ଦୁବାଇ : ୟୁଏଇ ଉପରେ ହାଉଥି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର ଦିନକ ପରେ ତାହାର ଜବାବ ଦେଇଛି ସାଉଦି ଆରବ ନେତୃତ୍ବାଧୀନ ସାମରିକ ମେଣ୍ଟ। ଏହି ମେଣ୍ଟ ପକ୍ଷରୁ ୟେମେନର ରାଜଧାନୀ ସାନା ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ କିଛି କୋଠା ଧ୍ବଂସ ପାଇଯାଇଛି। ଜଣେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ ଅଲ-ଜାନିଦଙ୍କ ଘର ଉପରେ ଏହି ବିମାନ ଆକ୍ରମଣ କରାଯାଇଥିଲା। ଏଥିରେ ଅବଦୁଲ୍ଲା କାସିମ, ତାଙ୍କ ପତ୍ନୀ, ୨୫ ବର୍ଷର ପୁଅ ଓ ଆଉ କିଛି ଅଜଣା ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ସାଉଦି ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଗତକାଲି ହାଉଥି ବିଦ୍ରୋହୀମାନେ ଆବୁ ଧାବିର ଏକ ତୈଳ ଟ୍ୟାଙ୍କରକୁ ଲକ୍ଷ୍ୟକରି ଡ୍ରୋନ ଦ୍ବାରା ମିସାଇଲ ମାଡ଼ କରିବାରୁ ୨ ଜଣ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ୟୁଏଇ ଧମକ ଦେଇଥିଲା। ସୂଚନାଯୋଗ୍ୟ ଯେ, ଇରାନ ସମର୍ଥିତ ହାଉଥି ବିଦ୍ରୋହୀମାନେ ୟେମେନର ସରକାରଙ୍କୁ ବିତାଡ଼ିତ କରି ନିଜସ୍ବ ଶାସନ ଲାଗୁ କରିବାକୁ ଉଦ୍ୟମ ଚଳାଇଛନ୍ତି। ୨୦୧୪ରେ ହାଉଥି ବିଦ୍ରୋହୀମାନେ ୟେମେନର ରାଜଧାନି ସାନାକୁ ଅଧିକାର କରିନେଇଥିଲେ। କିନ୍ତୁ ସାଉଦି ଆରବ ନେତୃତ୍ବାଧୀନ ସାମରିକ ମେଣ୍ଟ ୨୦୧୫ରେ ଏଥିରେ ହସ୍ତକ୍ଷେପ କରି ସାନାକୁ ବିଦ୍ରୋହୀମାନଙ୍କ କବଳରୁ ଛଡ଼ାଇନେଇଥିଲା। ୟୁଏଇ ଏହି ମେଣ୍ଟର ସଦସ୍ୟ ଥିବାରୁ ଓ ୟେମେନ ସେନାଙ୍କୁ ସହାୟତା କରୁଥିବାରୁ ବିଦ୍ରୋହୀମାନେ ୟୁଏଇକୁ ଟାର୍ଗେଟ କରିଥିବା କୁହାଯାଉଛି।
ହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍, ୧୪ ମୃତ

Share Now: