ବନ୍ଦ ସତ୍ତ୍ୱେ ବଢ଼ିଲା ତେଲ ଦର : ଓଡ଼ିଶାର ଅଧା ଜିଲ୍ଲା ଡେଇଁଲାଣି ୮୦, ମାଲକାନଗିରିରେ ୮୩ ଟଙ୍କା ୩୩ ପଇସା

ଭୁବନେଶ୍ୱର : ତେଲ ଦର ବୃଦ୍ଧି ବିରୋଧରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରାଗଲା। ଅଖ ଚକ୍‌ ସବୁ ବନ୍ଦ ହୋଇଗଲା। ଅର୍ଥନୀତିକୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଲା। ଏହାସତ୍ତ୍ୱେ କେନ୍ଦ୍ର ସରକାର ତାଙ୍କ ଜିଦ୍‌ରେ ଅଟଳ। ଯେମିତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତ ବନ୍ଦକୁ ଏତେ ବଡ ଜନ ସମର୍ଥନର ସାମାନ୍ୟତମ ପ୍ରଭାବ ତାଙ୍କ ଉପରେ ପଡିନି। ଓଲଟା ଏହାକୁ ବେଖାତିର୍‌ କରି ତେଲ ଉପରୁ ଉତ୍ପାଦନ ଶୁଳ୍କ ଛାଡ଼ିବେ ନାହିଁ ବୋଲି ଆଜି ଜଣେ ବରିଷ୍ଠ ସରକାରୀ ଅଧିକାରୀ ରୋକ୍‌ଠୋକ୍‌ ଜଣାଇଛନ୍ତି। ଅର୍ଥାତ୍‌ ନିକଟ ଭବିଷ୍ୟତରେ ତେଲ ଦର କମିବାର ସମ୍ଭାବନା ନାହିଁ ଏକଥା ସ୍ପଷ୍ଟ ହୋଇଯାଇଛି। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାର ଏକାଧିକ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ଡେଇଁସାରିଲାଣି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହା ୮୩ ଟଙ୍କା ଅତିକ୍ରମ କରିସାରିଛି। ପାରାଦୀପରେ ୮୦ ଟଙ୍କା ଛୁଇଁଲାଣି। ଅନେକ ଜିଲ୍ଲାରେ ଡିଜେଲ ମଧ୍ୟ ୮୦ ଟପିଗଲାଣି। ଭୁବନେଶ୍ୱରରେ ସୋମବାର ଡିଜେଲ ମୂଲ୍ୟ ଲିଟର ପିଛା ୭୮ ଟଙ୍କା ୧୫ ପଇସା ଥିଲା। ଏଠାରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ଥିଲା ୭୯ ଟଙ୍କା ୫୮ ପଇସା। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସୋମବାର ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ୨୪ ପଇସା ଏବଂ ପେଟ୍ରୋଲ ମୂଲ୍ୟ ୨୨ ପଇସା ବଢ଼ିଥିଲା। ମାଲକାନଗିରିର ଗ୍ରାହକମାନେ ଆଜି ଗୋଟିଏ ଲିଟର ପେଟ୍ରୋଲ ପାଇଁ ସର୍ବାଧିକ ୮୩ ଟଙ୍କା ୩୩ ପଇସା ଦେଇଛନ୍ତି। ଡିଜେଲ ଲିଟର ୮୧ ଟଙ୍କା ୯୦ ପଇସା ଥିଲା ଏଠାରେ। ସେହିଭଳି ଜୟପୁର, କୋରାପୁଟ ଓ ନବରଙ୍ଗପୁରରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଉପରେ ଏବେ ରହିଛି। ଜୟପୁରରେ ପେଟ୍ରୋଲ ଦର ୮୨ ଟଙ୍କା ୭୫, ଡିଜେଲ ଦର ୮୧ ଟଙ୍କା ୩୨, କୋରାପୁଟରେ ପେଟ୍ରୋଲ ଦର ୮୨ ଟଙ୍କା ୮୩ ଏବଂ ଡିଜେଲ ଦର ୮୧ ଟଙ୍କା ୪୦ ରହିଛି। ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଦର ୮୨ ଟଙ୍କା ୫୬ ଏବଂ ଡିଜେଲ ଦର ୮୦ ଟଙ୍କା ୮୯ ପଇସାରେ ବିକ୍ରି ହେଉଛି। ତେଲ ଦର ଏତେ ଅଧିକ ହୋଇଯାଇଥିଲେ ମଧ୍ୟ ସରକାର ବେଫିକର ହୋଇ ବସି ପଡ଼ିଛନ୍ତି। ଜିଏସ୍‌ଟି ପରିସରକୁ ତେଲ ଅଣାଗଲେ ଏହାର ଦର କମିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର କହୁଛନ୍ତି। କିନ୍ତୁ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ କେନ୍ଦ୍ର ସରକାର ନେଉନାହାନ୍ତି। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଅଢ଼େଇ ଟଙ୍କା ଏବଂ ଆଜି ଆନ୍ଧ୍ର ପ୍ରଦେଶ ସରକାର ୨ ଟଙ୍କା ଭାଟ୍‌ ହ୍ରାସ କରିଥିଲେ ମଧ୍ୟ ଅନ୍ୟ କୌଣସି ରାଜ୍ୟ ଏପର୍ଯ୍ୟନ୍ତ ଭାଟ୍‌ କମାଇବା ନେଇ କିଛି ସଙ୍କେତ ଦେଇ ନାହାନ୍ତି। ଓଡ଼ିଶା ସରକାର ବି ଏ ପ୍ରସଙ୍ଗରେ ନିରବ ରହିଛନ୍ତି।

ଆଜି ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି କେନ୍ଦ୍ର ସରକାର ଏବେ ରାଜସ୍ୱ ହରାଇବା ସ୍ଥିତିରେ ନାହାନ୍ତି। ସେହିଭଳି ଅନେକ ରାଜ୍ୟ ମଧ୍ୟ ରାଜସ୍ୱ ଛାଡ଼ିବା ପରିସ୍ଥିତିରେ ନାହାନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ତେଲ ଉପରୁ ଟିକସ ଛାଡ଼ିଲେ ସେମାନଙ୍କ ନିଅଣ୍ଟ ବଢ଼ିଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି। ନିର୍ବାଚନ ଆଉ ଅଳ୍ପ କିଛିମାସ ଅଛି। ସରକାରରେ ଥିବା ଦଳ ଲୋକଙ୍କ ନିକଟକୁ ଭୋଟ ମାଗିବାକୁ ଯିବେ। ଦେଶରେ ତେଲ ଦର ବୃଦ୍ଧି ଯୋଗୁ ଲୋକେ ତାତିକରି ରହିଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଉନାହାନ୍ତି। ଫଳରେ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦାନା ବାନ୍ଧୁଛି। କେନ୍ଦ୍ର ସରକାର ଏହାକୁ ହୃଦୟଙ୍ଗମ କରିପାରୁ ନାହାନ୍ତି କିମ୍ବା ଅନ୍ୟ କୌଣସି ଗୋପନ ଏଜେଣ୍ଡା ରଖି ଦର କମାଇବା ଲାଗି ପଦକ୍ଷେପ ନେଉନାହାନ୍ତି ତାହା ବୁଝାପଡ଼ୁ ନାହିଁ। ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଟପିଗଲାଣି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରଭାବରେ ଦେଶରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଘଟିବା ଆରମ୍ଭ ହୋଇଗଲାଣି। ଲୋକେ ପଛେ ଦର ବୃଦ୍ଧି ଯୋଗୁ ଆଉଟୁପାଉଟୁ ହୁଅନ୍ତୁ ସରକାର କିନ୍ତୁ ତାଙ୍କ ତହବିଲକୁ ପ୍ରଭାବିତ ହେବାକୁ ଦେଉନାହାନ୍ତି। ଏଭଳି ଜିଦ୍‌ରେ ସରକାର ରହିଥିବା ଭଳି ମନେ ହେଉଛି।

ବୁଦ୍ଧିଜୀବୀ ମହଲ ମତରେ, ୨୦୧୪ ନିର୍ବାଚନ ପୂର୍ବରୁ ‘ସବ୍‌କା ସାଥ୍‌ , ସବ୍‌କା ବିକାଶ’ ନାରା ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାର ଏହି ସ୍ଳୋଗାନ୍‌କୁ ସମ୍ପୂର୍ଣ୍ଣ ପାସୋରି ପକାଇଲେଣି। ମୋଦୀ ସରକାର ଦେଶରେ ଅର୍ଥନୀତି କ୍ଷେତ୍ରରେ ବଡ଼ ସଂସ୍କାର ଆଣିଲେ ବୋଲି ଡିଣ୍ଡିମ ପିଟୁଥିଲେ। ପ୍ରଥମେ ବିମୁଦ୍ରୀକରଣ ଏବଂ ପରେ ଜିଏସ୍‌ଟିକୁ କାର୍ଯ୍ୟକାରୀ କଲେ। ଏହାଦ୍ୱାରା ଅର୍ଥନୀତି ଲାଭବାନ ହେବ ବୋଲି କହିଲେ। କିନ୍ତୁ ବିମୁଦ୍ରାକରଣର ଲାଭ ଦେଶକୁ କେତେ ମିଳିଲା ତାହା କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣା ପଡ଼ିସାରିଛି। ସେହିଭଳି ଜିଏସ୍‌ଟି ଲାଗୁ ଜନିତ ପ୍ରତିକୂଳ ପ୍ରଭାବରୁ ଆଜି ପର୍ଯ୍ୟନ୍ତ ଅର୍ଥନୀତି ସଳଖି ଠିଆ ହୋଇନାହିଁ। ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବ୍ୟବସାୟୀ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଦେଇଥିିବା ବେଳେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇ ଏପର୍ଯ୍ୟନ୍ତ ଘରେ ବସିଛନ୍ତି।

ଏବେ ଅର୍ଥନୀତି ସାମ୍ନାରେ ଯେଉଁ ଦୁଇଟି ଜଟିଳ ସମସ୍ୟା ଯଥା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସକୁ ଉତ୍ତମ ରୂପେ ସରକାର ପରିଚାଳନା କରି ପାରୁନାହାନ୍ତି। ଯାହା ଫଳରେ ପ୍ରତିଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ନୂଆ ରେକର୍ଡ ସ୍ତରକୁ ବଢ଼ି ଚାଲିଛି। ଗୋଟିଏ ପଟେ ଟଙ୍କା ମୂଲ୍ୟ ଦିନକୁ ଦିନ ଦୁର୍ବଳ ହେବା ଏବଂ ଅନ୍ୟପଟେ ତେଲ ଦର ବଢ଼ି ନୂଆ ରେକର୍ଡ ସ୍ତରକୁ ଛୁଇଁବା ଦ୍ୱାରା ମୋଦୀ ସରକାର ଆଗାମୀ ଦିନରେ ଅଡ଼ୁଆରେ ପଡ଼ିବା ନିଶ୍ଚିତ।

Share Now:

Kalinga News Beuro

Leave a Reply

Next Post

ଷ୍ଟେଟ୍‌ ବ୍ୟାଙ୍କ୍‌ ନେଲା ବଡ଼ ନିଷ୍ପତ୍ତି; ଏଣିକି ଜଣଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଅନ୍ୟ ଜଣେ କରିପାରିବେ ନାହିଁ ଅର୍ଥ ଜମା!

Tue Sep 11 , 2018
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସ୍‌ବିଆଇ) ଏକ ନୂଆ ନିୟମ ଜାରି କରିଛି। ଏଣିକି ଆପଣଙ୍କ ସଞ୍ଚୟ ଖାତାରେ ଅନ୍ୟ କେହି ଟଙ୍କା ଜମା କରିପାରିବେ ନାହିଁ। ଅତ୍ୟାବଶ୍ୟକ କ୍ଷେତ୍ରରେ ଏସ୍‌ବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା ଅନୁସାରେ ଜମା କରିହେବ। ଆପଣଙ୍କ ବ୍ୟାଙ୍କ୍‌ ଖାତାରେ ଯଦି ଅନ୍ୟ କେହି ଜମା କରିବାକୁ ଚାହାନ୍ତି ତେବେ ଫର୍ମରେ ଆପଣଙ୍କ ଦସ୍ତଖତ କିମ୍ବା ଆପଣଙ୍କର ଏକ ଲିିଖିତ ପତ୍ର ଦେବାକୁ ହେବ। ବିମୁଦ୍ରାୟନ ସମୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial