ରାସ୍ତା ପାଲଟୁଛି ଅଘୋଷିତ ବଜାର : ବେପାରୀଙ୍କ କବ୍‌ଜାରେ ଫୁଟ୍‌ପାଥ, ସାଇକେଲ୍‌ ଟ୍ରାକ

ରାସ୍ତା ପାଲଟୁଛି ଅଘୋଷିତ ବଜାର

ହର ଅସୁନ୍ଦର ହେବା ସହ ବଢ଼ୁଛି ଟ୍ରାଫିକ୍ ସମସ୍ୟା

ଭୁବନେଶ୍ୱର: ସ୍ଥାନ ବିଜେବି କଲେଜ ସାମ୍ନା। ୨/୩ ବର୍ଷ ତଳେ ଏଠି ଗୋଟିଏ ଫଳ ଦୋକାନ ଖୋଲିଲା। ତାହାର କିଛି ମାସ ପରେ ଆଉ ଦୁଇଟି ଖୋଲିଲା। ମଝିରେ ମଝିରେ ଉଚ୍ଛେଦ କରାଯାଉଥିଲେ ବି ସେମାନେ ପୁଣି ବସିଲେ। ବିଏମ୍‌ସି ଅଧିକାରୀମାନେ ଦେଖି ନ ଦେଖିଲା ପରି ରହିଲେ। ଏବେ ସେହି ସଂଖ୍ୟା ବଢ଼ି ବଢ଼ି ୨୦ରେ ପହଞ୍ଚିଗଲାଣି। ବିଜେବି କଲେଜ ଫାଟକ ଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ଯାଏ ଏକ ଅଘୋଷିତ ଫଳ ବଜାର ସୃଷ୍ଟି ହୋଇଛି। ସେମାନଙ୍କ କବଳରେ ଫୁଟ୍‌ପାଥ। ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ଆକାର ଧାରଣ କଲାଣି। ସମାନ ସ୍ଥିତି ପ୍ରଦର୍ଶନୀ ପଡ଼ିଆ ସାମ୍ନାରେ। ପୂର୍ବରୁ ପଡ଼ିଆ ଭିତରେ କୌଣସି ମେଳା, ପ୍ରଦର୍ଶନୀ ଚାଲିଥିଲା ବେଳେ ବାହାରେ କାଁ ଭାଁ କିଛି ଦୋକାନୀ ପସରା ମେଲାନ୍ତି। କିନ୍ତୁ ଧୀରେ ଧୀରେ ବଢ଼ି ଏବେ କିଛି କାର୍ଯ୍ୟକ୍ରମ ହେଉ କି ନହେଉ, ରାସ୍ତାର ଦୁଇପଟେ ବର୍ଷତମାମ ବ୍ୟବସାୟର ପସରା ମେଲୁଛି। ଫଳ ଠାରୁ ଆରମ୍ଭ କରି ଘରସଜ୍ଜା ଯାଏ, ସବୁ ସାମଗ୍ରୀ ଏଠାରେ ମିଳିଲାଣି। ଏହା ଏକ ବଜାରର ଭ୍ରମ ସୃଷ୍ଟି କରୁଛି। ବିଏମ୍‌ସି ସ୍କା‌ର୍ଡ ଗାଡ଼ି ସବୁଦିନେ ଏପଟେ ଯା’ଆସ କରୁଥିଲେ ବି କିଛି ପ୍ରଭାବ ପଡ଼ୁନି। ସତ୍‌ସଙ୍ଗ ବିହାର ସାମ୍ନାରେ ତ ସ୍ଥିତି ଆହୁରି ଗୁରୁତର। ଏଠି ଗୋଟିଏ ଦୁଇଟି ଫଳ ଦୋକାନରୁ ବେପାର ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଲମ୍ବା ଧାଡ଼ିରେ ବ୍ୟବସାୟ ଚାଲିଛି। ମଝିରେ ମଝିରେ ବିଏମ୍‌ସି ଅଧିକାରୀମାନେ ଆସି ଉଠାଇ ଦେଉଛନ୍ତି। ପୁଣି ୩/୪ ଦିନ ପରେ ଅବସ୍ଥା ଯଥା ପୂର୍ବଂ ତଥା ପର। ଏଠାରେ ଏବେ ବସ୍‌ ରହୁଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି।
ରାଜଧାନୀର ଏହି ତିନିଟି ପ୍ରମୁଖ ରାସ୍ତା କେବଳ ଉଦାହରଣ ମାତ୍ର। ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇ କିଛି ମାସ ମଧ୍ୟରେ କିପରି ପୂରା ରାସ୍ତାକୁ କବ୍‌ଜାକୁ ନିଆଯାଇପାରେ, ତାହାର ଚିତ୍ର ଏଠାରେ ଦେଖିବାକୁ ମିଳିଛି। ସମାନ ତରିକାରେ ସହରର ବହୁ ରାସ୍ତାକୁ ଏମିତି ଜବରଦଖଲ କରାଯାଇ ବେପାର ପସରା ମେଲାଯାଇଛି। ଏସବୁ ଯେ ବିଏମ୍‌ସିର ଅଜାଣତରେ ହେଉଛି, ତାହା ଆଦୌ ନୁହେଁ। ସହରରେ ଏମିତି ବେଲଗାମ ଭାବେ ଉଠା ଦୋକାନ ବଢ଼ିବା ପଛରେ ବିଏମ୍‌ସିର ଅଧିକାରୀମାନଙ୍କର ଯେ ପ୍ରଚ୍ଛନ୍ନ ହାତ ଅଛି ବୋଲି ଅଭିଯୋଗ ହେଉଛି। ସହରର ମୁଖ୍ୟ ରାସ୍ତାଘାଟରେ ଫୁଟ୍‌ପାଥ ଓ ସାଇକେଲ୍‌ ଟ୍ରାକ୍‌କୁ କୌଣସି ପରିସ୍ଥିତିରେ ବି ଜବରଦଖଲ କରିବାକୁ ଦିଆଯିବ ନାହିଁ ବୋଲି ବିଏମ୍‌ସି ବିଭିନ୍ନ ସମୟରେ ଘୋଷଣା କରିଛି। ଯେବେ ଘୋଷଣା ହୋଇଛି, ସେବେ ଲୋକଦେଖାଣିଆ ଭାବେ ଉଚ୍ଛେଦ କରାଯାଇଛି। କିନ୍ତୁ ଦୁଇ ତିନି ପରେ ପୁରୁଣା ଅବସ୍ଥା ଫେରିଆସିଛି। ମୁଖ୍ୟ ରାସ୍ତାଘାଟରେ ଫୁଟ୍‌ପାଥ ଜବରଦଖଲ ହେବା ଦ୍ବାରା ପଥଚାରୀମାନେ ଭୀଷଣ ସମସ୍ୟା ଭୋଗୁଛନ୍ତି। ଏଥି ପ୍ରତି ବିଏମ୍‌ସି କର୍ତ୍ତୃପକ୍ଷ ଆଖି ବୁଜିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ଏକ ସଙ୍ଗୀନ୍ ଅଭିଯୋଗ ହେଲା ଯେ କିଛି ଜାଗାରେ ସ୍ଥାନୀୟ ଜନପ୍ରତିନିଧି ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରରୋଚନାରେ ହିଁ ଜବରଦଖଲ ହେଉଛି। ସେମାନେ ଉଠା ଦୋକାନୀଙ୍କୁ ବସିବାକୁ ସୁଯୋଗ ଦେଇ ଦୈନିକ ଚାନ୍ଦା ଆଦାୟ କରୁଛନ୍ତି। ଏ ସମ୍ପର୍କରେ ବିଏମ୍‌ସିରେ ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀମାନେ ନୀରବ ରହିଯାଉଛନ୍ତି।
ସଚେତନ ନାଗରିକମାନଙ୍କ କହିବା କଥା ହେଲା, ସହରରେ ଉଠା ଦୋକାନୀମାନେ ବେପାର କରି ସେମାନଙ୍କ ଗୁଜରାଣ ମେଣ୍ଟାଇବାରେ ଅସୁବିଧା ନାହିଁ। କିନ୍ତୁ ସେମାନଙ୍କ ବେପାର ଦ୍ବାରା ଯଦି ସାଧାରଣ ଜନତା ସମସ୍ୟା ଭୋଗୁଛନ୍ତି, ତେବେ ତାହା କଦାପି ଗ୍ରହଣୀୟ ନୁହେଁ। ଅତି କମ୍‌ରେ ମୁଖ୍ୟ ରାସ୍ତା‌ରେ ବିଏମ୍‌ସି ଯତ୍ନବାନ ହେବା ଉଚିତ। ଉଠା ଦୋକାନୀମାନେ ବ୍ୟବସ୍ଥିତ ଢଙ୍ଗରେ କିପରି ବେପାର କରିପାରିବେ, ତାହାର ବନ୍ଦୋବସ୍ତ କରିବା ଉଚିତ। ତାହା ନକରିବାରୁ ସହର ତ ଅସୁନ୍ଦର ହେଉଛି, ତାହା ସହ ରାଜଧାନୀବାସୀ ସମସ୍ୟା ବି ଭୋଗୁଛନ୍ତି।

Share Now:

Kalinga News Beuro

Next Post

ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ ମହିଳା ସରପଞ୍ଚ : ସୁପ୍ରିମୋଙ୍କୁ ଜଣାଇଲେ ଧନ୍ୟବାଦ

Sat Apr 20 , 2024
ଭୁବନେଶ୍ୱର: ଦୁଇ ଦିନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପଞ୍ଚମ ପର୍ଯ୍ୟାୟରେ ଯେତେବେଳେ ପ୍ରାର୍ଥୀ ଘୋଷଣା କରିଥିଲା, ସେହି ସମୟରେ ଟିକେଟ ନପାଇ ପୂର୍ବ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। କିନ୍ତୁ ଆଜି ବିଜେଡି ଜଣେ ମହିଳା ସରପଞ୍ଚ ଯେତେବେଳେ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା କଳା, ସଂପୃକ୍ତ ଲୋକପ୍ରତିନିଧି ଜଣକ ନିଜର ଲୁହକୁ ଅଟକାଇ ପାରି ନଥିଲେ। ବିଜେଡି […]
ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ ମହିଳା ସରପଞ୍ଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial