ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଆଇସିସି ଟି-୨୦ ବିଶ୍ୱକପ୍ର ଅନ୍ତିମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୭ରନ୍ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହା ଭାରତୀୟ ଦଳର ଦ୍ୱିତୀୟ ଟି-୨୦ ଟାଇଟଲ୍ ଏବଂ ଦୁଇଥର ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଦେଶ ମଧ୍ୟରେ ଭାରତ ଏବେ ତୃତୀୟରେ ରହିଛି। ଏହା ପୂର୍ବରୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିଲେ। ତେବେ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। ଉଭୟ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଉଥିବା ଘୋଷଣା କରିଥିଲେ। ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହେବା ପରେ ଏହି ଦୁଇ ମହାନ ଖେଳାଳି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଭାରତର ଅଧିନାୟକତ୍ୱ କିଏ କରିବ, ତାହା ଆଲୋଚନାର ବିଷୟ ପାଲଟିଛି। ଆଲୋଚନା ମଧ୍ୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଏବେ ଆଗରେ ରହିଛି। ସେ ଆଗାମୀ ଟି-୨୦ ଟିମର ଅଧିନାୟକ ହେବେ ବୋଲି ଚର୍ଚ୍ଚା ହେଉଛି।
ତେବେ ଏମଧ୍ୟରେ ବିସିସିଆଇ ସଚିବ ଜୟ ଶାହା ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଅଧିନାୟକ କିଏ ହେବ ତା’ର ନିଷ୍ପତ୍ତି ଚୟନକର୍ତ୍ତା ନେବେ। ଆମେ ସେମାନଙ୍କ ସହ ଆଲୋଚନା କରିବା ପରେ ଏହା ବିଷୟରେ ଘୋଷଣା କରିବୁ। ଲୋକେ ହାର୍ଦ୍ଦିକଙ୍କ ଫର୍ମକୁ ନେଇ ତାଙ୍କୁ ଟ୍ରୋଲ କରିଥିଲେ। କିନ୍ତୁ ଆମେ ଏବଂ ଚୟନକର୍ତ୍ତାମାନେ ତାଙ୍କ ଉପରେ ବିଶ୍ୱାସ ପ୍ରଦର୍ଶନ କରିଥିଲୁ ଏବଂ ସେ ନିଜକୁ ପ୍ରମାଣ କରିଥିଲେ। ” ତାଙ୍କର ଏଭଳି ବୟାନ ପରେ ହାର୍ଦ୍ଦିକଙ୍କୁ ହିଁ ଅଧିନାୟକତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ରୋହିତଙ୍କ ଅବସର ପରେ ଟି-୨୦ ଟିମର ଅଧିନାୟକ ହେବେ ପାଣ୍ଡ୍ୟା

Share Now: