କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ରାତିରେ ସ୍ବଦେଶ ଫେରିଛନ୍ତି। ପ୍ରାୟ ୫୧ ଦିନ ପରେ ସେ ସ୍ବଦେଶ ଫେରିଛନ୍ତି। ଏହାକୁ ନେଇ ଦେଶରେ ପୁଣି ବିରୋଧ ଦେଖାଯିବାର ଆଶଙ୍କା ଥିବାରୁ ତାଙ୍କ ପାଇଁ କଡ଼ା ସୁରକ୍ଷା ବନ୍ଦବୋସ୍ତ କରାଯାଇଛି। ତାଙ୍କ ପାଇଁ ଶ୍ରୀଲଙ୍କା ସରକାର ଏକ ସରକାରୀ ବାସଗୃହ, ସହାୟକ କର୍ମଚାରୀ ଓ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ରାତିରେ ସେ କଲମ୍ବୋର ବନ୍ଦରନାଇକେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଆଯାଇଥିଲା। କଲମ୍ବୋର ଓ୍ବିଜେରାମା ମେଓ୍ବାଠା ନିକଟରେ ତାଙ୍କୁ ଏକ ସରକାରୀ ବଙ୍ଗଳା ପ୍ରଦାନ କରାଯାଇଛି। ତାଙ୍କ ଘର ନିକଟରେ ବଡ଼ ଭାଇ ମହିନ୍ଦ ରାଜପକ୍ଷେ ରହୁଛନ୍ତି। ସେ ଆମେରିକାରେ ଗ୍ରୀନକାର୍ଡ ଭିସା ପାଇଁ ଆବେଦନ କରିଥିବାବେଳେ ଭିସା ମଂଜୁର ହେବା ପର୍ଯ୍ୟନ୍ତ କଲମ୍ବୋରେ ରହିବେ।
ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି। ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି। ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କାଛାଡି ମାଳଦ୍ବୀପ ପଳାଇଯାଇଥିଲେ। ସେଠାରେ ଦୁଇ ଦିନ ରହିବା ପରେ ସେ ସିଙ୍ଗାପୁର ପଳାଇଯାଇଥିଲେ। ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ରାଷ୍ଟ୍ରପତି ହେବା ପରେ ଗୋଟାବାୟାଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର ହୋଇଥିଲା। କାରଣ ଗୋଟାବାୟାଙ୍କ ଦଳ ସମର୍ଥନରେ ହିଁ ସେ ରାଷ୍ଟ୍ରପତି ହୋଇଛନ୍ତି ବୋଲି କୁହାଯାଉଛି।
ଶ୍ରୀଲଙ୍କା ଫେରିଲେ ରାଜପକ୍ଷେ : ସରକାର ଯୋଗାଇଦେଲେ ଘର, ସୁରକ୍ଷା

Share Now: