ମେଟ୍ରୋ ପାଇଁ ଡକା ହେଲା ଟେଣ୍ଡର : ବିମାନବନ୍ଦରରୁ ଆଚାର୍ଯ୍ୟବିହାର ପାଇଁ ୬୩୦କୋଟି

ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଆହ୍ବାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ (୨୬କିମି) ମେଟ୍ରୋ ଚାଲିବାକୁ ଥିବାବେଳେ ଏବେ ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରେଳଲାଇନ୍ ବିଛାଯିବ। ଏଥିପାଇଁ ୬୩୦କୋଟି ୬୫ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିବାବେଳେ ସବୁଠୁ କମ୍‌ ‌ମୂଲ୍ୟ ଆହ୍ବାନ କରିବାକୁ ଥିବା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ପ୍ୟାକେଜ୍ ବିବିସି-୩ରେ ୬ଟି ମେଟ୍ରୋ ଷ୍ଟେସନ ଯଥା କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଲୱେ ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏଲିଭେଟେଡ୍‌ ବ୍ରିଜ୍ ଢାଞ୍ଚା ନିର୍ମାଣ କରାଯିବ। ଏହାସହ ଏହି ୬ଟି ଷ୍ଟେସନ ନିର୍ମାଣ କରାଯିବ। ଏବେ ଗୋଟିଏ ରେଳ ଧାରଣା ବିଛାଯିବା ଭଳି କାମ ହେବ। ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣ ହେବାକୁ ଥିବା ଷ୍ଟେସନ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ମିଳିନଥିବାରୁ ଏହାକୁ ପରବର୍ତ୍ତୀ ସମୟରେ ନିର୍ମାଣ କରାଯିବ। ଏଥିପାଇଁ ବିମାନବନ୍ଦରରୁ ୬୨୫ମିଟର ଦୂରରୁ କାମ ଆରମ୍ଭ ହେବ। ପୂର୍ବରୁ ଯୋଜନା ହୋଇଥିବା ଶିଶୁଭବନ ଷ୍ଟେସନକୁ ବାଦ୍‌ ଦିଆଯାଇଛି। ତେଣୁ ରାଜମହଲ ଏବଂ ଶିଶୁଭବନ ଛକ ମଝିରେ ବାପୁଜୀନଗର ଷ୍ଟେସନ ନିର୍ମାଣ କରାଯିବ।
ଯେଉଁ ସଂସ୍ଥା ଏହି ଟେଣ୍ଡର ପାଇବ ସେ ଷ୍ଟେସନର ଡିଜାଇନ୍ ଏବଂ ନିର୍ମାଣ କରିବ। ସେହିପରି ଆଚାର୍ଯ୍ୟବିହାରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଆଉ ଦୁଇରୁ ତିନିଟି ପ୍ୟାକେଜ୍‌ରେ ଟେଣ୍ଡର ଆହ୍ବାନ କରାଯିବ। ଏବେ ପ୍ରାୟ ୭କିମି ୧୨୨ମିଟର ପାଇଁ କାମ‌ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏବେ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସ୍ଥିର କରାଯାଇଛି। ହେଲେ ଭୁବନେଶ୍ୱର ମେଟ୍ରୋ ରେଲ ପ୍ରକଳ୍ପର ରୋଲିଂ ଷ୍ଟକ୍ (ଟ୍ରେନ୍), ସିଗନାଲିଂ ଏବଂ ଟେଲି କମ୍ୟୁନିକେସନ୍ ପାଇଁ ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ୍ ଏଜେନ୍ସି (ଜାଇକା) ଅର୍ଥ ଦେବ। ପରବର୍ତ୍ତୀ ପ୍ୟାକେଜ୍ ପାଇଁ ଜାଇକା ଅର୍ଥ ଦେବ କି ରାଜ୍ୟ ସରକାର ଅର୍ଥ ଦେବ ସେନେଇ ଭବିଷ୍ୟତରେ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୬୨୨୫କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରିଥିବାବେଳେ ଏହାକୁ ୪ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏବେ ପ୍ରଥମ ପ୍ୟାକେଜ କାର୍ଯ୍ୟ ୩ ବର୍ଷରେ ଶେଷ କରିବାକୁ ଟାର୍ଗେଟ୍ ରଖାଯାଇଛି। ଏହି ଟେଣ୍ଡର ପାଇଁ ପ୍ରି-ବିଡ୍ ବୈଠକ ମାର୍ଚ୍ଚ ୧୯ରେ ବସିବ।

Share Now:

Kalinga News Beuro

Next Post

ଜ୍ଞାନେଶ କୁମାର, ସୁଖବୀର ସିଂ ନୂଆ ନିର୍ବାଚନ ଆୟୁକ୍ତ

Thu Mar 14 , 2024
ଚୟନ ପ୍ରକ୍ରିୟାକୁ ବିରୋଧ କଲା କଂଗ୍ରେସ ନୂଆଦିଲ୍ଲୀ: ନିର୍ବାଚନ ଆୟୋଗରେ ଖାଲି ପଡ଼ିଥିବା ୨ ନିର୍ବାଚନ ଆୟୁକ୍ତ ପଦବୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂରଣ କରାଯାଇଛି। ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ଚୟନ କମିଟି ସେମାନଙ୍କ ନିଯୁକ୍ତିରେ ମୋହର ଲଗାଇଛନ୍ତି। ତେବେ ସେମାନଙ୍କ ନିଯୁକ୍ତି ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial