ମସ୍କୋ : ୟୁକ୍ରେନ ସଂକଟ ନେଇ ଋଷିଆକୁ ପୁଣି ଚେତାବନୀ ଶୁଣାଇଛି ବ୍ରିଟେନ ଓ ୟୁରୋପୀୟ ସଂଘ। ଋଷିଆ ସୈନ୍ୟ ଯଦି ୟୁକ୍ରେନ ମଧ୍ୟରେ ପ୍ରବେଶ କରନ୍ତି ତେବେ ତାହାର ପରିଣତି ଭୟଙ୍କର ହେବ। ଋଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ଯାହାର ଚାପରେ ଋଷିଆର ଅର୍ଥନୀତି ତଳିତଳାନ୍ତ ହୋଇଯିବ ବୋଲି ୟୁରୋପୀୟ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୦୧୪ରେ ଋଷିଆ ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ବଳପୂର୍ବକ ଦଖଲ କରିନେବା ପରେ ୟୁରୋପୀୟ ସଂଘ ପକ୍ଷରୁ ଋଷିଆ ଉପରେ ଆର୍ଥିକ କଟକଣା ଲଗାଯାଇଥିଲା। ଏହି କଟକଣା ଏବେ ବି ବଳବତ୍ତର ରହିଛି। ଏବେ ଯଦି ମସ୍କୋ ପୁଣି ଦୁଃସାହାସ କରେ ତେବେ ଆହୁରି କଠୋର କଟକଣା ପ୍ରସ୍ତୁତ ହୋଇ ରହିଛି ବୋଲି ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭାନ ଡର ଲିଏନ କହିଛନ୍ତି। ଅନ୍ୟପକ୍ଷରେ ସୈନ୍ୟ ପ୍ରତ୍ୟାହାର ପାଇଁ ଋଷିଆ ପକ୍ଷରୁ କେତେକ ସର୍ତ୍ତ ଆରୋପ କରାଯାଇଛି। ନାଟୋ ଯଦି ସୁରକ୍ଷା ଗ୍ୟାରେଣ୍ଟି ଦିଏ ଓ ୟୁରୋପରେ ଆଉ ଆଗକୁ ପୂର୍ବକୁ ନବଢେ, ୟୁକ୍ରେନରେ ଓ ଋଷିଆକୁ ଲାଗିଥିବା ଅନ୍ୟ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ ନକରେ ତେବେ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ହୋଇପାରିବ। ଋଷିଆ ପକ୍ଷରୁ ଏସବୁ ପ୍ରସ୍ତାବ ଆମେରିକା ଆଗରେ ରଖାଯାଇଛି।
ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ : ଭୟଙ୍କର ପରିଣତି ପାଇଁ ପ୍ରସ୍ତୁତ ରୁହ

Share Now: