ଜଟଣୀ: ମାସକରୁ ଅଧିକ ସମୟ ହେଲା ବର୍ଷା ଛାଡ଼ିଗଲାଣି। ବିଲରେ ପାଣି ନାହିଁ। ଗର୍ଭିଣୀ ଧାନ ଗଛ ଫୁଲ ଉଡ଼ାଇବା ଅବସ୍ଥାରେ। ମାତ୍ର ଏତିକିବେଳକୁ ବିଲ ଶୁଖିଲା ପଡ଼ିଛି। କିଛି ବିଲ ତ ଅଧିକ ଦିନ ଶୁଖିଲା ରହିବା ପରେ ଫାଟିକି ଆଁ କଲାଣି। ଗର୍ଭିଣୀ ଧାନଗଛ ଠିଆଠିଆ ଜଳିବାକୁ ବସିଲାଣି। ଏମିତି ସମୟରେ କେନାଲ ଭରସା। କିନ୍ତୁ ବିଲ୍ଡର୍ସଙ୍କ କବ୍ଜାରେ ଥିବା କେନାଲରେ ପାଣି ଆସୁନି। କେନାଲ ପୋତି ହୋଇଥିବାରୁ ବିଲ ମୁଣ୍ଡକୁ ପାଣି ଯିବା ବାଟ ବନ୍ଦ। ଏମିତି ସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଜଟଣୀ ବ୍ଲକ୍ ପଞ୍ଚୁପଲ୍ଲୀ, ପଧାନସାହି, ଜାମୁକୋଳି, ବୀରବନ୍ଧ, କୁହା, ରଥୀପୁର, କନ୍ତିଆ ଆଦି ଅଞ୍ଚଳର ଶହଶହ ଚାଷୀ ଏବେ ଚିନ୍ତାରେ।
ଏନେଇ ଜଟଣୀ ତହସିଲ କାର୍ଯ୍ୟାଳୟରେ ହୋଇଥତବା ଅଭିଯୋଗ ଅନୁସାରେ ପଞ୍ଚୁପଲ୍ଲୀ ଓ ପଧାନସାହି ମୌଜାରେ ଜଣେ ବିଲ୍ଡର୍ସ ପ୍ରାୟ ୯ ଏକର ଜମି କିଣି ପ୍ଲଟିଂ କରୁଛନ୍ତି। ଉକ୍ତ ପ୍ଲଟ୍ ଭିତରେ ଏକ ପ୍ରାକୃତିକ ପାଣି ନାଳ ରହିଛି। ଏହି ପାଣି ନାଳ ଦେଇ ନିକଟସ୍ଥ ରଙ୍ଗିଆ ନଈରୁ ପାଣି ଯାଇ ପଞ୍ଚୁପଲ୍ଲୀ, ପଧାନସାହି, ଜାମୁକୋଳି, ବୀରବନ୍ଧ ଆଦି ଗାଁର ଚାଷୀମାନେ ଉପକୃତ ହୁଅନ୍ତି। ୫ଶହ ଏକରରୁ ଅଧିକ ଜମିରେ ଧାନ ଚାଷ ହୁଏ। କିନ୍ତୁ ଗତମାସରେ ବିଲ୍ଡର୍ସ ଉକ୍ତ ପାଣି ନାଳକୁ ମୋରମ ପକାଇ ପୋତି ଦେଇଛନ୍ତି। ନାଳକୁ ରାସ୍ତା ଦର୍ଶାଇ ପ୍ଲଟିଂ କରୁଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବିରୋଧ କରିଥିଲେ। କିନ୍ତୁ ବିଲ୍ଡର୍ସ ଗୁଣ୍ଡାଙ୍କ ଭୟ ଦେଖାଇ ଚାଷୀମାନଙ୍କୁ ବିଭିନ୍ନ ଧମକ ଦେଇଥିଲେ। ଫଳରେ କିଛି ଚାଷୀ ଭୟରେ ମୁହଁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏବେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ତଣ୍ଟିରେ କଣ୍ଟା ହୋଇଛି। ନାଳ ପାଣି ଉପରେ ନିର୍ଭର କରୁଥିବା ଶହ ଶହ ଏକର ଧାନ ଚାଷ ଉଜୁଡ଼ିବାକୁ ବସିଲାଣି। ଚାଷୀ ଗୌରାଙ୍ଗ ରଣସିଂହ ଓ ବ୍ରଜବନ୍ଧୁ ପରିଡ଼ାଙ୍କ ଅଭିଯୋଗ ଅନୁସାରେ ବିଲ୍ଡର୍ସମାନେ କେନାଲ ପୋତି ଦେବାରୁ ପ୍ରାୟ ଏକ ମାସ ହେଲାଣି ପାଣି ଆସୁନାହିଁ। ପାଣି ନ ଆସିବାରୁ ବିଲ ଫାଟି ଆଁ କଲାଣି। ଧାନ ପାଚିବା ସମୟ। ପାଣି ନହେଲେ ଶହ ଶହ ଏକର ଧାନ ନଷ୍ଟ ହୋଇଯିବ। ତେଣୁ ତୁରନ୍ତ କେନାଲରୁ ଜବରଦଖଲ ହଟାଇବାକୁ ସେମାନେ ଦାବି କରିଛନ୍ତି। ଯଦି କେନାଲରୁ ଜବରଦଖଲ ନ ହଟିବ, ଚାଷୀମାନେ ତହସିଲ ଅଫିସ ଆଗରେ ଧାରଣା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
କେନାଲ ପୋତିଦେଲେ ବିଲ୍ଡର୍ସ : ଶୁଖିଲା ବିଲରେ ଠିଆଠିଆ ଜଳୁଛି ଗର୍ଭିଣୀ ଧାନ

Share Now: