ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି। ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି। ଶୁକ୍ରବାରଦିନ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ର ଜଳାବତରଣ କରିଛି। ଏହାର ନାଁ ରଖାଯାଇଛି ଫୁଜିଆନ୍। ଚୀନର ବୃହତ୍ତମ ସହର ସାଂଘାଇଠାରେ ଏହାର ଜଳାବତରଣ କରାଯାଇଛି। ଚୀନର ଏହା ୩ୟ ବିମାନବାହୀ ଯୁଦ୍ଧପୋତ ହୋଇଥିବା ବେଳେ ଚୀନରେ ନିର୍ମିତ ୨ୟ ବିମାନବାହୀ ଯୁଦ୍ଧପୋତ। ‘ଫୁଜିଆନ୍’କୁ ଚୀନର ସବୁଠାରୁ ଅତ୍ୟାଧୁନିକ ବିମାନବାହୀ ଯୁଦ୍ଧପୋତ ବୋଲି କୁହାଯାଉଛି ଓ ଏହାକୁ ଚୀନର ରାଷ୍ଟ୍ରାୟତ୍ତ କମ୍ପାନି ଚାଇନା ଷ୍ଟେଟ୍ ସିପବିଲଡିଂ କର୍ପୋରେସନ (ସିଏସଏସସି) ପକ୍ଷରୁ ନିର୍ମାଣ କରାଯାଇଛି। ଚୀନର ପ୍ରଥମ ବିମାନବାହୀ ଯୁଦ୍ଧପୋତ ହେଉଛି ସୋଭିଏତ ରୁଷ ନିର୍ମିତ ଲିଆଓନିଂ। ୨ୟ ଯୁଦ୍ଧପୋତର ନାଁ ହେଉଛି ସାଙ୍ଗଡଙ୍ଗ। ଏହାକୁ ମଧ୍ୟ ସୋଭିଏତ ପ୍ରଯୁକ୍ତି ଓ ଡିଜାଇନ ବ୍ୟବହାର କରି ନିର୍ମାଣ କରାଯାଇଥିଲା। କିନ୍ତୁ ୩ୟ ଯୁଦ୍ଧପୋତଟି ସଂପୂର୍ଣ୍ଣ ଭାରେ ଚୀନ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଏହି ଜାହାଜରେ ଯୁଦ୍ଧ ବିମାନଗୁଡ଼ିକର ସୁରକ୍ଷିତ ଉଡାଣ ଓ ଅବତରଣ ପାଇଁ ଇଲେକ୍ଟ୍ରୋମାଗନେଟିକ କାଟାପଲ୍ଟ ଓ ଆରେଷ୍ଟିଂ ଡିଭାଇସ ଲଗାଯାଇଛି। ଏହି ଜାହାଜର ଓଜନ ହେଉଛି ପ୍ରାୟ ୮୦ ହଜାର ଟନ। ଚୀନ ନୌସେନାର ଶକ୍ତି ବୃଦ୍ଧି କେବଳ ଆମେରିକା ନୁହେଁ, ଭାରତ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। କାରଣ ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି।
ସମୁଦ୍ରକୁ ଓହ୍ଲାଇଲା ଚୀନର ବିମାନବାହୀ ଯୁଦ୍ଧପୋତ : ଭାରତ ପାଇଁ ସତର୍କ ଘଣ୍ଟି
Share Now: