ଆମେରିକାରେ ‘ମେଟା’ ବିରୋଧରେ ୪୦ରୁ ଅଧିକ ମାମଲା

ଆମେରିକାରେ ‘ମେଟା’ ବିରୋଧରେ ୪୦ରୁ ଅଧିକ ମାମଲା

ମାଗଣା ବ୍ୟବହାର ଓ କୋହଳ ମନୋଭାବର ସମୟ ଶେଷ ହେଉଛି ବୋଲି କହିଲେ ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକର ବ୍ୟବହାର ଲାଗି ‘ମାଗଣା ପାସ୍’ ବ୍ୟବସ୍ଥା ପ୍ରାୟତଃ ଶେଷ ହୋଇଛି। ଏହି ପ୍ଲାଟଫର୍ମ ଉପରେ ସମଗ୍ର ବିଶ୍ୱରେ କଠୋର ଉତ୍ତରଦାୟିତ୍ୱ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଆମେରିକାରେ ମେଟା ବିରୋଧରେ ୪୦ରୁ ଅଧିକ ରାଜ୍ୟ କରିଥିବା ମାମଲା ପରିପ୍ରେକ୍ଷୀରେ ଏହା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ। ସେ କହିଛନ୍ତି, ‘‘ଏପର୍ଯ୍ୟନ୍ତ ବିଶ୍ୱ ସୋସିଆଲ୍ ମିଡିଆର ଭଲ ଦିଗ ଉପରେ ଧ୍ୟାନ ଦେଇଛି। ବର୍ତ୍ତମାନ ନକାରାତ୍ମକ ଦିଗ ପ୍ରତି ଆମର ଆଖି ଖୋଲିବାର ସମୟ ଆସିଛି।’’ ଆମେରିକାର ଫେଡେରାଲ୍ କୋର୍ଟରେ ହୋଇଥିବା ମକଦ୍ଦମାରେ ମେଟାକୁ ଯୁବ ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ମେଟା ଏପରି ଏକ ବ୍ୟବସାୟ ମଡେଲ୍ ବ୍ୟବହାର କରୁଛି ଯାହା ଯୁବପିଢ଼ିର ଉପଭୋକ୍ତାଙ୍କୁ ମାତ୍ରାଧିକ ସମୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିତାଇବାକୁ ଉସକାଉଛି, ଯାହା ଫଳରେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ବହୁ ଭାବେ କ୍ଷତିଗ୍ରସ୍ତ ହେଉଛି। ଅନୁସନ୍ଧାନରୁ ଜଣାପଡିଛି ଯେ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଯୁବକମାନଙ୍କ ଭିତରେ ଉଦାସୀନତା, ଚିନ୍ତାଗ୍ରସ୍ତତା, ନିଦ୍ରାହୀନତା ଆଦି ନକାରାତ୍ମକ ଅଭ୍ୟାସ ସୃଷ୍ଟି କରିବା ସହ ଦୈନନ୍ଦିନ ଜୀବନରେ ଶିକ୍ଷାଗ୍ରହଣ ଉପରେ ମଧ୍ୟ ବାଧା ସୃଷ୍ଟି କରୁଛି। ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି,ବିଶ୍ୱ ଏହି ପ୍ଲାଟଫର୍ମଗୁଡିକର ବ୍ୟବହାରକୁ ମାଗଣା ରଖିଛି। ବିଶେଷ ଭାବରେ ଆମେରିକା ଏପରି କରିଛି। କିନ୍ତୁ ବର୍ତ୍ତମାନ ଏହା ଉପରେ ପୁର୍ନଚିନ୍ତନ କରିବାର ସମୟ ଆସିଛି। ସେ କହିଛନ୍ତି, “ପ୍ଲାଟଫର୍ମଗୁଡିକ ଅଧିକ ଉତ୍ତରଦାୟୀ ହେବା ଆବଶ୍ୟକ। କାହାକୁ କେଉଁ ବିଷୟବସ୍ତୁ ଲେଖିବାକୁ କାହାକୁ ଅନୁମତି ଦିଆଯାଇଛି, ତାହାର ତର୍ଜମା ହେବା ଉଚିତ। ମୁଁ ଭାବୁଛି ଏହି ମାଗଣା ବ୍ୟବହାର ଏବଂ କୋହଳର ସମୟ ସମାପ୍ତ ହୋଇଛି। ଏହା ମଧ୍ୟ ଆମ ସରକାରଙ୍କ ଉଦ୍ଦେଶ୍ୟ। ବାସ୍ତବତା ହେଲା ଏହି ପ୍ଲାଟଫର୍ମଗୁଡ଼ିକର ବାଧାହୀନ ବ୍ୟବହାର ଯୋଗୁ କ୍ଷତି ଘଟିବା ସହ ଅପରାଧ ମଧ୍ୟ ସଂଘଠିତ ହେଉଛି।’’
ଭାରତ ସରକାର ଏହାର ନାଗରିକଙ୍କ ସୁରକ୍ଷାକୁ କିପରି ସୁନିଶ୍ଚିତ କରିବେ ବୋଲି ପଚରାଯିବାରୁ ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି, “ଆମେ ଆଶା କରୁଛୁ ଯେ ସମସ୍ତ ପ୍ଲାଟଫର୍ମ ନିୟମ ପାଳନ କରିବେ। ସେମାନଙ୍କୁ ଆଇଟି ନିୟମ ଅନୁଯାୟୀ ବିଜ୍ଞପ୍ତି ପଠାଯିବ। ଯଦି ସେମାନେ ଏହାର ଉତ୍ତର ନ ଦିଅନ୍ତି, ତେବେ ଆଇନ ଅନୁଯାୟୀ ପରିଣାମ ଆସିବ। ଶୂନ-ସହନଶୀଳତା ନୀତି ଅବଲମ୍ବନ କରାଯିବ।” ହୁଇସିଲ୍ ବ୍ଲୋୟର୍ ଫ୍ରାନ୍ସିସ୍ ହାଗେନ୍ ମେଟା ପରିଚାଳିତ ଫେସବୁକର ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ ଲିକ୍ କରିବା ପରେ ମେଟା ଆମେରିକାର ଅନୁସନ୍ଧାନକାରୀଙ୍କନଜରକୁ ଆସିଛି। ​​ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ସୁରକ୍ଷା ଅପେକ୍ଷା ଲାଭକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ସମାଲୋଚନାର ଶିକାର ହୋଇଛି। ହାଗେନ୍ ଅଭିଯୋଗ କରିଛନ୍ତି ଯେ ଫେସବୁକ୍ ‘ବିଷାକ୍ତ ବିଷୟବସ୍ତୁ’କୁ ହ୍ରାସ କରିବାରେ ବିଫଳ ହୋଇଛି ଏବଂ ଏହା ଆଭିମୁଖ୍ୟ ପରିବର୍ତ୍ତନ କରିବ ବୋଲି ବିଶ୍ୱାସ କରାଯାଇପାରିବ ନାହିଁ।

Share Now:

Kalinga News Beuro

Next Post

ଏବେ ଏନସିଇଆରଟିର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

Wed Oct 25 , 2023
ନୂଆଦିଲ୍ଲୀ: ଏବେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’। କିଛି ଦିନ ପୂର୍ବରୁ ପରବର୍ତ୍ତୀ ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ ଏନସିଇଆରଟି ପ୍ୟାନେଲ ପ୍ରସ୍ତାବ ଦେଇଥିବା ବେଳେ ଆଜି ଏହାର ସଦସ୍ୟମାନେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏନସିଇଆରଟିର ପ୍ୟାନେଲ ସଦସ୍ୟ ସିଆଇ ଇସାକଙ୍କ କହିବା ମୁତାବକ, ନୂତନ ଏନସିଇଆରଟି ପୁସ୍ତକଗୁଡ଼ିକରେ ଦେଶର ନାମ ପରିବର୍ତ୍ତନ ହେବ। […]
‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial