ରାଉରକେଲା: ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ଆଜି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପତାକା ଉତ୍ତୋଳନ କରି ଏହାକୁ ଉଦଘାଟନ କରିଛନ୍ତି। ରାଉରକେଲାଠାରେ ଅନୁଷ୍ଠିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ପାନପୋଷ ଉପଖଣ୍ଡର ପ୍ରାୟ ୫୦ଟି କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ‘‘ହକି ବିଶ୍ଵକପ୍ ପୂର୍ବରୁ ସମଗ୍ର ଜିଲ୍ଲାରେ କ୍ରୀଡ଼ା ମହୋତ୍ସବ ଆରମ୍ଭ ହୋଇଛି। ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ହକି, ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏବେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ପିଲାମାନେ ଆଗ୍ରହର ସହ ଯୋଗ ଦେଇଛନ୍ତି। ରାଉରକେଲାରେ ହକି ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି’’, କହିଛନ୍ତି ରାଉରକେଲା ବିଧାୟକ ଶ୍ରୀ ନାୟକ। ‘‘ହକି ବିଶ୍ୱକପ ପାଇଁ ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ରାଉରକେଲାରେ ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଶୁଭାରମ୍ଭ ହୋଇଛି। ଏଥିରେ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି। ସେମାନଙ୍କ ଭିତରେ କ୍ରୀଡ଼ା ପ୍ରତି ଉତ୍ସାହ ଏବଂ ଆଗ୍ରହ ରହିଥିବା ଦେଖିବାକୁ ମିଳିଛି’’, କହିଛନ୍ତି ଡାକ୍ତର ଶୁଭଙ୍କର ମହାପାତ୍ର।ବୁଧବାର ଦିନ ଛାତ୍ରଛାତ୍ରୀମାନଙ୍କ ଭିତରେ ଖୋଖୋ, କବାଡ଼ି, ଭଲିବଲ ପ୍ରତିଯୋଗିତା ହୋଇଥିଲା। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୯୧ଟି ଟିମ ଭାଗ ନେଇଥିଲେ। ସେଥିମଧ୍ୟରେ ୫୬ଟି ଟିମ କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି। ଭଲିବଲରେ ୧୦ଟି, କବାଡ଼ିରେ ୨୪ଟି ଏବଂ ଖୋଖୋରେ ୨୨ଟି ଟିମ୍ କ୍ୱାର୍ଟର ଫାଇନାଲ ଖେଳିବେ। ଏହାପରେ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସେହିପରି ଶୁକ୍ରବାର ଦିନ ଆଥଲେଟିକ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଶନିବାର ଦିନ ଏହି ବର୍ଗରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ କରାଯାଇ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ହକି କୋଚ ପ୍ରଫୁଲ୍ଲ ତିର୍କି ଏବଂ ରାଉରକେଲା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଡିସେମ୍ବର ୧୬ ତାରିଖରୁ ସୁନ୍ଦରଗଡ଼ ଏବଂ ବଣାଇଁ ଉପଖଣ୍ଡରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୁନ୍ଦରଗଡ଼ ସରକାରୀ କଲେଜ ନିକଟରେ ଥିବା ଏ ଏଲ ନାୟର ଷ୍ଟାଡିୟମ ଏବଂ ବଣାଇଁ ମହାବିଦ୍ୟାଳୟ ପଡ଼ିଆରେ ଏହି ପ୍ରତିଯୋଗିତା ୧୮ ତାରିଖ ଯାଏଁ ଚାଲିବ। ଏଥିରେ +୨, ଡିଗ୍ରୀ ଏବଂ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ।
ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ : ଭାଗ ନେଲେ ୯୧ ଟିମ୍

Share Now: