ନ୍ୟୁୟର୍କ : ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ସେ ଆହ୍ଵାନ ଜଣାଇଛନ୍ତି। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ ସଂପର୍କିତ ରିପୋର୍ଟ ଆମ ନଜରକୁ ଆସିଛି। ଉତ୍ତେଜନା ହ୍ରାସ ପାଇ ଦୁଇଦେଶ ଉଦ୍ୟମ କରନ୍ତୁ ଓ ନିଶ୍ଚିତ କରନ୍ତୁ ଯେପରି ଉତ୍ତେଜନା ଆଗକୁ ନ ବଢେ। ଏହା ପୂର୍ବରୁ ଆମେରିକା ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପେଣ୍ଟାଗନର ମୁଖପାତ୍ର ପାଟ୍ରିକ ରାଇଡର କହିଥିଲେ ଯେ ଆମେରିକାର ସହଯୋଗୀ ଦେଶମାନଙ୍କ ସହ ଚୀନ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଆଶ୍ୱସଟି ଆଶ୍ବସ୍ତିର କଥା ହେଉଛି ଉତ୍ତେଜନା ପ୍ରଶମିତ ହୋଇଛି। ଆମେରିକା ସବୁବେଳେ ଏପରି ପରିସ୍ଥିତିରେ ନିଜ ସହଯୋଗୀମାନଙ୍କ ପଛରେ ଛିଡ଼ା ହେବ। ସୂଚନାଯୋଗ୍ୟ ଯେ, ଗତ ୮ ଓ ୯ ତାରିଖ ରାତିରେ ପ୍ରାୟ ୩୦୦ ଚୀନ ସୈନ୍ୟ ଭାରତୀୟ ଅଂଚଳରେ ଅନୁପ୍ରବେଶ କରିବା ପରେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ। ଏହି ସମୟରେ ଖବର ପାଇ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଭାରତୀୟ ସୈନ୍ୟମାନେ ସେଠାରେ ପହଞ୍ଚି ଚୀନ ସୈନ୍ୟଙ୍କୁ ଘେରିଯାଇଥିଲେ। ଏହି ହାତାହାତି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି।
ଭାରତ-ଚୀନ ସଂଘର୍ଷ ସଂପର୍କରେ ପ୍ରତିକ୍ରିୟା ଦେଲା ଜାତିସଂଘ

Share Now: