ଅହମଦାବାଦ : ଆଇସିସି ବିଶ୍ୱକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହା ସହିତ ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି । ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପାକିସ୍ତାନ ଭାରତ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟକୁ ଭାରତ ୩୦.୩ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରି ନେଇଥିଲା। ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ରୋହିତ ଶର୍ମା। ସେ ୬୩ଟି ବଲରୁ ୬ ଛକା, ୬ ଚୌକା ସହ ୮୬ ରନ କରିଥିଲେ। ତାଙ୍କର ବିଦାୟ ପରେ ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ (୫୩ ରନ) ହାସଲ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ। ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ। ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରି ଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ। ବାବର ୫୦ ରନ କରିଥିବା ବେଳେ ରିଜଓ୍ବାନ ୪୯ ରନ କରିଥିଲେ। କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା। ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାତ୍ର ୩୬ ରନରେ ପାକିସ୍ତାନର ଶେଷ ୮ଟି ଉଇକେଟ୍ ପଡ଼ିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇ ପାକିସ୍ତାନକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ।
ବିଶ୍ୱକପରେ ଭାରତର ଦମଦାର୍ ବିଜୟ : ପାକିସ୍ତାନ ୭ ଓ୍ବିକେଟରେ ପରାସ୍ତ

Share Now: