ମସ୍କୋ: ରୁଷ୍ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ରେ ଶନିବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ମାମଲାରେ ଅଦାଲତରେ ଏବେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅଦାଲତ ସମସ୍ତଙ୍କୁ ମେ ୨୨ ତାରିଖ ପର୍ଯ୍ୟନ୍ତ ହେପାଜତରେ ନେଇଛନ୍ତି। ଏହି ୪ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଥିଲା। ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଉଛନ୍ତି ଡାଲେରଜନ୍ ମିର୍ଜୋଏଭ୍ (୩୨), ସାୟଡକ୍ରାମି ରାଚାବାଲିଜୋଡା (୩୦),ମୁଖମ୍ମଦସୋବିର ଫୈଜଭ (୧୯) ଏବଂ ଶ୍ୟାମସିଡିନ ଫରିଦୁନି (୨୫)। ସଙ୍ଗୀତ ସମାରୋହ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି ହଲ୍ରେ ଏଭଳି ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିକଟରେ ଏକ ସପିଂମଲ୍ ରହିଛି। ପୁଣି ସଂଧ୍ୟା ସମୟ ହୋଇଥିବାରୁ ଲୋକଙ୍କ ଭିଡ଼ ଅଧିକ ରହିଥିଲା। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ରେ ପ୍ରକାଶିତ ଖବର ଅନୁସାରେ ଗୁଳିମାଡ଼ରେ ଶଦାଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଗୁଳିକାଣ୍ଡ ପରେ ବିସ୍ଫୋରଣ ଯୋଗୁଁ ସ୍ଥିତି ଜଟିଳ ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବିତ ହୋଇଥିଲା।
ରୁଷ୍ରେ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପୁଣିଥରେ ସମଗ୍ର ବିଶ୍ବରେ ଆତଙ୍କବାଦକୁ ନେଇ ନୂଆ ଭୟ ସଂଚାର କରିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଞ୍ଚମ ଥର କ୍ଷମତାକୁ ଆସିବାର କିଛି ଦିନ ପରେ ଆଫଗାନିସ୍ତାନରୁ ସଂଚାଳିତ ହେଉଥିବା ଆଇଏସ୍ଆଇଏସ୍-କେ ଏହି ଆକ୍ରମଣ କରିଛି। ୨୦୧୫ରେ ସିରିଆ ଗୃହଯୁଦ୍ଧରେ ରାଷ୍ଟ୍ରପତି ପୁଟିନଙ୍କ ହସ୍ତକ୍ଷେପ ପରେ ରୁଷ୍ ଏବଂ ଇସ୍ଲାମିକ୍ ଷ୍ଟେଟ୍ ମଧ୍ୟରେ ନିରନ୍ତର ସଂଘର୍ଷ ଚାଲିଛି। ଆଇଏସ୍ର ମୂଳୋତ୍ପାଟନରେ ଉଭୟ ଆମେରିକା ଓ ରୁଷ୍ ବିଫଳ ହୋଇଥିବା ବେଳେ ଏବେ ଆଇଏସ୍ ରୁଷ୍କୁ ଟାର୍ଗେଟ୍ କରିଛି।
ମସ୍କୋ ଆକ୍ରମଣରେ ୩ ଜଣ ଦୋଷୀ ସାବ୍ୟସ୍ତ

Share Now: