କାବୁଲ: ଗତ ମାସରେ ତାଲିବାନ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ କାବୁଲରୁ ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ କାବୁଲ ଏୟାରସ୍ପେସକୁ ବନ୍ଦ କରିଦିଆଯାଇଥିଲା। ଏହା ପରେ ବିଭିନ୍ନ ଦେଶର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ପଠାଯାଇଥିଲା। ଏବେ ତାଲିବାନ ନିଜର କାମଚଳା ସରକାର ଗଠନ କରିସାରିଥିବା ବେଳେ ଆଜି ପ୍ରଥମ କରି ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ କରିଛି। ଆଜି ସକାଳେ ଇସଲାମାବାଦକୁ ଫେରିବା ପୂର୍ବରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ କାବୁଲରେ ଅବତରଣ କରିଥିଲା। ବିମାନବନ୍ଦର ଗ୍ରାଉଣ୍ଡ କର୍ମଚାରୀଙ୍କ ଅନୁଯାୟୀ ବିମାନରେ ପ୍ରାୟ ୭୦ଜଣ ଲୋକ ଥିଲେ। ସେମଧ୍ୟରୁ ଅଧିକାଂଶ ଆଫଗାନ ଥିଲେ, ଯେଉଁମାନେ ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଂଗଠନ କର୍ମଚାରୀଙ୍କ ସମ୍ପର୍କୀୟ ଥିଲେ। ଏବେ ଧିରେ ଧିରେ ଆଫଗାନିସ୍ତାନରେ ବନ୍ଦ ଥିବା କାମ ଆରମ୍ଭ ହୋଇସାରିଥିଲେ ବି ଆଫଗାନିସ୍ତାନ ଛାଡିଥିବା ଲୋକ ଫେରିବାକୁ ଚାହୁଁନାହାନ୍ତି। ଆଫଗାନିସ୍ତାନ ମହିଳାମାନେ ଦାବି କରିଛନ୍ତି ଯେ, ପୂର୍ବ ଭଳି ମହିଳାଙ୍କୁ କାମ କରିବାକୁ ଅନୁମତି ଦିଆଯିବା ସହ ସମସ୍ତ ସ୍ୱାଧୀନତା ଦିଆଯିବା ପରେ ହିଁ ସେମାନେ ଆଫଗାନିସ୍ତାନ ଫେରିବେ।
ଆଫଗାନିସ୍ତାନରେ ପ୍ରଥମ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡାଣ

Share Now: