ପାଣିରେ ବୁଡ଼ି ୫୨ ମୃତ : ନଦୀନାଳ ଘେରା ଉପକୂଳ ଜିଲ୍ଲାଠୁ ବି ଆଗରେ କେନ୍ଦୁଝର

ପାଣିରେ ବୁଡ଼ି ୫୨ ମୃତ

ବନ୍ୟଜନ୍ତୁ ଆକ୍ରମଣରେ ୩୧ଜଣଙ୍କ ମୃତ୍ୟୁ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣ ଅପେକ୍ଷା ପାଣିରେ ବୁଡ଼ି ବହୁସଂଖ୍ୟାରେ ଲୋକ ପ୍ରାଣ ହରାଉଛନ୍ତି। ଏମିତି କି ନଦୀନାଳ ଘେରା ଉପକୂଳ ଜିଲ୍ଲା ତୁଳନାରେ ଏଠାରେ ପାଣିରେ ବୁଡ଼ି ମୃତ୍ୟୁସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଜିଲ୍ଲାରେ ଗତ ତିନିବର୍ଷରେ ହାତୀ ଓ ଭାଲୁ ଭଳି ବନ୍ୟଜନ୍ତୁ ଆକ୍ରମଣରେ ୩୧ଜଣ ପ୍ରାଣ ହରାଇଥିବା ବେଳେ ନଦୀନାଳରେ ବୁଡ଼ି ୫୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ୨୦୨୦-୨୧ରେ କେନ୍ଦୁଝର ଜିଲ୍ଲାରେ ୬ଜଣଙ୍କ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ୨୦୨୧-୨୨ରେ ୧୩ ଜଣ ଏବଂ ୨୦୨୨-୨୩ବର୍ଷରେ ୧୨ଜଣଙ୍କ ମୃତ୍ୟୁ ଘଟିଛି। ତିନିବର୍ଷରେ ମୋଟ ୩୧ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବିଧାନସଭାରେ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ପାଣିରେ ବୁଡ଼ି ଗତ ତିନିବର୍ଷରେ ୫୨ଜଣ ପ୍ରାଣ ହରାଇଛନ୍ତି। ୨୦୨୦ରେ ୫ଜଣ, ୨୦୨୧ରେ ୨୭ଜଣ ଓ ୨୦୨୩ରେ ୨୨ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲାର ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟାଠାରୁ କେନ୍ଦୁଝର ଜିଲ୍ଲାରେ ମୃତ୍ୟୁସଂଖ୍ୟା ଢେର ଅଧିକ। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ବ୍ରାହ୍ମଣୀ, ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ, ଖର‌ସ୍ରୋତା ଭଳି ନଦୀ ବହିଯାଇଛି। ଏସବୁ ନଦୀରେ ବର୍ଷତମାମ ପାଣି ରହିଥାଏ। ସେହିପରି ଏହି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରାୟ ସମସ୍ତଙ୍କ ବାଡ଼ିରେ ପୋଖରୀ ଥାଏ।
ତୁଳନାତ୍ମକ ଭାବେ ବଣପାହା‌ଡ଼ ଘେରା କେନ୍ଦୁଝର ଜିଲ୍ଲାରେ ସେଭଳି ସ୍ଥିତି ନାହିଁ। ଏଠାରେ ନଦୀଗୁଡ଼ିକ ସାଧାରଣତଃ ବର୍ଷାଦିନ ପରେ ଶୁଖିଲା ପଡ଼ିଥାଏ। ଏହାଛଡ଼ା ଗ୍ରାମାଞ୍ଚଳରେ କମ ସଂଖ୍ୟାରେ ପୋଖରୀ ‌ଦେଖିବାକୁ ମିଳିଥାଏ। ଏସବୁ ସତ୍ତ୍ବେ ଏହି ଜିଲ୍ଲାରେ ପାଣିରେ ବୁଡ଼ି ମୃତ୍ୟୁସଂଖ୍ୟା‌ ବେଶ୍ ଚିନ୍ତାଜନକ। ଗ୍ରାମାଞ୍ଚଳରେ ଲୋକେ ନିଶା ସେବନ କରି ନଦୀନାଳରେ ଗାଧୋଇବା ଏହା ପଛର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଆଦିବାସୀ ଶ୍ରେଣୀର ଲୋକେ ମଦ ପିଇ ପୋଖରୀ ଓ ନଦୀନାଳକୁ ଗାଧୋଇବାକୁ ଯାଇଥାନ୍ତି। ନିଶାସକ୍ତ ଅବସ୍ଥାରେ ପାଣିରେ ବୁଡ଼ିଗଲେ ଆଉ ଉଠିପାରନ୍ତି ନାହିଁ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥାଏ। ସେହିପରି ବର୍ଷାଦିନେ ଏଠାକାର ନଦୀର ସ୍ରୋତ ପ୍ରଖର ଥାଏ। ବିଭିନ୍ନ ସମୟରେ ଲୋକେ ନଦୀ ପାର ହେଉଥିବା ବେଳେ ଭାସି ଯାଇଥାନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ଅଧିକଂଶ ପର୍ଯ୍ୟଟନସ୍ଥଳୀରେ ଝରଣା ଓ ଜଳପ୍ରପାତ ରହିଛି। ଏହାଛଡ଼ା ଅନେକ ଜଳଭଣ୍ଡାର ରହିଛି। ଏଠାରେ ମଧ୍ୟ ଅନେକ ବୁଡ଼ିଯାଇ ପ୍ରାଣ ହରାଇଥାନ୍ତି। ଏଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ଭୀମକୁଣ୍ଡ। ଯେଉଁଠି ବ୍ୟାପକ ସଚେତନତା ସତ୍ତ୍ବେ ପର୍ଯ୍ୟଟକଙ୍କ ଅସାବଧାନତା ହିଁ ସେମାନଙ୍କ ମୃତ୍ୟୁର କାରଣ ହୋଇଥାଏ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ବନ୍ଧାହେଲେ ଗଞ୍ଜେଇ ବେପାରୀ ବାବା ଓ ଚେଲା

Fri Nov 17 , 2023
ଚନ୍ଦ୍ରଶେଖରପୁର: ବଡ଼ ସୁନ୍ଦର ଭାବେ ସେମାନେ ବାବା ଓ ଚେଲାର ଅଭିନୟ କରୁଥିଲେ। ମଠ ମନ୍ଦିର ବୁଲିବୁଲି ନୀତିବାଣୀ ଶୁଣାଉଥିଲେ। କିନ୍ତୁ ଭିତିରି କାରବାର ଥିଲା ଭିନ୍ନ। ନକଲି ବାବା-ଚେଲା ବେଶରେ ସେମାନେ ଗଞ୍ଜେଇ ଚାଲାଣ ଚଳାଇଥିଲେ। କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବିକୁଥିଲେ। ଏମିତି ଛଦ୍ମବେଶୀ ବାବା ଓ ଚେଲା ଶେଷରେ ଧରାପଡ଼ିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ହାତରେ ଧରାପଡ଼ିଥିବା ଅଭିଯୁକ୍ତଦ୍ବୟ ହେଲେ ବିଚିତ୍ର ପଣ୍ଡା (୫୫) ଓ […]
ବନ୍ଧାହେଲେ ଗଞ୍ଜେଇ ବେପାରୀ ବାବା ଓ ଚେଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial