କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ କଲେ କଲୋନୀ ବାସୀ

ମନ୍ତ୍ରୀଙ୍କୁ ସ୍ମାରକପତ୍ର, ପ୍ରତିବାଦ ଜୋର୍‌ଦାର୍‌ କରିବାକୁ ଚେତାବନୀ

ଭୁବନେଶ୍ୱର: ୫୭ନମ୍ବର ୱାର୍ଡ ଅଧୀନ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ମଶାଣି ସାମ୍ନାରେ ଥିବା ନେତାଜୀ ଖେଳ ପଡ଼ିଆରେ ବିଏମ୍‌ସି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହାକୁ ସ୍ଥାନୀୟ ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ବିଭିନ୍ନ ସଂଗଠନ ପକ୍ଷରୁ ‌ବୈଠକ କରାଯାଇ ବିଏମ୍‌ସିର ପ୍ରସ୍ତାବକୁ ଦୃଢ଼ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଇଛି। ନେତାଜୀ ଯୁବକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ସ୍ଥାନୀୟ ଅଞ୍ଚଳରେ ଏହି ଏକମାତ୍ର ଖୋଲା ପଡ଼ିଆରେ ପ୍ଲାଣ୍ଟ୍‌ ନିର୍ମାଣ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ପାଖରେ ଦୁଇଟି ସ୍କୁଲ୍‌, ବ୍ରିଟ୍‌ କଲୋନି, ପାଣ୍ଡବ ନଗର, ମେଘେଶ୍ୱର କଲୋନି ପରି ବହୁ ଆବାସିକ ଅଞ୍ଚଳ ଅଛି। ଏଠାରେ ପ୍ଲାଣ୍ଟ୍‌ ନିର୍ମାଣ ହେଲେ ସ୍ଥାନୀୟ ପିଲାମାନେ ଖେଳିବାକୁ କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମ ପାଇଁ ଲୋକମାନେ ଅସୁବିଧା ଭୋଗିବେ ବୋଲି ମତପ୍ରକାଶ ପାଇଥିଲା। ପୂର୍ବରୁ ଏହି ସ୍ଥାନ‌ ଏକ ଆବର୍ଜନା ଗଦା ଥିଲା। ଏଠାରେ ଆବର୍ଜନା, ମଲା ଗୋରୁ, କୁକୁର ପକାଯାଉଥିଲା। ପରବର୍ତ୍ତୀ ସମୟରେ ତାହାକୁ ପୋତା ଯାଇ ଆଉ ଆବର୍ଜନା ପକାଯାଇ ନ ଥିଲା। ନେତାଜୀ ଯୁବକ ସଂଘ ପକ୍ଷରୁ ଏହାକୁ ସଫା ସୁତୁରା କରାଯାଇ ବ୍ୟବହାର ଉପଯୋଗୀ କରାଯାଇଥିଲା।
ଗତ ୧୫ ତାରିଖରେ ମେଘେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରରେ ପୂର୍ବତନ କର୍ପୋରେଟର୍‌ ତଥା କମିଟି ସଭାପତି ଅଶୋକ ସିଂହଙ୍କ ସଭାପତିତ୍ୱରେ ଏକ ବୈଠକ ଡକାଯାଇ ବିଏମ୍‌ସିର ପ୍ରସ୍ତାବକୁ ବିରୋଧ କରାଯାଇଥିଲା। ଏଥିରେ ପୂର୍ବତନ କର୍ପୋରେଟର୍‌ ପ୍ରତାପ ଜେନା, ନେତାଜୀ ଯୁବକ ସଂଘର ମୁଖ୍ୟ ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ଜେନା, ଉପଦେଷ୍ଟା ଉମାଶଙ୍କର ପଟ୍ଟନାୟକ, ସଂଘର ସଭାପତି ସନ୍ତୋଷ ସିଂହ, ସମ୍ପାଦକ ବୃନ୍ଦାବନ ଦାସ, କୋଷାଧ୍ୟକ୍ଷ ଦୀପକ ବେହେରା, ଆଇନଜୀବୀ ଜ୍ଞାନରଞ୍ଜନ ମହାନ୍ତି, ସୀତାଂଶୁ ଦ୍ୱିବେଦୀ, ବ୍ରଜରାଜ ପୃଷ୍ଟି, ନିହାର ପ୍ରହରାଜ, ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନ୍‌ ସଭାପତି ଅଜିତ ବେହେରା, ଭାସ୍କରେଶ୍ୱର କ୍ଲବ୍ ସଭାପତି ମନୋଜ ପାଢ଼ୀ, ସମ୍ପାଦକ ବାପି ପାଢ଼ୀ, ମେଘେଶ୍ୱର କଲୋନିର ସଂଗ୍ରାମ ନାୟକ, ଅନିଲ ଛୋଟରାୟ, ପାଣ୍ଡବ ନଗରର ଅଜିତ ସାହୁ, ସୁଧୀର ପରିଡ଼ା ଓ ସତ୍ୟ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଏମ୍‌ସି ତା’ର ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ସମସ୍ତେ ମତ ଦେଇଥିଲେ। ବିଏମ୍‌ସି ନିଜ ନିଷ୍ପତ୍ତିରେ ଅଟଳ ରହିଲେ ଜୋର୍‌ଦାର୍ ପ୍ରତିବାଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ବଣ୍ଡାଘାଟିରେ ଦାରିଦ୍ର୍ୟର ନଗ୍ନ ନମୁନା : ନବଜାତ ଶିଶୁକୁ ବିକ୍ରି ଉଦ୍ୟମ

Sun Jan 19 , 2020
ମାଲକାନଗିରି : ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ଏବେ ବି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ସ୍ଥିତି ଏମିତି ଯେ, ଜନ୍ମକଲା ବାପା ନିଜ ସନ୍ତାନକୁ ଅନ୍ୟ ହାତରେ ଟେକି ଦେବା ପୂର୍ବରୁ ଥରେ ବି ଚିନ୍ତା କରୁନାହିଁ। ଆଜି ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମାତ୍ର ୧୮ଦିନର ଶିଶୁକନ୍ୟାକୁ ବାପା ବିକ୍ରି କରିଦେବା ପୂର୍ବରୁ ଉଦ୍ଧାର କରିଛନ୍ତି ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial