ରାଜଧାନୀରେ ସୁଧୁରୁନି ଟ୍ରାଫିକ୍‌ ସମସ୍ୟା : ବଢ଼ୁଛି ଦୁର୍ଘଟଣା

ସୁଧୁରୁନି ଟ୍ରାଫିକ୍‌ ସମସ୍ୟା

ଅଚଳ ଟାଇମର୍‌, ନାହିଁ ସ୍ପାଇକ୍‌ ବ୍ୟାରିୟର୍‌

ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସୁଧୁରିଲା ନାହିଁ। ବାରମ୍ବାର ପରୀକ୍ଷାନିରୀକ୍ଷା ହେଉଛି, ନୂଆ ବୈଷୟିକ ଜ୍ଞାନକୌଶଳ ବାବଦକୁ ରାଜ‌କୋଷରୁ ବିପୁଳ ଟଙ୍କା ବି ଖର୍ଚ୍ଚ ହେଉଛି। କିନ୍ତୁ ଏବେ ବି ରାଜଧାନୀବାସୀ ଟ୍ରାଫିକ୍‌ ଜାମ୍‌ରେ ଫସି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍‌ ଭିଡ଼ରେ ବି ଫସୁଛି ଆମ୍ବୁଲାନ୍ସ। ସବୁଦିନ କେଉଁଠି ନା କେଉଁଠି ଦୁର୍ଘଟଣା ହେଉଛି। ଜେବ୍ରା କ୍ରସିଂ ଥାଇ ନଥିଲା ଭଳି। ବହୁ ଗାଡ଼ିଚାଳକ ଏହି ବ୍ୟବସ୍ଥାକୁ ମାନୁନାହାନ୍ତି। ଟ୍ରାଫିକ୍‌ ପୁଲିସ ତାହା ଦେଖୁଥିଲେ ବି ଆଖି ବୁଜିଦେଉଛନ୍ତି। ଟାଇମର୍ ଅଚଳ ହୋଇଯାଇଥିବାରୁ ଥିବାରୁ ଗାଡ଼ିଚାଳକମାନେ ଦ୍ଵନ୍ଦରେ ପଡ଼ୁଛନ୍ତି। ସ୍ପାଇକ୍‌ ବ୍ୟାରିୟର୍ ବ୍ୟବସ୍ଥା ଲାଗୁ ହେଉନଥିବାରୁ ରଙ୍ଗ୍‌ ରୁଟ୍‌ ଗାଡ଼ିଚାଳନା ବନ୍ଦ ହେଉନାହିଁ। ଏମିତିକି ରସୁଲଗଡ଼ ଭଳି ଜନଗହଳିପୂର୍ଣ୍ଣ ଛକରେ ଟ୍ରାଫିକ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା ହୋଇପାରିଲାନାହିଁ।
ସଜଡ଼ା ହେଉନି ଅକାମୀ ଟାଇମର୍‌
ପୂର୍ବରୁ ରାଜଧାନୀର ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ୍‌ ଛକରେ ଟାଇମର୍‌ ବ୍ୟବସ୍ଥା ଥିଲା। ସବୁଜ ଲାଇଟ୍‌ ଜଳିବା ପୂର୍ବରୁ ଲୋକେ ଟାଇମ୍‌ ଦେଖି ଟ୍ରାଫିକ୍‌ ଛକରୁ ଆଗକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ମାତ୍ର ଏବେ ସେହି ବ୍ୟବସ୍ଥା ଆଉ ନାହିଁ। ଟ୍ରାଫିକ୍‌ ଛକରେ ଲାଗିଥିବା ଟାଇମ୍‌ର ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଏବେ ଗାଡ଼ିଚାଳକମାନେ ନାଲି, ସବୁଜ ଓ ହଳଦିଆ ରଙ୍ଗର ଲାଇଟ୍‌ ସିଗ୍‌ନାଲ ଦେଖି ପ୍ରସ୍ତୁତ ରହୁଛନ୍ତି। ରବୀନ୍ଦ୍ର ମଣ୍ଡପ, ଡମଣା, ପଟିଆ, ପାର୍ସପୋର୍ଟ ଅଫିସ, ହାଉସିଂବୋର୍ଡ, କ୍ୟାପିଟାଲ ହସ୍ପିଟାଲ ଛକ ଭଳି ବ୍ୟସ୍ତବହୁଳ ଟ୍ରାଫିକ୍‌ ଛକରେ ଖୁବ୍‌ କମ୍‌ ସମୟରେ ସବୁଜ ଲାଇଟ୍‌ ଲିଭି ଯାଉଛି ଏବଂ ନାଲି ଲାଇଟ୍‌ ଜଳୁଛି। ଫଳରେ ଏସବୁ ଟ୍ରାଫିକ୍‌ ଛକ ଅତିକ୍ରମ କରିବା ପାଇଁ ଜଣେ ଗାଡ଼ିଚାଳକକୁ ନିହାତି ଦୁଇ ଥର ଅପେକ୍ଷା କରିବାକୁ ପଡ଼ୁଛି। ବେଳେବେଳେ ୩ ଥର ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ବହୁ ଗାଡ଼ିଚାଳକ ତରବରରେ ଗାଡ଼ି ଚଳାଇବାକୁ ଯାଇ ଆଗ ଗାଡ଼ି ପଛରେ ବାଡ଼େଇ ହୋଇଯାଉଛି। ପଟିଆ-ଜୟଦେବବିହାର ରାସ୍ତାରେ, କଟକ ରୋଡ୍‌ରେ ଏଭଳି ଦୁର୍ଘଟଣା ନିତିଦିନିଆ। ସେମିତି ଟ୍ରାଫିକ୍‌ ପୁଲିସ ହାତରେ କୌଣସି ସିଗ୍‌ନାଲ୍‌ ନଥିବାରୁ ଲୋକ ବି ଦ୍ଵନ୍ଦରେ ପଡ଼ି ଯିଏ ଯୁଆଡ଼େ ପାରୁଛନ୍ତି ଗାଡ଼ି ପୂରାଇଦେଉଛନ୍ତି। ଟାଇମର୍‌ ବ୍ୟବସ୍ଥା କ’ଣ ପାଇଁ ସଜଡ଼ା ହେଉନାହିଁ, ସେନେଇ କୌଣସି ଟ୍ରାଫିକ୍ ଅଧିକାରୀ ମୁହଁ ଖୋଲୁନାହାନ୍ତି।
କନ୍ଦାଉଛି ରସୁଲଗଡ଼ ଛକ, ନାହିଁ ଟ୍ରାଫିକ୍‌ ସିଗ୍‌ନାଲ୍‌
ରସୁଲଗଡ଼ ଛକ ଏକ ବ୍ୟସ୍ତବହୁଳ ଛକ। ଦୁଇ ଦୁଇଟି ଶିଳ୍ପାଞ୍ଚଳ ସାଙ୍ଗକୁ ବମିଖାଲସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ଏବଂ କଟକ ରୋଡ୍‌ର ଭିଡ଼ ଏହି ଛକରେ ଦେଖିବାକୁ ମିଳେ। ପ୍ରାୟ ପ୍ରତିଦିନ ଏହି ଛକରେ ଟ୍ରାଫିକ୍‌ ସମସ୍ୟା ହୋଇଥାଏ। ସକାଳ ଅଫିସିଆଲ୍‌ ଟାଇମ୍‌ ଓ ସନ୍ଧ୍ୟାରେ ଏହି ଛକରେ ନାହିଁ ନଥିବା ଭିଡ଼ରେ ଫସିବାକୁ ହୁଏ। ବର୍ଷା ହେଲେ ତ କଥା ସରିଲା। ବମିଖାଲ ଛକରୁ ଏସ୍‌ପ୍ଲାନେଡ୍‌ ମଲ୍‌ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ୍‌ ଉଚ୍ଚର ପାଣି ଜମିଯାଏ ଏବଂ ଟ୍ରାଫିକ୍‌ ଭିଡ଼ ଅସମ୍ଭାଳ ହୋଇପଡେ। ଏହା ସତ୍ତ୍ୱେ ଫ୍ଲାଏଓଭର ବ୍ରିଜ୍‌ ତଳେ ରସୁଲଗଡ଼ ଛକରେ ଟ୍ରାଫିକ୍ ସିଗ୍‌ନାଲ ବ୍ୟବସ୍ଥା କରାଯାଉନାହିଁ। ଦିନ ବେଳା କାଁ ଭାଁ ଟ୍ରାଫିକ୍‌ ପୁଲିସ ରହୁଛନ୍ତି। ତେବେ ସନ୍ଧ୍ୟାରେ ଟ୍ରାଫିକ୍‌ ପୁଲିସ ରହୁଥିଲେ ବି ଭିଡ଼ ନିୟନ୍ତ୍ରଣ କରିବାରେ ସେମାନେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଫଳରେ ମଞ୍ଚେଶ୍ୱର, ରସୁଲଗଡ଼ ଶିଳ୍ପାଞ୍ଚଳର ଗାଡ଼ି ସାଙ୍ଗକୁ ଅନ୍ୟାନ୍ୟ ଗାଡ଼ି ସବୁ ଏଠାରେ ପ୍ରବଳ ଭିଡ଼ କରନ୍ତି ଏବଂ ଟ୍ରାଫିକ୍‌ ଜାମ୍ ଘଣ୍ଟା ଘଣ୍ଟା ଧରି ଲାଗିରହେ। ‌ତେଣୁ ଏଠାରେ ବି ଜୟଦେବବିହାର-ପଟିଆ ରାସ୍ତା ଭଳି ଗାଡ଼ି ପଛକୁ ପଛ ପିଟିହେବା ନିତିଦିନିଆ ଘଟଣା।
ଧୂଆଁବାଣ ହୋଇଗଲା ସ୍ପାଇକ୍ ବ୍ୟାରିୟର!
ରଙ୍ଗ୍‌ ରୁଟ୍‌ ଗାଡ଼ିଚାଳନା ରାଜଧାନୀର ଏକ ବଡ଼ ସମସ୍ୟା। ଏଥିରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍ ପୁଲିସ ସ୍ପାଇକ୍ ବ୍ୟାରିୟର ଲଗାଇବା ପାଇଁ ଯୋଜନା କଲା। ଯେଉଁମାନେ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇବେ, ସେମାନଙ୍କ ଗାଡ଼ିର ଟାୟାର ନଷ୍ଟ ‌ହୋଇଯିବ। ରଙ୍ଗ୍‌ ରୁଟ୍‌ରେ ଯାଉଥିବା ଗାଡ଼ିର ଟାୟାର୍‌ ସ୍ୱୟଂଚାଳିତ ସ୍ପାଇକ୍ ଦ୍ୱାରା କଣା ହୋଇଯିବ। ୨୦୨୦ ମସିହାରେ ଏହି ଯୋଜନା କରାଯାଇଥିଲା। କିନ୍ତୁ ଏହା ଭିତରେ ଦୁଇ ବର୍ଷ ବିତିଗଲାଣି। ଏପର୍ଯ୍ୟନ୍ତ ଏହି ଯୋଜନା ଆଗକୁ ବଢ଼ିପାରିନାହିଁ। ଏହା ଏକ ଧୂଆଁବାଣ ଯୋଜନା ବୋଲି ଚର୍ଚ୍ଚା ହେଉଛି।
ଅଟୋ, ବସ୍‌ କବ୍‌ଜାରେ ଟ୍ରାଫିକ୍‌ ଛକ
ଟ୍ରାଫିକ୍‌ ଛକରେ ଅଟୋ ଓ ବସ୍‌ ରହିବ ନାହିଁ ବୋଲି ନିୟମ ରହିଛି। ଟ୍ରାଫିକ୍‌ ଛକଠାରୁ ୨ଶହ ମିଟର ମଧ୍ୟରେ କୌଣସି ଗାଡ଼ି ପାର୍କିଂ କରିପାରିବ ନାହିଁ। ପ୍ରଥମେ ପ୍ରଥମେ କିଛି ଦିନ ଏହି ନିୟମକୁ କଡ଼ାକଡ଼ି କରାଗଲା। ଏମିତିକି ଟ୍ରାଫିକ୍‌ ଛକ ନିକଟରେ ଅଟୋ ବେ’ ଓ ବସ୍‌ ବେ’ ନିର୍ମାଣ କରାଗଲା। ହେଲେ ବର୍ତ୍ତମାନ ସେସବୁର କିଛି ଅର୍ଥ ନାହିଁ। ଅଧିକାଂଶ ଛକରେ ଅଟୋ ଓ ବସ୍‌ ଟ୍ରାଫିକ୍‌ ଛକ ଉପରେ ଛିଡ଼ା ‌ହୋଇରହୁଛନ୍ତି। ଟ୍ରାଫିକ ପୁଲିସ ଦେଖି ନ ଦେଖିବାର ଅଭିନୟ କରୁଛନ୍ତି।

Share Now:

Kalinga News Beuro

Next Post

ରାହୁଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ମହିଳା ସାଂସଦ ସ୍ମୃତି ଇରାନୀ

Wed Aug 9 , 2023
ଭାଷଣ ସମାପ୍ତ ପରେ ମହିଳା ସାଂସଦଙ୍କୁ ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ୍ କିସ୍’ ଘଟଣା ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାରଦିନ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି, ‘‘ମୋତେ ଗୋଟିଏ କଥାକୁ ନେଇ ଆପତ୍ତି ରହିଛି। ଯାହା(ରାହୁଲ ଗାନ୍ଧୀ)ଙ୍କୁ ମୋ ପୂର୍ବରୁ କହିବାକୁ ଅନୁମତି ଦିଆଗଲା ସେ […]
ମହିଳା ସାଂସଦଙ୍କୁ ‘ଫ୍ଲାଇଙ୍ଗ୍ କିସ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial