ଚନ୍ଦ୍ରଶେଖରପୁର: ସ୍ବର୍ଗତ ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଜୟଦେବ ବିହାରସ୍ଥିତ ସିପିଆଇ(ଏମ୍) କାର୍ଯ୍ୟାଳୟ ନିକଟରେ ୬୧୫ ବର୍ଗମିଟର ଜମିରେ ନିର୍ମିତ ଏହି ପ୍ଲାଜା ଶ୍ରମିକ ଶ୍ରେଣୀର ଉନ୍ନତି ଦିଗରେ ଶିବାଜୀ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବ। ମେ’ ମାସରେ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର ଶିଳ୍ୟାନ୍ୟାସ କରିଥିଲେ। ବିଡିଏ ପକ୍ଷରୁ ଏହି ପ୍ରକଳ୍ପ ଡିଜାଇନ୍ ଓ ଉନ୍ନତୀକରଣ କାର୍ଯ୍ୟ ୫ ମାସ ଭିତରେ ଶେଷ କରାଯାଇଛି। ଏହି ପ୍ଲାଜା ନିର୍ମାଣ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ବସିବା ପାଇଁ ଜାଗା, ପିଇବା ପାଣି, ଶୌଚାଳୟ ଆଦି ରହିଛି। ଏହି ପ୍ଲାଜାରେ ସ୍ବର୍ଗତ ପଟ୍ଟନାୟକଙ୍କ ଜୀବନୀ, ସଫଳତା, ଚାଷୀ ଆନ୍ଦୋଳନ, କ୍ଷେତ ମଜଦୁର ୟୁନିଅନ୍, ରାଜ୍ୟରେ ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନ ତଥା ତାଙ୍କର ଉନ୍ନତିମୂଳକ କାର୍ଯ୍ୟ ଉପରେ ଦର୍ଶାଯାଇଛି।
ବିଡିଏ ଦ୍ୱାରା ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ବିଏମ୍ସି ମେୟର ସୁଲୋଚନା ଦାସ, ବିଡିଏ ଅଧ୍ୟକ୍ଷ ଜି. ମାଥିଭାଥନନ୍, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସେକ୍ରେଟାରି କବୀନ୍ଦ୍ର କୁମାର ସାହୁ, ସିପିଆଇ(ଏମ୍) ରାଜ୍ୟ ସାଧାରଣ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦ୍ଘାଟିତ

Share Now: