ମୁମ୍ବାଇ :୨୬/୧୧ ମୁମ୍ବାଇ ଆକ୍ରମଣ ଘଟାଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବକୁ କୋର୍ଟରେ ଚିହ୍ନଟ କରିଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁହୋଇଛି। ମୁମ୍ବାଇ ଉପକଣ୍ଠ କଲ୍ୟାଣସ୍ଥିତ ନିଜ ଘରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ୨୬ ନଭେମ୍ବର ୨୦୦୮ ରାତିରେ ସେ ମୁମ୍ବାଇର କାମା ହସପିଟାଲ ନିକଟରେ ଥିବାବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସେ ଆହତ ହୋଇଥିଲେ। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା। ତେବେ ଆହତ ହେବା ସତ୍ତ୍ୱେ ସେ ଆକ୍ରମଣକାରୀ ଆତଙ୍କବାଦୀ କସବକୁ ଦେଖିପାରିଥିଲେ। ପରେ କୋର୍ଟରେ ଏହି ମାମଲାର ବିଚାର ବେଳେ ସେ କସବକୁ ଚିହ୍ନଟ କରିଥିଲେ। ତାଙ୍କର ସାକ୍ଷ୍ୟ ଅନୁସାରେ କସବକୁ ଦୋଷୀ ସାବ୍ୟସ୍ତ କରିବା ସହଜ ହୋଇଥିଲା। କିଛି ଦିନ ପୂର୍ବରେ ସେ କଲ୍ୟାଣର ଏକ ଫୁଟପାଥରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲେ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଉଠିଥିଲା। ଏହା ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହସପିଟାଲରେ ତାଙ୍କୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସାକ୍ଷାତ କରିଥିଲେ। ସହ ତାଙ୍କ ପରିବାରର ସହାୟତା ପାଇଁ ବିଜେପି ତରଫରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଘରେ ତାଙ୍କର ପତ୍ନୀ, ଦୁଇ ପୁଅ ଓ ବୋହୂ ଅଛନ୍ତି।
କୋର୍ଟରେ କସବ ବିରୁଦ୍ଧରେ ସାକ୍ଷୀ ଦେଇଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁ

Share Now: