କଲମ୍ବୋ : ଶ୍ରୀଲଙ୍କାର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ତାଙ୍କ ରାଜନୈତିକ ଉତ୍ତରାଧିକାରୀ ତଥା ପୁତ୍ର ନମଲ ଓ ୧୫ ଜଣ ସହଯୋଗୀଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇଛନ୍ତି। ଦେଶରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ରାଜପକ୍ଷେଙ୍କ ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯିବାର ସମ୍ଭାବନା ରହିଛି। କଲମ୍ବୋର ମାଜିଷ୍ଟ୍ରେଟ ଗତ ସୋମବାର ହୋଇଥିବା ହିଂସାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ହିଂସାରେ ୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ପ୍ରାୟ ୨୨୫ ଜଣ ଆହତ ହୋଇଥିଲେ। ଏହି ହିଂସାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଓ କେତେକ ପୀଡ଼ିତ କହିଛନ୍ତି ଯେ ମହିନ୍ଦ ରାଜପକ୍ଷେଙ୍କ ପ୍ରାୟ ୩ ହଜାର ସମର୍ଥକ ରାଜଧାନୀ କଲମ୍ବୋକୁ ଆସି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଲୋକମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ପରେ ଦୁଇପକ୍ଷ ମଧ୍ୟରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାକାଣ୍ଡ ଖବର ବ୍ୟାପିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହେବା ସହ ପୋଡ଼ାଜଳା ଓ ସରକାରୀ ସମର୍ଥକମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଏହି ହିଂସାକାଣ୍ଡ ବ୍ୟାପିବା ପରେ ରାଜପକ୍ଷେ ଇସ୍ତଫା ଦେବା ସହ ପରିବାର ସହିତ ତ୍ରିଙ୍କୋମାଳି ନିକଟସ୍ଥ ଏକ ଦ୍ବୀପରେ ନୌସେନା ସୁରକ୍ଷାରେ ଆତ୍ମଗୋପନ କରିଛନ୍ତି।
ରାଜପକ୍ଷେଙ୍କ ଦେଶ ଛାଡ଼ିବା ଉପରେ ରୋକ୍ ଲଗାଇଲେ କୋର୍ଟ

Share Now: