ଫିଲିପିନ୍ସ୍‌ର ରାଜଧାନୀରେ ପାଉଁଶ ଉଦ୍‌ଗାରିଲା ଆଗ୍ନେୟଗିରି; ୧୭୨ଟି ବିମାନ ଉଡ଼ାଣ ବାତିଲ

ମାନିଲା: ରବିବାର ଦିନ ଫିଲିପିନ୍ସ୍‌ର ରାଜଧାନୀ ମାନିଲା ନିକଟରେ ‘ତାଲ୍‌’ ନାମକ ଆଗ୍ନେୟଗିରି ବିପୁଳ ପରିମାଣର ପାଉଁଶ ଉଦ୍‌ଗାରି ପକାଇବାରୁ ଅନେକ ବିମାନ ବାତିଲ ହେବା ସହ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରଖାଯାଇଥିଲା। ଉଦ୍‌ଗୀରଣ ହୋଇଥିବା ପାଉଁଶ ସବୁ ସମଗ୍ର ରାଜଧାନୀକୁ ଆଚ୍ଛାଦନ କରି ପକାଇବାରୁ ଆଗ୍ନେୟଗିରିରୁ ବିସ୍ଫୋରଣଜନିତ ଗଳିତଧାତୁ ନିର୍ଗତ ହୋଇପାରେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ସତର୍କ କରାଇ ଦେଇଥିଲେ। ହଠାତ୍‌ ‘ତାଲ୍‌’ ଆଗ୍ନେୟଗିରିରୁ ଆକାଶକୁ ପ୍ରାୟ ୧୫ କିଲୋମିଟର୍‌ ଉଚ୍ଚ ପାଉଁଶ ଓ ବାମ୍ଫର ଗୋଟାଏ ସ୍ତମ୍ଭ ଉଠିପଡ଼ିବାରୁ ହଜାର ହଜାର ଲୋକଙ୍କୁ ସେ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନେୟଗିରିରୁ ନିର୍ଗତ ଧୂଆଁ କୁଣ୍ଡଳୀ ମଧ୍ୟରେ ବିଜୁଳି ଝଟକିବା ସହ ଭୂଇଁ ଦୁଲୁକି ଯାଇଥିଲା। ଆକାଶରେ ପାଉଁଶ ଉଡୁଥିବାରୁ ରବିବାର ଦିନ ୧୭୨ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ରନୱେରେ ପାଉଁଶ ଗଦା ହୋଇଥିବାରୁ ଆଜି ମଧ୍ୟ ସେଠାରେ ବିମାନ ଉଡ଼ାଣ ବାତିଲ କରାଯିବ। ବିଶ୍ୱରେ ଥିବା କ୍ଷୁଦ୍ର ସକ୍ରିୟ ଆଗ୍ନେୟଗିରିଗୁଡ଼ିକ ମଧ୍ୟରୁ ‘ତାଲ୍‌’ ଅନ୍ୟତମ, କିନ୍ତୁ ବିପଜ୍ଜନକ ବୋଲି ‘ଦ ଫିଲିପିନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭଲ୍‌କାନୋଲଜି ଆଣ୍ଡ୍‌ ସିସ୍‌ମୋଲଜି’ର ମୁଖ୍ୟ ରିନାଟୋ ସଲିଡିୟମ୍‌ କହିଛନ୍ତି। ଏହି ଆଗ୍ନେୟଗିରିଟି ଅନ୍ୟ ଗୋଟାଏ ଆଗ୍ନୟଗିରି ମଧ୍ୟରେ ଥିବାରୁ ଏହାର ସ୍ୱତନ୍ତ୍ରତା ରହିଛି। ଗତ ୫୦୦ ବର୍ଷ ହେବ ‘ତାଲ୍‌’ ୩୦ ଥର ଉଦ୍‌ଗୀରଣ ହେଲାଣି। ଶେଷଥର ଏଠାରେ ୧୯୭୭ରେ ଉଦ୍‌ଗୀରଣ ହୋଇଥିଲା। ୧୯୧୧ରେ ହୋଇଥିବା ଉଦ୍‌ଗୀରଣ ଯୋଗୁଁ ୧୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୭୫୪ ମସିହାରେ ଏଥିରୁ କିଛି ମାସ ଧରି ଉଦ୍‌ଗୀରଣ ଚାଲିଥିଲା।

Share Now:

Kalinga News Beuro

Leave a Reply

Next Post

ଭଙ୍ଗାହେବ ବେଆଇନ କୋଠା:କୋଚି ପରେ ଭୁବନେଶ୍ୱର ଚିନ୍ତା

Tue Jan 14 , 2020
ଭୁବନେଶ୍ୱର: କେରଳର କୋଚି ସମ୍ବେଦନଶୀଳ ଅଞ୍ଚଳରେ ବେଆଇନ କୋଠା ଭଙ୍ଗାଯିବା ପରେ ଏବେ ଭୁବନେଶ୍ୱର ଚିନ୍ତା। କାରଣ ରାଜଧାନୀର ଛାତି ଉପରେ ବି ବେଆଇନ୍ ଭାବେ ଛିଡ଼ା ହୋଇଛି ଏମିତି ଅନେକ ଆପାର୍ଟମେଣ୍ଟ। କ’ଣ ହେବ ସେମାନଙ୍କ ଭବିଷ୍ୟତ? ଏସବୁକୁ ବି ବିସ୍ଫୋରକ ଦ୍ୱାରା ଭାଙ୍ଗିବ କି ବିଡିଏ? ଏହାକୁ ନେଇ ବିଲଡରଙ୍କ ଛାତିରେ ଛନକା ପଶିଛି। ବିଶାଲ ଦେବ ବିଡିଏର ଉପାଧ୍ୟକ୍ଷ ଥିବା ସମୟରେ ସହରର ଛୋଟ ବଡ଼ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial