ବଡ଼ ବର୍ଷା ହେଲାନି, ରକ୍ଷା ପାଇଗଲା ବିଏମ୍‌ସି

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ଓଡ଼ିଶାରେ ମାଡ଼ ନହେଲେ ବି ଏହାର ପ୍ରଭାବ ପଡ଼ିବ। ଏହି ପୂର୍ବାନୁମାନ ଭାରତୀୟ ପାଣିପାଗ କରିଥିଲା। ମଙ୍ଗଳବାର ଦିନତମାମ୍ କୋହଲା ପାଗ ଥିବାବେଳେ ମଝିରେ ମଝିରେ ଝିପିଝିପି ବର୍ଷା ହେଉଥିଲା। ସଂଧ୍ୟା‌ରୁ ବର୍ଷା ଆରମ୍ଭ ହୋଇଥିଲା। କିନ୍ତୁ ରାତି ସାଢ଼େ ୧୧ଟା ପରେ ପବନ ବହିବା ଆରମ୍ଭ କରିଥିଲା। ରାତି ତମାମ୍ ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବହୁଥିବାରୁ ସକାଳେ ଜୋର୍‌ରେ ବାତ୍ୟା ହେବ ବୋଲି ‌ରାଜଧାନୀବାସୀ ଭାବି ନେଇଥିଲେ। ବାତ୍ୟା ଭୟରେ ଲୋକଙ୍କୁ ନିଦ ହୋଇନଥିବାବେଳେ ସକାଳୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଯାଇଥିଲା। ତୁହାକୁ ତୁହା ବର୍ଷା ହେଉଥିଲା। ଦିନ ଯେତିକି ବଢ଼ୁଥିଲା ପବନ ବି ସେତିକି ବଢ଼ୁଥିଲା। ପୂର୍ବାହ୍ନ ୮ଟାରୁ ୯ଟା ପର୍ଯ୍ୟନ୍ତ ଜୋର୍‌ରେ ପବନ ବହିଥିଲା। ଏପରିକି ପବନ ଘଣ୍ଟା ପ୍ରତି ୩୦ରୁ ୫୬କିମି ପର୍ଯ୍ୟନ୍ତ ବହିଥିଲା। ବାତ୍ୟା ଅମ୍ଫାନ ପାରାଦୀପ ଅତିକ୍ରମ କରିନଥିବାରୁ ଲୋକଙ୍କ ମନରେ ଭୟ ଥିଲା। ବର୍ଷା ଅଧିକ ବଢ଼ୁଥିବାରୁ ଏହି ଭୟ ଛାଡ଼ୁ ନଥିଲା। ହେଲେ ମଧ୍ୟାହ୍ନ ବେଳକୁ ପବନ କମିଯାଇଥିଲା। କେବଳ ବର୍ଷା ହେଉଥିଲା। ମଧ୍ୟାହ୍ନରେ ରାଜଧାନୀବାସୀ ବାତ୍ୟା ହେବନି ବୋଲି ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଫନି ବାତ୍ୟାରେ ଯେପରି ପବନ କିଛି ସମୟ ବନ୍ଦ ହୋଇ ପୁଣି ଫେରିଥିଲା ଓ ପ୍ରଳୟ ରଚିଥିଲା ତାହାକୁ ମନେ ପକାଇ ଲୋକ ଭୟଭୀତ ହେଉଥିଲେ। ହେଲେ ଅପରାହ୍ନ ୨ଟା ପରେ ରାଜଧାନୀରେ ପବନ ପୂରା କମିଯିବା ଏବଂ ପାଣିପାଗ ବିଭାଗ ଏବେ ରାଜଧାନୀକୁ ବାତ୍ୟା ଭୟ ନଥିବା ନିଶ୍ଚିତ କରିବା ପରେ ଲୋକ ଆଶ୍ୱସ୍ତ ହୋଇଥିଲେ। ଅପରପକ୍ଷେ ଆଜି ରାଜଧାନୀରେ ବର୍ଷା ପବନ ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନି। ବିଦ୍ୟୁତ ଖୁଣ୍ଟ ଉପୁଡ଼ିନି କି ତାର ଛିଣ୍ଡିନି। ଯାହା ବି ସମସ୍ୟା ଥିଲା ତାହାକୁ ସେସୁ କର୍ତ୍ତୃପକ୍ଷ ତୁରନ୍ତ ମରାମତି କରିଦେଇଛନ୍ତି। ଭୁବନେଶ୍ୱରର ସମସ୍ତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ଵଭାବିକ ହୋଇଛି। ଯେଉଁ କେତେକ ସ୍ଥାନରେ ଗଛ ଉପୁଡ଼ିଥିଲା କି ଡାଳ ଭାଙ୍ଗି ପଡ଼ିଥିଲା ସେଗୁଡ଼ିକୁ ବିଏମ୍‌ସି ଓ ଅଗ୍ନିଶମ ବିଭାଗ ଉଠାଇ ଦେଇଛି। ବିଭିନ୍ନ ସଫେଇ ସଂସ୍ଥାକୁ ଲଗାଇ ରାସ୍ତା ସଫା କରାଯାଇଛି।
ବିଏମ୍‌ସି ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ୨୬ଟି ସମ୍ବେଦନଶୀଳ ଅଞ୍ଚଳରେ ୧୨ଟି ପାଣି ପମ୍ପ ପ୍ରସ୍ତୁତ କରି ରଖାଯାଇଥିଲା। ଯେଉଁଠି ପାଣି ଜମୁଥିଲା ସେଠାରୁ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଥିଲା। ୬ଟି ସ୍ୱତନ୍ତ୍ର ଟିମ୍‌ ପୂରା ଭୁବନେଶ୍ୱରରେ ବୁଲିବା ସହ ଯେଉଁଠି ଯାହା ସମସ୍ୟା ହେଉଥିଲା ତାହାର ତୁରନ୍ତ ସମାଧାନ କରୁଥିଲା। ରାଜଧାନୀରେ ୩୩ଘଣ୍ଟାରେ ୮୬.୨ମିମି ବର୍ଷା ହୋ‌ଇଥିଲା। କିନ୍ତୁ ଝିପିଝିପି ବର୍ଷା ହୋଇଥିଲା। ବଡ଼ ଅସରାଏ ବ‌ର୍ଷା ନହେବାରୁ ବହୁ ଅଞ୍ଚଳ ଜଳବନ୍ଦୀ ହେବାରୁ ରକ୍ଷା ପାଇଗଲା। ବିଏମ୍‌ସି କର୍ତ୍ତୃପକ୍ଷ ବି ଅପବାଦରୁ ବର୍ତ୍ତିଗଲେ। ବିଏମ୍‌ସି ଜଳବନ୍ଦୀର ମୁକାବିଲା ପାଇଁ ମେ’ ଫେୟାର ଜ୍ୟୋତ୍ସ୍ନ‌ା ଆପାର୍ଟମେଣ୍ଟ, ପବିତ୍ର ଗେ‌ଷ୍ଟ ହାଉସ୍‌ ନିକଟ, ନୂଆପଲ୍ଲୀ ବେହେରା ସାହି, ଲକ୍ଷ୍ମୀସାଗର ମଳିଅନ୍ତା ଟ୍ୟାଙ୍କ, ଶତାବ୍ଦୀ ନଗର, ମଲ୍ଲିକ କମ୍ପ୍ଲେକ୍ସ, ସବ୍‌ ଇଣ୍ଡଷ୍ଟ୍ରି, ଗ୍ୟା‌େ‌ରଜ୍‌ ଛକ ନିକଟରେ ପାଣି ପମ୍ପ ପ୍ରସ୍ତୁତ କରି ରଖାଯାଇଥିଲା। ଏଠାରେ ଯେଉଁଠି ପାଣି ଜମିଥିଲା ସେଗୁଡ଼ିକୁ ନିଷ୍କାସନ କରି ଡ୍ରେନ୍‌ରେ ଛଡ଼ା ଯାଇଥିଲା। ବଡ଼ ବର୍ଷା ନହେବାରୁ ଅନେକ ଅଞ୍ଚଳ ଜଳବନ୍ଦୀ ସମସ୍ୟାରୁ ରକ୍ଷା ପାଇଯାଇଥିଲା।

Share Now:

Kalinga News Beuro

Next Post

ନୂଆ ୫୧ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର, ୧୫ ଗୁଜୁରାଟ ଫେରନ୍ତା

Thu May 21 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୫୧ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀରୁ ଚିହ୍ନଟ ଆକ୍ରାନ୍ତଜଣକ ପଶ୍ଚିମବଙ୍ଗ ଫେରନ୍ତା। ଗଞ୍ଜାମର ୪ଜଣଙ୍କ ମଧ୍ୟରୁ ୩ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନୁଗୁଳରୁ ଚିହ୍ନଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial