ଦୁବାଇ: ଇଣ୍ଡିଆନ୍ ପ୍ରିମିୟମ ଲିଗ୍ (ଆଇପିଏଲ୍) ୧୩ତମ ସଂସ୍କରଣର ପ୍ରଥମ ସୁପର ଓଭରରେ କିଙ୍ଗସ୍ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଦୁଇ ଦଳର ରନ୍ ସଂଖ୍ୟା ସମାନ ହେବା ପରେ ସୁପର ଓଭର ପଡ଼ିଥିଲା। କିଙ୍ଗସ୍ ଇଲେଭେନ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମାତ୍ର ୨ ରନ୍ କରିପାରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କାଗିସୋ ରାବାଡା ସୁପର ଓଭର ବୋଲିଂ କରି ମାତ୍ର ୨ରନ୍ ଦେଇ ୨ଟି ୱିକେଟ ନେଇଥିଲେ। ରିଷଭ ପନ୍ତ ସୁପର ଓଭରରେ ୨ରନ୍ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟ ଦେଇଥିଲେ। ପୂର୍ବରୁ ଟସ୍ ଜିଣି କିଙ୍ଗସ୍ ଇଲେଭେନ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଟିମ ଆରମ୍ଭରୁ ଧୀମା ଗତିରେ ଖେଳିଥିଲା। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା।

ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ ସର୍ବାଧିକ ୫୩ ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୩୯ ରନ୍ ଓ ଋଷଭ ପନ୍ତ ଦଳପାଇଁ ୩୧ ରନ୍ ଯୋଡ଼ିଥିଲେ। ଏହାପରେ ପଞ୍ଜାବ ଦଳ ପଡ଼ିଆକୁ ବ୍ୟାଟିଂ ଲାଗି ଓହ୍ଲାଇଥିଲା। ଦଳ ପକ୍ଷରୁ ମଧ୍ୟ ମୟଙ୍କ ଅଗ୍ରୱାଲ ୬୦ ବଲ୍ (୮୯) ରନ୍ କରିଥିବା ବେଳେ କ୍ୟାପଟେନ୍ ଲୋକଶେ ରାହୁଲ ୧୯ ବଲ୍ (୨୧) ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ଶେଷ ଓଭର ବୋଲିଂ କରୁଥିବା ବେଳେ ପଞ୍ଜାବକୁ ମ୍ୟାଚ ଜିତିବା ପାଇଁ ୧୩ ରନ୍ ଦରକାର ଥିଲା। କିନ୍ତୁ କିଙ୍ଗସ ଇଲେଭେନର ଦୁଇ ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରଓ୍ୱାଲ୍ ଓ କ୍ରିସ୍ ଜୋର୍ଡାନ୍ ୧୨ ରନ୍ କରିପାରିଥିଲା ଫଳରେ ମ୍ୟାଚ ଟାଇ ହୋଇଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି। ସେ ୨୧ଟି ବଲରେ ୫୩ ରନ୍ କରିବା ସହ ୨ଟି ଉଇକେଟ୍ ନେଇଛନ୍ତି।