ଜଟଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ ସହ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିବା ଦାବି କରାଯାଉଛି। ତେବେ ଏ ଦାବି ଓ ପ୍ରକୃତ ସ୍ଥିତି ଭିତରେ କେତେ ଫରକ୍, ଜଟଣୀ ବ୍ଲକ ଅନ୍ତର୍ଗତ ରଥୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଜଣାପଡ଼େ। ଏଠାକାର ଛାତ୍ରଛାତ୍ରୀମାନେ ଏଯାଏ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ଯେକେହି ଗଲେ ଦେଖିପାରିବେ ଯେ ଖରାଛୁଟି ପରେ ସ୍କୁୂଲ ଖୋଲିଥିଲେ ମଧ୍ୟ ପରିସର ଲଟାବୁଦାରେ ପୂରିଛି। ଭିତରଟି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ସପ୍ତମ ଓ ଅଷ୍ଟମ ଶ୍ରେଣୀ ଭିତରକୁ ଅନେଇଲେ ଆହୁରି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିବ। ସେ ଦୁଇଶ୍ରେଣୀରେ ପିଲାଙ୍କ ସଂଖ୍ୟା ତୁଳନାରେ ବସିବା ବେଞ୍ଚ ନାହିଁ। ତେଣୁ କିଛିପିଲା ତଳେ ସତରଞ୍ଜି ପକାଇ ବସୁଛନ୍ତି। ସ୍କୁଲରେ ଟଏଲେଟ୍, ବିଦ୍ୟୁତ୍, ପିଇବା ପାଣି ଆଦି ସମସ୍ୟା କଥା ତ ନକହିବା ଭଲ। ରଥୀପୁର ପଞ୍ଚାୟତରେ ୧୯୨୬ ମସିହାରେ ଏହି ସ୍କୁୂଲଟି ସ୍ଥାପିତ ହୋଇଥିଲା। ଏଠାରେ ରଥୀପୁର ସହ ଆଖପାଖ ଅଞ୍ଚଳର ପିଲାମାନେ ପାଠ ପଢ଼ନ୍ତି। ଏହି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବର୍ତମାନ ସମୁଦାୟ ୨୭୪ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୯ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ରଥୀପୁର ଅଞ୍ଚଳରେ ଏହା ଏକ ବହୁ ପୁରାତନ ସ୍କୁଲ ହିସାବରେ ଜଣାଶୁଣା ଥିଲେ ମଧ୍ୟ ଏହା ବିଭିନ୍ନ ସମସ୍ୟାରେ ବୁଡ଼ି ରହିଛି। ଏବେବି ଅନେକ ସମସ୍ୟା ଦେଇ ଗତିକରୁଛି। ଏବେ ବର୍ଷାଦିନ ଚାଲିଥିବାରୁ ବିଦ୍ୟାଳୟ ପରିସରରେ ଘାସଲଟା ଆଦି ବଢ଼ି ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ଦିନବେଳାରେ ବି କ୍ଲାସରୁମ୍ରେ ପିଲାଙ୍କୁ ମଶାକାମୁଡ଼ାରୁ ନିସ୍ତାର ମିଳୁନାହିଁ। ଏଥିସହ ସ୍କୁୂଲ ପରିସରରେ ସରୀସୃପଙ୍କର ଭୟ ଲାଗି ରହୁଛି। ବିଦ୍ୟାଳୟରେ କେବଳ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ବସିବା ପାଇଁ ଷ୍ଟଡି ଟେବୁଲ୍ ରହିଛି। ବାକି ଶ୍ରେଣୀର ପିଲା ତଳେ ବସି ପଢ଼ନ୍ତି।
ଆହୁରି ଦିର୍ଭାଗ୍ୟଜନକ କଥା ହେଉଛି, ଯେଉଁ ଦୁଇଟି ଶ୍ରେଣୀର ପିଲାଙ୍କ ପାଇଁ ଷ୍ଟଡି ଟେବୁଲ୍ ଅଛି, ତାହା ମଧ୍ୟ ଯଥେଷ୍ଟ ନୁହେଁ। ସେଥିପାଇଁ କିଛି ଛାତ୍ରଛାତ୍ରୀ ତଳେ ବସି ପଢୁଛନ୍ତି। ସ୍କୁୂଲା ପାର୍ଶ୍ୱ ପାଚେରି ଭଗ୍ନ ଅବସ୍ଥାରେ ଅନେକ ଦିନ ହେଲା ପଡ଼ି ରହିଛି। ତେଣୁ ଗୋରୁଗାଈ, କୁକୁର ଆଦି ପରିସରରେ ପଶି ସବୁବେଳେ ପରିବେଶକୁ ଅପରିଷ୍କାର କରୁଛନ୍ତି। ଏମିତିକି ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ସମୟରେ ବୁଲାକୁକୁର ଅତି ପାଖକୁ ଚାଲିଆସୁଥିବାରୁ ଛାତଛାତ୍ରୀମାନେ ଭଲରେ ନର୍ଭୟରେ ଖାଇବା ସମ୍ଭବ ହେଉନାହିଁ। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ଟଏଲେଟ୍ ଆଉ ବ୍ୟବହାରଉପଯୋଗୀ ହୋଇ ରହିନାହିଁ। ତେଣୁ ବିଶେଷ କରି ଛାତ୍ରୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ଏ ସ୍କୁଲରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କର ସଂଖ୍ୟା ଅଧିକ। କେବଳ ସେତିକି ନୁହେଁ, ସ୍କୁୂଲରେ ପିଇବା ପାଣିର ମଧ୍ୟ ଅସୁବିଧା ରହିଛି ବୋଲି ଅଭିଭାବକମାନେ ଅଭିଯୋଗ କରନ୍ତି। ଆଉ ଗୋଟିଏ ବଡ଼କଥା ହେଉଛି ଯେ ସ୍କୁୂଲର ମୁଖ୍ୟଗେଟ୍ ମଧ୍ୟ ଅନେକ ଦିନ ହେଲାଣି ବନ୍ଦହୋଇ ପଡ଼ିଛି। ଶିକ୍ଷକଶିକ୍ଷୟିତ୍ରୀ ଓ ପିଲାଏ ତା’କଡ଼ରେ ଥିବା ଛୋଟିଆ ରାସ୍ତା ଦେଇ ଯା’ଆସ କରୁଛନ୍ତି। ଗେଟ୍ରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ବର୍ଷ ବର୍ଷ ଧରି ଏମିତି ଚାଲିଥିବାବେଳେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବ୍ଲକ୍ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ାଙ୍କୁ ଏ ପ୍ରସଙ୍ଗରେ ପଚାରିବାରୁ ସେ କହିଲେ, ସ୍କୁଲରେ ଏଭଳି ସମସ୍ୟା ଲାଗି ରହିଥିବା କଥା ସାମ୍ନାକୁ ଆସିନାହିଁ। ତେବେ ଘଟଣାର ଯାଞ୍ଚ କରାଯାଇ ଉଚିତ ପଦକ୍ଷେପ ନିଆଯିବ।
ତଳେବସି ପଢ଼ୁଛନ୍ତି ପିଲା : ସ୍କୁଲହତାରେ ମଶା,ସାପ ଭୟ

Share Now: