ଭୁବନେଶ୍ୱରରେ ୭୧ ବର୍ଷର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ବର୍ଷା

୨୪ ଘଣ୍ଟା ଛେଚିଲା ବର୍ଷା

ତଳିଆ ଅଞ୍ଚଳ ଜଳାର୍ଣ୍ଣବ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଗତ ୭୧ ବର୍ଷର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ବର୍ଷା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର ସେମବାର ଅପରାହ୍ନରୁ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ୧୦୬ ଓ କଟକ ଜିଲ୍ଲା କଣ୍ଟାପଡ଼ାରେ ୧୦୧ ମିମି ବର୍ଷା ହୋଇଛି। ଗତ ଜୁନ୍‌ ୧ ତାରିଖ ଠାରୁ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୫୦୪.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏତିକି ସମୟରେ ଭୁବନେଶ୍ୱରରେ ହାରାହାରି ବର୍ଷା ୫୬୦.୬ ମିଲିମିଟର ରେକର୍ଡ କରାଯାଇଥାଏ। କିନ୍ତୁ ୨୪ ଘଣ୍ଟାରେ ମାତ୍ରାଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ସମୟରେ ବର୍ଷାଭାବ ଦେଖାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷାର ପରିମାଣ କମ୍‌ ଆକଳନ କରାଯାଇଥିବା ବେଳେ ୩ଟି ଜିଲ୍ଲାରେ ଅତ୍ୟଧିକ ହୋଇଛି। କିନ୍ତୁ ଅବଶିଷ୍ଟ ୧୧ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ହୋଇଛି।
କେବଳ ଭୁବନେଶ୍ୱର ଓ କଟକ ନୁହେଁ। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲା ତିହିଡ଼ିରେ ୯୭ ମିମି ବର୍ଷା ରେକର୍ଡ ହୋଇଛି। ସେହପରି ଢେଙ୍କାନାଳ ଜିଲ୍ଲା ଭୁବନରେ ୯୬, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୮୮, ପୁରୀ ଜିଲ୍ଲା ପିପିଲିରେ ୮୫, ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ୮୫, କଟକ ସହରରେ ୮୩.୨, ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ୮୨, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ୮୧ ଓ ବରଗଡ଼ ଜିଲ୍ଲା ବରପାଲିରେ ୭୨ ମିଲିମିଟର ବର୍ଷା ହୋଇଛି।
ସୋମବାର ଅପରାହ୍ନ ୪ଟାରୁ ମୁଷଳଧାରା ବର୍ଷା ହେବା ଫଳରେ ରାଜଧାନୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଉବୁଟୁବୁ ହୋଇଥିଲେ। ସମଗ୍ର ରାଜଧାନୀ। ରାସ୍ତା, ନାଳ, ମେଡିଆନ୍‌ ସବୁ ଏକାକାର ହୋଇଯାଥିଲା। ବସ୍ତି ତଥା ତଳି ଅଞ୍ଚଳରେ ରହୁଥିବା ପାଖାପାଖି ୭ ହଜାର ଲୋକ ଜଳବନ୍ଦୀ ହୋଇଯାଇଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଆକଳନ କରାଯାଇଛି। ପରିସ୍ଥିତି ଏମିତି ହୋଇଛି ଯେ, ବର୍ଷା ଛାଡ଼ିବା ପରେ ବି ସାରା ରାତି ଅନେକଙ୍କ ଘରେ ଚୁଲି ଜଳିପାରିନି।
ବର୍ଷା ପାଇଁ ସହରରେ ଅଘଟଣ ଘଟିଛି। ଚନ୍ଦ୍ରଶେଖରପୁରରେ ଗଛ ପଡ଼ି ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଏମ୍‌ସ୍‌ ଧର୍ମଶାଳାର ପାଚେରି ଭୁଶୁଡ଼ି ପଡ଼ିବାରୁ ତିନିଜଣ ଆହତ ହୋଇଛନ୍ତି। ୬ଟି ଜାଗାରେ ଗଛ ଉପୁଡ଼ି ଦୁଇଟି କାର୍‌ ଓ ୩ଟି ବାଇକ୍‌ ଭାଙ୍ଗି ଯାଇଛି। କାରଗିଲ୍‌ ରୋଡ୍‌ରେ ଏକ ପାଚେରି ଭୁଶୁଡ଼ି ପଡ଼ିବାରୁ ପଳାଶପଲ୍ଲୀ-ପୋଖରୀପୁଟ୍‌ ରାସ୍ତାରେ ଯାତାୟାତା ବାଧାପ୍ରାପ୍ତ ହୋଇଥିଲା। ଏହି ରାସ୍ତାରେ ଏକ ଗଛ ମଧ୍ୟ ରାସ୍ତା ଉପରକୁ ଉପୁଡ଼ି ପଡ଼ିଥିଲା। ରଥ ରୋଡ୍‌ ନଦୀର ଭ୍ରମ ସୃଷ୍ଟି କରିଥିବା ବେଳେ ବୈରାଗୀ ନଗରରେ ବନ୍ୟା‌ ପରିସ୍ଥିତି ଉପୁଜିଥିଲା। ପୂର୍ବରୁ ବିଏମ୍‌ସି ୩୭ଟି ସମ୍ବେଦନଶୀଳ ଜାଗା‌ ଚିହ୍ନଟ କରିଥିବା ବେଳେ ଆଜିର ବର୍ଷାରେ ଏକାଧିକ ନୂଆ ଜାଗାରେ ପାଣି ଜମିଛି।

Share Now:

Kalinga News Beuro

Next Post

ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ : ଡିଜିପିଙ୍କୁ ସମନ କଲେ ସୁପ୍ରିମ୍‌କୋର୍ଟ

Tue Aug 1 , 2023
ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ତଦନ୍ତର ଅସ୍ଥିରତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି। ଶୀର୍ଷ ଅଦାଲତ, ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତଦନ୍ତରେ ଅଗ୍ରଗତି ହୋଇ ନଥିବାରୁ ବହୁ ସମୟ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାରିକୁ ଗିରଫ କରା ଯାଇନାହିଁ। ଏ ପରିସ୍ଥିତିରେ ମଣିପୁରରେ […]
ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial