଖାନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ତାହାକୁ ସିଲ କରିଦିଆଯାଇଥିଲା। ଭିତରେ ଶ୍ରମିକ ଓ କର୍ମଚାରୀମାନେ ଥିଲେ ବି ତାହାକୁ ବନ୍ଦ କରିଦିଆଯାଇଥିଲା। ସେମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଉନଥିବା କିମ୍ବା ଦରମା ଦିଆଯାଉନଥିଲା। ସେମାନଙ୍କୁ ମଧ୍ୟ ଖାଦ୍ୟ ଓ ଔଷଧ ଦିଆଯାଉନଥିଲା। ଏଥିରେ ଅତିଷ୍ଠ ହୋଇ ସେମାନେ ଆନ୍ଦୋଳନ କରିଥିବା କୁହାଯାଉଛି। କେବଳ ଗୁଆଙ୍ଗଡଙ୍ଗ ନୁହେଁ, ଚୀନର ଅତିକମରେ ୫ଟି ସ୍ଥାନରେ ଏପରି ହିଂସାତ୍ମକ ଆନ୍ଦୋଳନ ହୋଇଥିବା ହଂକଂ ଖବରକାଗଜ ସାଉଚ ଚାଇନା ମର୍ଣ୍ଣିଂ ପୋଷ୍ଟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।
ଲକଡାଉନରେ ରହି ଚୀନ ଲୋକେ ଅତିଷ୍ଠ : ବ୍ୟାପିଲା ହିଂସା

Share Now: